ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଦୁଇଦିନରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ଗତକାଲି ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା, ଆଜି ଆଉ ୪ଜଣ ଆଖି ବୁଜିଛନ୍ତି। ଦାନଗଦୀ, କୋରେଇ, ବ୍ୟାସନଗର ଓ ବଡ଼ଚଣା ବ୍ଲକ୍‌ରୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦାନଗଦୀ ବ୍ଲକ୍‌ର ତରାଇଲୋ ଗ୍ରାମରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବଡ଼ଚଣା ବ୍ଲକ୍‌ରେ ଦୁଇଜଣ ଯୁବକଙ୍କର ଆଜି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଯାଜପୁର ଟାଉନ, କୋରେଇ, ଦାନଗଦୀ, ଧର୍ମଶାଳା, ରସୁଲପୁର, ବ୍ୟାସନଗର, ବଡ଼ଚଣା ବ୍ଲକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶଯ୍ୟା ଅଭାବରୁ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ପାନୀୟଜଳ, ଖାଦ୍ୟ ବିଷକ୍ରିୟା ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା କୁହାଯାଉଛି। ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏ ନେଇ ଏକ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇ ଲୋକଙ୍କୁ ସଚେତନ କରାଯାଇଛି। 

Advertisment

ସ୍ବାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ସ୍ଥିତି ଉପରେ ନଜର ରଖିଛି। ଦାନଗଦୀ ବ୍ଲକ୍‌ ତରାଇଲୋରୁ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାବେଳେ ଗତକାଲି ଏହି ଗ୍ରାମର ସୁଦର୍ଶନ ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେଠାରୁ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ବସନ୍ତ ପାତ୍ର(୫୫)ଙ୍କର ମୃତ୍ୟୁ ହୋଇଛି। ଆଉ ଜଣେ ସନତ ପାତ୍ର(୩୦)ଙ୍କର ଦାନଗଦୀ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଆଜି କନ୍ତର ପଞ୍ଚାୟତ ଜଳନ୍ଦା ଅଞ୍ଚଳର ଜାନକୀ ମଳିକ (୫୫)ଙ୍କର ମୃତ୍ୟୁ ହୋଇଛି। ସେହିପରି ବଡ଼ଚଣା ବ୍ଲକ୍‌ ସମିଆଁ ପଞ୍ଚାୟତ କଳକଳା ଗାଁର ମଦନମୋହନ ନାୟକ (୨୮) ଓ ଶାଳପଡ଼ା ପଞ୍ଚାୟତ ତିଳପଦା ଗାଁର ବିରଞ୍ଚି ମଲ୍ଲିକ(୨୬)ଙ୍କ ମୃତ୍ୟୁ ହୋଇଛି। ଗତକାଲି ଉଭୟଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବଡ଼ଚଣା ବ୍ଲକ୍‌ରୁ ୨୦ରୁ ଅଧିକ ଆକ୍ରାନ୍ତ ବଡ଼ଚଣା ଡାକ୍ତରଖାନାକୁ ଆସିଥିଲେ। ସେଠାରୁ କିଛି ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଯାଜପୁରରେ ଡାଇରିଆ ଅଣାୟତ୍ତ
ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଏସ୍‌ସିବି ଟିମ୍‌

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲରେ ଝାଡ଼ାବାନ୍ତି ଏବଂ ଡାଇରିଆ ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଛି। ଶଯ୍ୟା ଅଭାବରୁ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଛନ୍ତି। ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ରୋଗୀଙ୍କ ଚିକିତ୍ସା ସେବା ତଦାରଖ କରିଛନ୍ତି। ଏଠାରେ ପଡ଼ୋଶୀ ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ରୋଗୀ ଭର୍ତ୍ତି ହୋଇଛନ୍ତି। ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ୧୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଅଧିକ, ଯାଜପୁରରୋଡ୍‌ ଡାକ୍ତରଖାନାରେ ଆଜି ୬୫ଜଣ ଚିକିତ୍ସାଧୀନ ରହିଛନ୍ତି। ଦାନଗଦୀ ଡାକ୍ତରଖାନାରେ ୭୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣଙ୍କୁ କଟକ ଓ ୧୪ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ଓ କଟକ ବଡ ଡାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ଡାକ୍ତରଖାନାକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟା ଯାଞ୍ଚ କରୁଥିବା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ଅଞ୍ଚଳକୁ ଯାଇ ଝାଡ଼ାବାନ୍ତି ବ୍ୟାପିବାର ପ୍ରକୃତ କାରଣ ଖୋଜୁଛନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଆଜି ଯାଜପୁର ଆସି ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଯାଜପୁର ଜିଲ୍ଲାରେ ଏଯାଏଁ ଡାଇରିଆ ସ୍ଥିତି ନିୟନ୍ତ୍ରଣକୁ ଆସିନି। ତେବେ ଯେଉଁମାନଙ୍କର ଡାଇରିଆ କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ‌ଆସିଛି, ତା’ ଉପରେ ପ୍ରକୃତ କାରଣ ଅନୁଧ୍ୟାନ କରାଯାଉଛି। ଖାଦ୍ୟରେ ବିଷକ୍ରିୟା କିମ୍ବା ଦୂଷିତ ପାନୀୟଜଳ ବ୍ୟବହାର ଯୋଗୁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି। ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଆରଡିସି ଭି. ପରମେଶ୍ବରନ୍‌ ମଧ୍ୟ ଯାଜପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ବଳ କହିଛନ୍ତି ଯେ ଏଯାଏଁ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ସ୍ଥିତିକୁ ସାମନା କରିବା ପାଇଁ ସହାୟତା ମଗାଯାଇଛି। ଆତଙ୍କିତ ନ ହୋଇ ଖାଦ୍ୟ ଓ ପାନୀୟ ଜଳ ଗ୍ରହଣ ଉପରେ ଯତ୍ନବାନ ହେବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।