ଭୁବନେଶ୍ବର/ଯାଜପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାଇରିଆ ସ୍ଥିତି ଉଦ୍‌ବେଗଜନକ ହେଲାଣି। ବିଶେଷ କରି ଯାଜପୁର ଜିଲ୍ଲାରେ ୧୧ ହଇଜା ରୋଗୀ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୫୧୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତା’ର କାରଣ ଖୋଜା ଆରମ୍ଭ ହୋଇଛି। ସେପଟେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଜି ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ (ଏନ୍‌ଏଚ୍‌ଏମ୍‌)ର ନିର୍ଦ୍ଦେଶକ ଡ. ବୃନ୍ଦା ଡି ଯାଜପୁର ଆସି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ସ୍ବତନ୍ତ୍ର ସଚିବ ଡା. ବିଜୟ କୁମାର ମହାପାତ୍ର, ଅତିରିକ୍ତ ଡିଏମ୍‌ଇଟି, ସ୍ବାସ୍ଥ୍ୟ ବିଶେଷଜ୍ଞ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ)ର ପ୍ରତିନିଧି ମିଳିତ ଭାବେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ପ୍ରଥମେ ଏହି ଟିମ୍‌ ଧର୍ମଶାଳା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଝାଡ଼ାବାନ୍ତି ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ଯାଜପୁରରେ ହୋଇଥିବା ଭୟଙ୍କର ଡାଇରିଆ ଏବେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମାଡ଼ିବାରେ ଲାଗିଛି। ଭଦ୍ରକ, କଟକ ଜିଲ୍ଲାର କିଛି ଅଞ୍ଚଳରେ ଡାଇରିଆ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। 

Advertisment

ଭୋଜିଭାତ ଉପରେ କଟକଣା
ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ଟିମ୍
ସ୍ଥିତି ପରଖିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ

ସରକାରୀ ସୂଚନା ଅନୁସାରେ, ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଭର୍ତ୍ତି ସଂଖ୍ୟା ବହୁ ପରିମାଣରେ କମିଛି। ନୂଆ ଅଞ୍ଚଳରେ ହଇଜା ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ। ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ମେଡିକାଲରେ ଭର୍ତ୍ତି ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଭଦ୍ରକ ଓ କଟକ ଜିଲ୍ଲାରେ କାଁଭାଁ କେତେକ ଘଟଣା ଘଟିଥିଲେ ମଧ୍ୟ ତାହା ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବାସ୍ଥ୍ୟ ଟିମ୍, ରାପିଡ୍ ଆକ୍ସନ୍‌ ଟିମ୍ , ଜନସ୍ୱାସ୍ଥ୍ୟ ଟିମ୍‌କୁ ନେଇ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ତୃଣମୂଳସ୍ତରୀୟ କର୍ମଚାରୀମାନେ ମଧ୍ୟ ପୂର୍ଣ୍ଣ ସଜାଗ ଅଛନ୍ତି। ସେପଟେ ଡାଇରିଆ ଓ ହଇଜା ସ୍ଥିତିକୁ ଦେଖି କୌଣସି ସ୍ଥାନରେ ଭୋଜିଭାତ ଆୟୋଜନ ନ କରିବାକୁ ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ମାର୍ଗଦର୍ଶିକା ଜାରି କରିଛନ୍ତି। ବିଭିନ୍ନ ସ୍ଥାନରେ ହୋଟେଲ, ଜଳଖିଆ, ମିଠା ଦୋକାନ ଓ ଉଠାଦୋକାନରେ ଚଢ଼ଉ କରାଯାଇ ବାସି ଖାଦ୍ୟପଦାର୍ଥ ନଷ୍ଟ କରାଯିବା ସହ ଦୋକାନ ସିଲ୍‌ କରାଯାଇଛି।   

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ଯାଜପୁର ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୫୧୬ ଜଣ ଡାଇରିଆ ଆକ୍ରାନ୍ତ ଆଡ୍‌ମିସନ୍‌ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ୨୧୦ ଜଣଙ୍କର ଚିକିତ୍ସା ଚାଲିଛି। ଧର୍ମଶାଳା, କୋରେଇ ଆଦି ଅଞ୍ଚଳରୁ ରୋଗୀଙ୍କ ସଂଖ୍ୟା କମିଛି। ଶୁକ୍ରବାର ୪୧ଟି ନମୁନା ଆଇସିଏମ୍‌ଆର୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୧୧ଟି ହଇଜା ପଜିଟିଭ ରିପୋର୍ଟ ଆସିଛି। ହଇଜା ଚିହ୍ନଟ ହୋଇଥିବା ୧୧ଜଣ ‌ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ କେହି ଭୟଭୀତ ହେବାର କାରଣ ନାହିଁ। ଡବ୍ଲୁଏଚ୍‌ଓ, ଆଇସିଏମ୍‌ଆର ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଟିମ୍ ଆସିଥିଲେ। ଆଉ ନୂଆ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ଡା.ମିଶ୍ର କହିଛନ୍ତି।

