ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଝାଡ଼ାବାନ୍ତି ବ୍ୟାପୁଥିବା ଦେଖାଦେଇଛି। ଗତ ୪ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସା ଜାରି ରଖିଛନ୍ତି।
ସୂଚନାମତେ, ଗତ ୧ ତାରିଖ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର ଡମୁ ମାଝୀ (୬୦) ଏବଂ ଶନିବାର ଆଉ ଜଣେ ବୃଦ୍ଧା ସୁନାଂଗ ଦେଇଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆକ୍ରାନ୍ତ ହୋଇଥିଲେ। ଖବରପାଇ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଔଷଧପତ୍ର ବଣ୍ଟନ କରିଥିଲେ। ୧୬ ଜଣ ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା କେନ୍ଦୁପଡ଼ା ଗାଁର ଟିକିମଣୀ ମାଝୀ(୬୫), ମାଙ୍ଗଦେଇ ମାଝୀ (୬୫) ଏବଂ ଶୁକ୍ରୀ ମାଝୀ(୬୫)ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଗୁଣପୁର ପଞ୍ଚାୟତ ପୁଷ୍ଟିଗୁଡ଼ା ଗ୍ରାମର ଜୟ ମାଝୀ ଏବଂ ବଡ଼ଛତ୍ରଙ୍ଗ ପଞ୍ଚାୟତ ଚମ୍ପାଚୁଆଁ ଗ୍ରାମର ଅସେମତି ନାଏକ (୭୦)ଙ୍କ ମଧ୍ୟ ଗତ ୪ ଦିନ ତଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୂଷିତ ଝର ପାଣି ବ୍ୟବହାର ଝାଡ଼ାବାନ୍ତି ରୋଗର କାରଣ ବୋଲି କିଛି ଗ୍ରାମବାସୀ କହୁଛନ୍ତି।