ପାଳଲହଡ଼ା/ ଖମାର: ପାଳଲହଡ଼ା ବ୍ଲକ୍ ରୋହିଲା ପଞ୍ଚାୟତର ଆଦିବାସୀବହୁଳ ଶୁଆବସା ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି। ଗତକାଲି ଓ ଆଜି ଖମାର ଡାକ୍ତରଖାନାରେ ୬ ଶିଶୁଙ୍କ ସହ ମୋଟ ୧୦ ଜଣ ଝାଡାବାନ୍ତି ରୋଗୀଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ଖମାର ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଶଶିକାନ୍ତ ବେହେରା ସୂଚନା ଦେଇଛନ୍ତି। ପାଳଲହଡା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ନେତୃତ୍ବରେ ଡାକ୍ତରୀଦଳ ଏବଂ ବିଭାଗୀୟ ଅଧିକାରୀ ଗାଁରେ ପହଞ୍ଚିଛନ୍ତି। ଡାକ୍ତରୀ ଦଳ ଶୁଆବସା ଗାଁରେ ଡେରା ପକାଇ ଘରକୁ ଘର ବୁଲି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଦୂଷିତ ପୋଖରୀ ହୋଇପାରେ ମୁଖ୍ୟ କାରଣ
ଝଡ଼ାଫୁଙ୍କା ଯୋଗୁ ମହିଳାଙ୍କ ଜୀବନ ଗଲା
ଡାକ୍ତର ବେଣୁଧର ବେହେରାଙ୍କ ସୂଚନା ଅନୁସାରେ, ଗତ ୧୬ ତାରିଖ ରାତିରେ ଶୁଆବସା ଗ୍ରାମର ଗୋବର୍ଦ୍ଧନ ବବାଙ୍ଗଙ୍କ ପତ୍ନୀ ସାବିତ୍ରୀ ବବାଙ୍ଗ (୨୫)ଙ୍କ ୪/୫ ଥର ଝାଡ଼ାବାନ୍ତି ହୋଇଥିଲା। ସାବିତ୍ରୀଙ୍କୁ ଡାକ୍ତରଖାନାକୁ ନନେଇ ଘରେ ଝଡ଼ାଫୁଙ୍କା କରାଯାଇଥିଲା। ୧୭ ତାରିଖ ଦିନ ୧୦ଟାବେଳେ ସାବିତ୍ରୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସେ ସଦଳବଳ ଶୁଆବସା ଗାଁରେ ପହଞ୍ଚିବାବେଳକୁ ସାବିତ୍ରୀଙ୍କ ମୃତ୍ୟୁ ଘଟିସାରିଥିଲା। ଏହାର ୭ ଦିନ ପୂର୍ବରୁ ଗାଁର ଜଣେ ପୁରୁଷ ବ୍ୟକ୍ତି ରାମାଏ ହେସା ଝାଡ଼ାବାନ୍ତିରେ ପୀଡ଼ିତ ହୋଇ ଘରେ ପଡ଼ିଥିଲେ। ସ୍ବାସ୍ଥ୍ୟାବସ୍ଥା ଅଣାୟତ୍ତ ହେବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ଖମାର ଡାକ୍ତରଖାନାକୁ ଅଣାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶୁଆବସା ଗାଁ ଭିତରେ ୬ଟି ନଳକୂଅ ଅଛି। ତାହା କିନ୍ତୁ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। ଗାଁରେ ୫ଶହରୁ ଅଧିକ ଲୋକ ବାସ କରୁଛନ୍ତି। ସେମାନେ ଗାଁ ପୋଖରୀରେ ସ୍ନାନଶୌଚ କରିବା ସହ ଲୁଗାପଟା ସଫା କରୁଛନ୍ତି। ଗୋରୁଙ୍କୁ ଗାଧୋଇ ଦେଉଛନ୍ତି। ସେଥିରେ ପରିତ୍ୟକ୍ତ ପଦାର୍ଥ ପକାଯାଉଛି। ତେଣୁ ପୋଖରୀ ପାଣି ସଂପୂର୍ଣ୍ଣ ଦୂଷିତ ହୋଇଯାଇଛି। ଗ୍ରାମବାସୀ ହୁଏତ ଏହି ପାଣି ପିଇଥିବାରୁ ଝାଡ଼ାବାନ୍ତି ହୋଇଥାଇପାରେ ବୋଲି ଗାଁରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟ କର୍ମୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ପୋଖରୀ ପାଣି ବ୍ୟବହାର ନକରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବା ପରେ ଗାଁର ସମସ୍ତ ନଳକୂଅ ମରାମତି କରାଯାଇଛି। ଉପଜିଲ୍ଲାପାଳ ଶ୍ରୀ ପଟେଲ ପ୍ରଥମେ ଖମାର ଡାକ୍ତରଖାନାକୁ ଯାଇ ରୋଗୀଙ୍କ କଥା ବୁଝିଥିଲେ। ତାଙ୍କ ସହିତ ଖମାର ଡାକ୍ତରଖାନା କର୍ମଚାରୀ, ଗ୍ରାମ୍ୟ ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ, ଫୁଡ୍ ଇନ୍ସପେକ୍ଟର, ପୁଲିସ ଏସ୍ଡିପିଓ କୈଳାସ ଚନ୍ଦ୍ର ସେଠୀ, ଖମାର ଥାନାଧିକାରୀ ଅରୁଣ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ବିଶ୍ୱନାଥ ରଥ ଗାଁରେ ପହଞ୍ଚିଥିଲେ। ଗାଁରେ ଥିବା ୬ଟି ନଳକୂଅ ବିଶୋଧନ କରିବା ସହ ଆଉ ୨ଟି ନଳକୂଅ ଖୋଳିବା, ବୋର୍ୱେଲ୍ ଦ୍ବାରା ଜଳ ଯୋଗାଣ କରାଯିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏକ ଡାକ୍ତରୀଦଳ ଗାଁରେ ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣରେ ଥିବା ଉପଜିଲ୍ଲାପାଳ ଶ୍ରୀ ପଟେଲ ସୂଚନା ଦେଇଛନ୍ତି।