asasxzzxzx

ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଟିମ୍‌ରେ ଆଞ୍ଚଳିକ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଡାକ୍ତର ନୀଲମ୍ ସୋମାଲକର, ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ପ୍ରଫେସର ଡାକ୍ତର ଶିବାନୀ ଲାହିରି, ଏମ୍‌ସ ଭୁବନେଶ୍ବରର ମାଇକ୍ରୋଲୋଜିଷ୍ଟ ପ୍ରଫେସର ଡାକ୍ତର ସୃଜନ ମହାନ୍ତି, ଶିଶୁରୋଗ ପ୍ରଫେସର ଡାକ୍ତର ଭାଗିରଥୀ ଦ୍ୱିବେଦୀ, କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଅଧିକାରୀ ଡାକ୍ତର ସତ୍ୟଜିତ ସୁବୁଦ୍ଧି, କୋଲକାତାସ୍ଥିତ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରେମଜିତ୍ ଘୋଷ ଓ ଡାକ୍ତର ଗୌତମ ଚୌଧୁରୀ ପ୍ରମୁଖ ଅଛନ୍ତି। ସେହିପରି ଖାଦ୍ୟ ନିରାପତ୍ତାର ୩ଜଣିଆ ଟିମ୍‌ରେ ୧୪ଜଣ ସଦସ୍ୟ ରହିଛନ୍ତି। କୋଲକାତାସ୍ଥିତ ଜାତୀୟ ଖାଦ୍ୟ ଗବେଷଣାଗାରର ଡାକ୍ତର ଗୀତାଞ୍ଜଳି ଶର୍ମା, ବୈଷୟିକ ଅଧିକାରୀ ମିସ ନୟନା, ଏଫ୍‌ଏସ୍‌ଏସ୍‌ଏଆଇର ପୂର୍ବାଞ୍ଚଳ ଉପନିର୍ଦ୍ଦେଶକ ଡାକ୍ତର ଶଶିକାନ୍ତ ଭୂୟାଁ ପ୍ରମୁଖ ସଦସ୍ୟ ଅଛନ୍ତି। ଏହାସହ ନିର୍ଦ୍ଦେଶକ ସ୍ବିଟି ବେହେରା, ସହନିର୍ଦ୍ଦେଶକ ସୋନିକା ବର୍ମା, ସହନିର୍ଦ୍ଦେଶକ ପ୍ରସନ୍ନ ସିଂହ ଓ ଉତ୍ତରାଞ୍ଚଳ କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଅଧିକାରୀ ନନ୍ଦିତା ଦାସ ସଦସ୍ୟ ଅଛନ୍ତି। ଏହି କମିଟି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜନସ୍ୱାସ୍ଥ୍ୟ ସ୍ଥିତି ପରଖିବା ସହ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ କ୍ଷେତ୍ରସ୍ତରୀୟ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ। ବିଭିନ୍ନ ସ୍ଥାନରେ ପାନୀୟଜଳ ବିଶୋଧନ କରାଯାଉଥିବା ବେଳେ ପ୍ରତ୍ୟେକ ଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସଚେତନ କରୁଛନ୍ତି। ଯଦି କେହି ଆକ୍ରାନ୍ତ ଥାଆନ୍ତି, ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟ ଅଣାଯିବାର ବ୍ୟବସ୍ଥା କରାଯାଉଛି। ସଂପ୍ରତି ରଜ ଉତ୍ସବ ଚାଲିଥିବା ଏବଂ ପିଠାପଣା, ଭୋଜିଭାତ ହେଉଥିବାରୁ ଏଥିପ୍ରତି ସତର୍କ ରହିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବାଙ୍କୀରେ ୩୦ରୁ ଅଧିକ ପୀଡ଼ିତ

