ଭୁବନେଶ୍ବର: ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେଉନି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଦଳ ପଠାଯାଇଥିଲେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ଏପରିକି ପଡ଼ୋଶୀ ଜିଲ୍ଲାକୁ ବ୍ୟାପିବାରେ ଲାଗିଲାଣି। ତେଣୁ ତୁରନ୍ତ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଦୁଇ ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୁଇ ଜିଲ୍ଲାର ସବୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଡ଼ୋଶୀ ଜିଲ୍ଲାକୁ ଯେପରି ଝାଡ଼ାବାନ୍ତି ନ ବ୍ୟାପିବ ସେଥିପାଇଁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଝାଡ଼ାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ, ଅନ୍ୟାନ୍ୟ ସାମଗ୍ରୀ ଏବଂ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ସେହିପରି ଯାଜପୁର ଜିଲ୍ଲାର ସମସ୍ତ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବା, ଅନ୍ୟାଦେଶ ପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା, ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାସହ କୁହାଯାଇଛି ଯେ ଦୁଇ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ସମୟରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲରୁ ଡାକ୍ତରୀ ଦଳ ଯାଇ ରୋଗୀଙ୍କ ଚିକିତ୍ସା କରିବା ସହ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଡାକ୍ତର ଓ ଅନ୍ୟ ଅଧିକାରୀଙ୍କ ସହ ନିୟମିତ ଆଲୋଚନା କରି ସ୍ଥିତି ଉପରେ ନଜର ରଖୁଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ଝାଡ଼ାବାନ୍ତି ନିୟନ୍ତ୍ରଣରେ ସହାୟତା କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ’ (ଆଇସିଏମ୍ଆର୍)ର ଟିମ୍ ମଧ୍ୟ ଓଡ଼ିଶା ଆସିଥିଲେ।
ସ୍ଥିତି ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଡେରାବିଶ: ବୃଦ୍ଧା ମୃତ, ୫୦ରୁ ଅଧିକ ଆକ୍ରାନ୍ତ
ଡେରାବିଶ: ଯାଜପୁର, ଭଦ୍ରକ, କେନ୍ଦୁଝର ଓ କଟକ ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପିଛି ଝାଡ଼ାବାନ୍ତି। ଗତ ତିନିଦିନ ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଅଧିକ ଝାଡ଼ାବାନ୍ତି ରୋଗୀ ଚିକିତ୍ସିତ ହୋଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଡେରାବିଶ ବ୍ଲକ୍ ଏଣ୍ଡର ପଞ୍ଚାୟତ ଶ୍ୟାମସୁନ୍ଦରପୁର (ଗଉଡ଼ୁଣୀପୋଖରୀ) ଗ୍ରାମର ଜଣେ ବୃଦ୍ଧା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଶନିବାର ରାତିରେ ପ୍ରାଣ ହରାଇଛନ୍ତି। ମୃତା ମହିଳାଜଣକ ଗ୍ରାମର ବସନ୍ତ ମଲିକଙ୍କ ପତ୍ନୀ ସଜନୀ ମଲିକ(୬୦) ବୋଲି ଜଣାପଡ଼ିଛି। ତାଙ୍କର ଦୁଇ ପୁଅ ଓ ନାତି ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ଶ୍ୟାମସୁନ୍ଦରପୁର (ଗଉଡ଼ୁଣୀ ପୋଖରୀ) ଗ୍ରାମର ବୃଦ୍ଧା ସଜନୀ ଶୁକ୍ରବାର ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଶନିବାର ସକାଳେ ପରିବାରବର୍ଗ ତାଙ୍କୁ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଚିକିତ୍ସା ପରେ ଘରକୁ ଫେରାଇ ଅଣାଯାଇଥିଲା। ମାତ୍ର ଘରେ ପହଞ୍ଚିବାର କିଛି ସମୟ ପରେ ସଜନୀଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ, ରାତି ୨ଟାରେ ସେ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ଗତ ମଙ୍ଗଳବାର ସଜନୀଙ୍କ ବଡ଼ପୁଅ ଭାଗୀରଥି(୩୮) ପ୍ରଥମେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେ ସୁସ୍ଥ ହୋଇ ନ ଥିଲା ବେଳେ ସଜନୀଙ୍କ ସାନପୁଅ ନିରଞ୍ଜନ(୩୨) ଗୁରୁତର ହୋଇପଡ଼ିଥିଲେ। ସେହିପରି ମୃତକାଙ୍କ ନାତି ସୁଧାଂଶୁ(୯) ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପଟେ, ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ୧୪ଜଣ, ଶନିବାର ୧୬ଜଣ ଓ ଆଜି ୨୦ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।
