ସୁର୍ଜିମୁଣ୍ଡାରେ ବ୍ୟାପିଲା ଝାଡ଼ାବାନ୍ତି, ୨୮ ଆକ୍ରାନ୍ତ

ତରଭା: ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ଦୁବୁଲା ପଞ୍ଚାୟତ ଅନ୍ତର୍ଗତ ସୁର୍ଜିମୁଣ୍ଡା (ସୂର୍ଯ୍ୟମୁଣ୍ଡା) ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ଅନେକ ଲୋକ ଆକ୍ରାନ୍ତ ହେବାର ସୂଚନା ମିଳିଛି। ଗତ ୨୨ ତାରିଖରେ ପ୍ରଥମେ ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବାରୁ ସେମାନଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ ତା’ ପରଠାରୁ ଲଗାତାର ପ୍ରତି ଦିନ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଯୋଗୁଁ ଏକ ମେଡିକାଲ ଟିମ୍ ଉକ୍ତ ଗ୍ରାମକୁ ପଠାଯାଇଥିଲା।

ସୋମବାର ୬ ଜଣଙ୍କୁ ତରଭା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ବଲାଙ୍ଗୀର ପଠାଯାଇଥିଲା। ସନ୍ଧ୍ୟା ସୁଦ୍ଧା ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ୨୨ ତାରିଖରୁ ଆଜି ସୁଦ୍ଧା ୨୮ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ଦୂଷିତ ପାନୀୟ ଜଳ ଯୋଗୁଁ ସଂକ୍ରମଣ ବ୍ୟାପୁଥିବା ପ୍ରାରମ୍ଭିକ ସୂଚନା ମିଳିଛି। ତେଣୁ ଗାଁ’ର ନଳକୂପ ଓ କୂଅକୁ ବିଶୋଧନ କରାଯିବା ସହ ବିଭିନ୍ନ ନଳକୂଅର ଜଳ ମାନ ପରୀକ୍ଷା ପାଇଁ ପଠାଯାଇଛି। ଏକ ମେଡିକାଲ ଟିମ୍ ଗାଁ’ରେ ରହି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର