କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଆଖି ବୁଜିଲେ ଆଉ ୪

ଥୁଆମୂଳ ରାମପୁରରେ ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଥୁଆମୂଳ ରାମପୁର/ମ.ରାମପୁର : କଳାହାଣ୍ଡି ଜିଲ୍ଲାରେ ଝାଡ଼ାବାନ୍ତି ଚିନ୍ତା ବଢ଼ାଇଲାଣି। ରବିବାର ଆଉ ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଥୁଆମୂଳ ରାମପୁର ବ୍ଲକ୍‌ରେ ୨ ଜଣ ଓ ମ.ରାମପୁର ବ୍ଲକ୍‌ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହିତ ଥୁଆମୂଳ ରାମପୁର ବ୍ଲକ୍‌ରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା ଜାରି ରହିଥିଲେ ମଧ୍ୟ ଅବସ୍ଥାରେ କୌଣସି ସୁଧାର ଆସୁନଥିବା ଜଣାପଡ଼ିଛି।

ସୂଚନାନୁସାରେ , ଗତ କିଛିଦିନ ପୂର୍ବରୁ ଥୁଆମୂଳ ରାମପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଗତ ୧ ତାରିଖ ଦିନ ବ୍ଲକ୍‌ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଶେମେଲପଦର ଗ୍ରାମର ବୃଦ୍ଧ ଡମୁ ମାଝୀ (୬୦) ଏବଂ ଶନିବାର ଆଉ ଜଣେ ବୃଦ୍ଧା ସୁନାଂଗ ଦେଇଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗୁଣପୁର ପଞ୍ଚାୟତ ପୁଷ୍ଟିଗୁଡ଼ା ଗ୍ରାମର ଜୟ ମାଝୀ ଏବଂ ବଡ଼ଛତ୍ରଙ୍ଗ ପଞ୍ଚାୟତ ଚମ୍ପାଚୁଆଁ ଗ୍ରାମର ଅସେମତୀ ନାଏକ (୭୦)ଙ୍କ ମଧ୍ୟ ଗତ ୫ ଦିନ ତଳେ ମୃତ୍ୟୁ ହୋଇଥିଲା। ରବିବାର ପୁଣି ବଡ଼ଛତ୍ରଙ୍ଗ ଗ୍ରାମର ଆଶାଏ ମାଝୀ (୪୫) ଓ ବଲଙ୍ଗୀ ଗ୍ରାମର ରଏବାରୀ ମାଝୀ (୩୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ, ଶେମେଲପଦର କେନ୍ଦୁପଡ଼ାର କିଛିଲୋକ ସୁସ୍ଥ ହୋଇ ଫେରୁଥିବା ବେଳେ ପୁଣି ବଡ଼ଛତ୍ରଙ୍ଗ, ବଲଙ୍ଗୀ, ମେଲକୁନ୍ଦେଲ, ଚମ୍ପାଚୁଁଆ, ପୁଷ୍ଟିପଡ଼ାର ଲୋକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ବର୍ତ୍ତମାନ ଝାଡ଼ାବାନ୍ତି ଗାଁ ଗାଁକୁ ବ୍ୟାପୁଥିବା ଦେଖିବାକୁ ମିଳିଛି। ଏଣୁ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଗାଁଗୁଡ଼ିକରେ ପହଞ୍ଚି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି ହେଉଛି।

ସେହିପରି ମ. ରାମପୁର ବ୍ଲକ୍‌ ବାରବନ୍ଧା ପଞ୍ଚାୟତ ଗୁନାଙ୍ଗବେଡ଼ା ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖାଯାଇଛି। ଏହି ଗାଁର ଭଗବାନ ନାଏକ ଓ ତିଳୋତ୍ତମା ନାଏକ ଝାଡ଼ାବାନ୍ତିରେ ଆକ୍ରାନ୍ତ ‌ହୋଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ସେହିପରି ଗାଁର ନିର୍ମଳ ନାଏକ, ଅଙ୍କିତା ନାଏକ, ଗୁରୁବାରୀ ନାଏକ, କୀର୍ତନ ନାଏକଙ୍କ ସହ ଆଉ କିଛି ଲୋକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ମ.ରାମପୁର ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର ଦୀପଙ୍କ ନେତୃତ୍ବରେ ଡାକ୍ତରୀ ଦଳ ଗାଁକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି। ବାରବନ୍ଧା ସରପଞ୍ଚ ବୃନ୍ଦାବତୀ ପାଠକ ଓ ତାଙ୍କ ସ୍ବାମୀ ରାଜେଶ ପାଠକ ମଧ୍ୟ‌ ଗାଁରେ ପହଞ୍ଚି ସମସ୍ତ ସୁବିଧା ଯୋଗାଇ ଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର