ଭବାନୀପାଟଣା/ ଥୁଆମୁଳ ରାମପୁର, ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଳା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଓ କିଆପଦର ପଞ୍ଚାୟତରେ ଝାଡ଼ାବାନ୍ତିରେ ଶୁକ୍ରବାର ୨ ଜଣ ପ୍ରାଣ ହରାଇଛନ୍ତି। ମୃତକ ଦୁଇ ଜଣ ହେଲେ କର୍ଲାପାଟ ପଞ୍ଚାୟତ ସେମେଲପଦରର ବିଜୟ ମାଝୀ (୩୫) ଓ କିଆପଦର ପଞ୍ଚାୟତ ତେନ୍ତୁଳିପଦର ଗାୀଁ କାଳିଆ ମାଝୀ (୩୫)। ଅନ୍ୟ ଦୁଇ ଆକ୍ରାନ୍ତ ତେନ୍ତୁଲିପଦର ଗାଁର ପୁଷ୍ପା ମାଝୀ(୧୬) ଓ ହାଡଖୁର୍ସି ଗାଁର ଘାସି ମାଝୀ(୬୦) ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଅନ୍ୟପକ୍ଷରେ ଏହି ଦୁଇ ଗାଁରେ ମ୍ୟାଲେରିଆ ପ୍ରାଦୁର୍ଭାବ ଦେଖାଦେଇଛି। ୧୪ ଶିଶୁଙ୍କ ସମେତ ୨୧ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ସେମେଲପଦରର ମ୍ୟାଲେରିଆ ଆକ୍ରାନ୍ତମାନେ ହେଲେ, ଅନନ୍ତ ମାଝୀ(୪), ଜୟମତୀ ମାଝୀ(୭), କାନ୍ତା ମାଝୀ(୬), ରାମଦେଇ ମାଝୀ(୩୦), ସଞ୍ଜୀବ ମାଝୀ(୫), ମୀତା ମାଝୀ(୫), କାଞ୍ଚନ ମାଝୀ(୯ମାସ), ସାଏବନୀ ମାଝୀ(୨୮), ପାଲାଙ୍ଗସିଂ ମାଝୀ(୬୦), ମନିଷା ମାଝୀ(୩), ପୂଜା ମାଝୀ(୭), ହାଡିଙ୍ଗ ମାଝୀ (୩୫), ବିନତି ମାଝୀ (୭), ଜେମା ମାଝୀ (୪୦), ପ୍ରମିଳା ମାଝୀ (୭) ଏବଂ ତେନ୍ତୁଳିପଦର ଗାଁର ମ୍ୟାଲେରିଆ ଆକ୍ରାନ୍ତମାନେ ହେଲେ ରାଇମତି ମାଝୀ (୬୫) , ସୁଶାନ୍ତ ମାଝୀ (୧୧), ସୂରଜ ମାଝୀ (୭), ପଦ୍ମା ମାଝୀ (୧୦)।
ସ୍ଥିତି ଗମ୍ଭୀର ଆଡକୁ ଗତି କରୁଥିଲେ ହେଁ, ରାଜ୍ୟ ସରକାର ଡାଇରିଆ ଜନିତ ମୃତ୍ୟୁକୁ ମାନିବାକୁ ନାରାଜ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କହି ସରକାର ଫାଙ୍କି ଦେବାକୁ ବସିଛନ୍ତି।
ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା. ବ୍ରଜ କିଶୋର ବ୍ରହ୍ମା କହିଛନ୍ତି, ଗତ ୧୬ ତାରିଖରେ ତେନ୍ତୁଳିପଦା ଗାଁର ଜଣେ ବ୍ୟକ୍ତିଙ୍କ ଡାଇରିଆରେ ମୃତ୍ୟୁ ହୋଇଛି। ଅନ୍ୟ କେହି ଡାଇରିଆରେ ପ୍ରାଣ ହରାଇ ନାହାନ୍ତି। ସ୍ଥାନୀୟ ଜିଲ୍ଲାରେ ୬୦ ହଜାର ଓଆରଏସ୍ ରହିଥିବା ବେଳେ ସବୁ ବ୍ଲକ୍କୁ ଓଆରଏସ୍ ବଣ୍ଟନ କରାଯାଇଛି। ଏହାସହ ୧ଲକ୍ଷ ହାଲୋଜେନ୍ ବଟିକା ମହଜୁଦ୍ ରଖାଯାଇଛି।
ଚଳିତବର୍ଷ ଆରମ୍ଭରୁ ସବୁ ଜିଲ୍ଲାକୁ ବନ୍ୟା ଓ ଏହାର ପରବର୍ତୀ ସମସ୍ୟାର ମୁକାବିଲା କରିବା ପାଇଁ ଚିଠି ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲାରେ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ଗଠନ ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କଣ୍ଟ୍ରୋଲ ରୁମ୍ ଖୋଲିବା ସହିତ ଆବଶ୍ୟକ ପରିମାରଣର ଓଆରଏସ୍, ଡାଇରିଆ ଔଷଧ, ହାଲୋଜେନ୍ ବଟିକା ଓ ବ୍ଲିଚିଂ ପାଉଡର ରଖିବା ପାଇଁ କୁହାଯାଇଛି। ଏପରିକି ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ମଧ୍ୟ ଏହାକୁ ମହଜୁଦ୍ ରଖିବା ପାଇଁ କୁହାଯାଇଛି। ‘ନିରାମୟ’ ଯୋଜନାରେ ଯଦି କୌଣସି ଔଷଧ ଉପଲବ୍ଧ ନ ହୁଏ ତେବେ ସ୍ଥାନୀୟ ଜିଲ୍ଲା େଓ୍ଵାରହାଉସ୍ରେ ଥିବା ଫାର୍ମାସିଷ୍ଟ ଏଥିପାଇଁ ଆବଶ୍ୟକ ଔଷଧ ସଂପର୍କରେ ଲେଖିବା ପରେ ହସ୍ପିଟାଲ କର୍ତୃପକ୍ଷ କିଣି ପାରିବେ ବୋଲି ଡା.ବ୍ରହ୍ମା କହିଛନ୍ତି।
ଅପରପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଡାକ୍ତରଖାନାରେ ‘ନିରାମୟ’ ଯୋଜନାରେ ମାଗଣା ଔଷଧ ଦିଆଯାଉଥିଲେ ହେଁ ଗତ ୭ମାସ ଧରି ଓଆରଏସ୍ ମିଳୁନାହିଁ। ରାଜ୍ୟରେ ଓଆରଏସ୍ ଯୋଗାଇବା ପାଇଁ ଗତବର୍ଷ ରାଜ୍ୟ ଔଷଧ ନିଗମ ପକ୍ଷରୁ ଟେଣ୍ଡର କରାଯାଇଥିବା ବେଳେ ଏହାକୁ ଯୋଗାଉଥିବା କମ୍ପାନିର କେତେକ ନମୁନା ନିମ୍ନମାନର ଆସିଥିଲା। ପରେ ନିଗମ ଟେଣ୍ଡର ବାତିଲ କରି ଏହାକୁ ଆଉ ଥରେ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଏହି ସମୟରେ ଓଆରଏସ୍କୁ ଇପିଏମ୍ ରେଟ୍ କଣ୍ଟ୍ରାକ୍ଟ ଜରିଆରେ କିଣିବା ପାଇଁ ନିଗମକୁ ଚିଠି ଦିଆଯାଇଥିଲା। ମାତ୍ର ଏହାର ଇପିଏମ୍ ରେଟ୍ କଣ୍ଟ୍ରାକ୍ଟ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ଫଳରେ ନିଗମ ଏ ପର୍ଯ୍ୟନ୍ତ ଓଆରଏସ୍ କିଣିପାରୁ ନ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/SBPHO18-bpt-photo-of-semelpadar-village.jpg)