ରବିବାର ପୂର୍ବାହ୍ଣରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର ଶତପଥୀ ଓ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ବରେ ଡାକ୍ତରୀ ଦଳ ଶ୍ୟାମସୁନ୍ଦରପୁରରେ ପହଞ୍ଚି ମୃତକଙ୍କ ଘରୁ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ରାଜ୍ୟ ପରୀକ୍ଷାଗାରକୁ ପଠାଇଛନ୍ତି। ସେହିପରି ଡାକ୍ତରୀ ଦଳ ଗ୍ରାମ ପରିବେଶର ସ୍ଥିତି ଅନୁଧ୍ୟାନ କରିବା ସହ ବିଶୋଧନ ବ୍ୟବସ୍ଥା କରିଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବେହେରା ସୂଚନା ଦେଇଛନ୍ତି। ଯାଜପୁର ସୀମାବର୍ତ୍ତୀ ଡେରାବିଶ, ଆଳି, ରାଜକନିକା ଓ କେନ୍ଦ୍ରାପଡ଼ା ବ୍ଲକ୍ ଅଞ୍ଚଳର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ବୋଲି ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ପ୍ରହରାଜ ସୂଚନା ଦେଇଛନ୍ତି। ସେହିପରି ପ୍ରତ୍ୟେକ ଗ୍ରାମରେ ବିଶୋଧନ ଓ ସଚେତନତା କାର୍ଯ୍ୟକ୍ରମ ସହ ଭୋଜି ଉପରେ ରୋକ୍ ଲଗାଯାଇଥିବା ଡାକ୍ତର ପ୍ରହରାଜ କହିଛନ୍ତି।
ଭୁବନରେ ଜଣେ ମୃତ, ୪୧ ଆକ୍ରାନ୍ତ
ଭୁବନ: ଯାଜପୁର ପରେ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାକୁ କାୟା ବିସ୍ତାର କରିଛି ଡାଇରିଆ। ଜିଲ୍ଲାର ଭୁବନ ଏନ୍ଏସିର ବିଭିନ୍ନ ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଡାଇରିଆରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୪୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମୃତକ ଭୁବନ ଏନ୍ଏସି ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଦଳିତ ବସ୍ତିର କୃପାସିନ୍ଧୁ ମଳିକ। ଝାଡ଼ାବାନ୍ତିରେ କୃପାସିନ୍ଧୁଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ କହୁଥିବା ବେଳେ ଡାକ୍ତର କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସମସ୍ତ ଡାଇରିଆ ରୋଗୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନେକ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରାଥମିକ ଚିକିତ୍ସାରେ ସହଯୋଗ କରୁଛନ୍ତି। ତେବେ କେଉଁ କାରଣରୁ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାହା ଅସ୍ପଷ୍ଟ ରହିଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ରୋଗୀଙ୍କ ଚିକିତ୍ସା କରୁଛନ୍ତି। ବିଧାୟକ ଶତ୍ରୁଘ୍ନ ଜେନା, ମୁଖ୍ୟ ଚିକିତ୍ସା ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାୟକ, ତହସିଲଦାର ସୂର୍ଯ୍ୟ ଶଙ୍କର ଦାସ, ନଗରପାଳ ଶୁଭେନ୍ଦୁ କୁମାର ସାହୁ, ନିର୍ବାହୀ ଅଧିକାରୀ ପ୍ରଦୋତ ସାହୁ, ମୁଖ୍ୟ ଡାକ୍ତର ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ସ୍ଥିତି ପରଖିବାକୁ ଭୁବନ ଗସ୍ତରେ ଆସୁଥିବା ସୂଚନା ମିଳିଛି। ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା କେତେକ ଅଞ୍ଚଳରେ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ସୂଚନା ଅନୁସାରେ, ଝାଡ଼ାବାନ୍ତିରେ ମୃତ କୃପାସିନ୍ଧୁଙ୍କ ଘର ଆଗରେ ଡ୍ରେନ୍ ମୁକୁଳା ଥିବା ବେଳେ ‘ଅମୃତ’ ଯୋଜନାରେ ଖୋଳା ଯାଇଥିବା ପାଇପ ଲାଇନ ସହିତ ଗୁହାଳର ବର୍ଜ୍ୟ ମିଶୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଭୁବନ ଅଞ୍ଚଳରେ ସ୍ଥିତିକୁ ଦେଖି ଆଜି ଅପରାହ୍ଣରେ ପାଉଚ୍ ପାଣି ଓ ରାସ୍ତାକଡ଼ ଫୁଡ୍ ଷ୍ଟଲ୍ ଉପରେ ଚଢ଼ଉ କରାଯାଇଛି।
ଧାମନଗର: ୨ ଦିନରେ ୬୦ ଆକ୍ରାନ୍ତ
ଧାମନଗର: ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଏବେ ଧାମନଗର ବ୍ଲକ୍ରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨ ଦିନରେ ୬୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଶନିବାର ଦିନ ୪୬ ଜଣ, ରବିବାର ଅପରାହ୍ଣ ୩ଟା ସୁଦ୍ଧା ୧୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୫ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ସାଲାଇନ ଓ ଔଷଧ ଦେଇ ଛାଡ଼ି ଦିଆଯାଇଛି। ଧାମନଗର ବ୍ଲକ୍ ରାଧାବଲ୍ଲଭପୁର ସମେତ ଏହାର ଆଖପାଖ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ପରିସ୍ଥିତିର ମୁକାବିଲା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି। ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତିଖିଲିଆ, ଦାଣ୍ଡକୁଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ଭଣ୍ଡାରିପୋଖରୀ ବ୍ଲକ୍ ନିକଟ ଧାମନଗର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପୁଥିବାରୁ ସାଧାରଣରେ ଛନକା ପଶିଛି।