କଟକ/ବାଙ୍କୀ: ଯାଜପୁର, ଭଦ୍ରକ, କେନ୍ଦୁଝର ପରେ ଏବେ କଟକ ଜିଲ୍ଲାକୁ ବ୍ୟାପିଛି ଡାଇରିଆ। ଜିଲ୍ଲାର ବାଙ୍କୀ ବ୍ଲକ୍‌ ଅନ୍ତର୍ଗତ ଘୋଳପୁର ଗାଁରେ ଝାଡ଼ାବାନ୍ତିରେ ୩୦ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଆଠଗଡ଼, ତିଗିରିଆ ସମେତ ଭୁବନେଶ୍ବରର ବିଭିନ୍ନ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ୨ ଜଣ ଗୁରୁତର ଆକ୍ରାନ୍ତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କଟକ ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୩ ଜଣିଆ ଡାକ୍ତରୀ ଟିମ୍‌, ଆଶା, ଅଙ୍ଗନବାଡ଼ି କର୍ମୀ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ୧୮ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରିଛନ୍ତି। ତିନିଟି ସ୍ଥାନରୁ ଗ୍ରାମବାସୀ ପିଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଡାକ୍ତରୀ ଦଳ ଘରଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ଓଆର୍‌ଏସ, ହାଲୋଜେନ୍‌ ବଟିକା ଓ ଔଷଧ ଦେଇଛନ୍ତି। ସେପଟେ ଦୂଷିତ ପାଣି ବ୍ୟବହାର କାରଣରୁ ଡାଇରିଆ ବ୍ୟାପିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକ ସମୟରେ ଡ୍ରେନ୍‌ ସଫା କରାଯାଉ ନଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। 

zxzddcc

ସିଏଚ୍‌ଓ ବୁଲ୍‌ବୁଲ୍‌ ବେଗମ୍‌, ସ୍ବାସ୍ଥ୍ୟ ପରିଦର୍ଶକ ମୋହନ ଚରଣ ସାହୁ, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଅ‌ମରେଶ ସାହୁ, ମେଡିକାଲ ଅଫିସର ମିଲନ ତ୍ରିପାଠୀ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାନଭଞ୍ଜନ ଦଳେଇ, ମାଇକ୍ରୋବାୟୋଲୋଜିଷ୍ଟ, ଏପିଡେମୋଲୋଜିଷ୍ଟ ପ୍ରମୁଖ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରିଛନ୍ତି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଭାରପ୍ରାପ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲୋକନାଥ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ପଡ଼ୋଶୀ ଜିଲ୍ଲା ଯାଜପୁରରେ ଡାଇରିଆ ବ୍ୟାପିଥିବାରୁ କଟକକୁ ହାଇଆଲର୍ଟରେ ରଖାଯାଇଛି। କୌଣସି ସ୍ଥାନରୁ ଝାଡ଼ାବାନ୍ତି ସଂପର୍କିତ କିଛି ବି ରିପୋର୍ଟ ଆସିଲେ ତୁରନ୍ତ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଜିଲ୍ଲାପାଳ ସିଡିଏମ୍‌ଓ, ସମସ୍ତ ମେଡିକାଲ ଅଫିସର, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର, ସିଡିଏମ୍‌ଓ ଡାକ୍ତର ପ୍ରଶାନ୍ତ କୁମାର ହୋତାଙ୍କ ସମେତ ସମସ୍ତ ମେଡିକାଲ ଅଫିସର, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବରୁ କଟକ ମଙ୍ଗଳାବାଗ ଅଞ୍ଚଳର ଶିବ ଦାସ(୫୦)ଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିଲା।

ବରଗଡ଼ କୁଆପାଲିରେ ୭୦ ଅସୁସ୍ଥ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ କୁଆପାଲି ଗାଁରେ ପ୍ରାୟ ୭୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଶୁକ୍ରବାର ଉକ୍ତ ଗାଁରେ ଏକ ଗଙ୍ଗାଶ୍ରାଦ୍ଧ ଭୋଜି ହୋଇଥିଲା। ଏଥିରେ ଗ୍ରାମବାସୀ ଉପସ୍ଥିତ ରହି ଭୋଜି ଖାଇଥିଲେ। ସନ୍ଧ୍ୟାବେଳେ କିଛି ଲୋକଙ୍କ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଖବର ପାଇ ଆର୍‌ବିଏସ୍‌କେ ଡାକ୍ତର ସୁଦୀପ୍ତ ସାହୁ, ସିଏଚ୍‌ଓ ରମି ରଶ୍ମିତା, ଏଏନ୍‌ଏମ୍‌ ଖୁଦେଶ୍ୱରୀ ପଧାନ, ସତ୍ୟଭୂଷଣ ସାହୁ, ସମୀର ଭୋଇ, ଅଶୋକ ବନ୍‌ଛୋର ପ୍ରମୁଖ କୁଆପାଲିରେ ପହଞ୍ଚିଥିଲେ। ସେମାନେ ଆଶାକର୍ମୀ କନକଲତା ବରିହା, ଅଙ୍ଗନବାଡ଼ି କର୍ମୀ ସବିତା ସିଦାରଙ୍କ ସହ ଘରଘର ବୁଲି ଚିକିତ୍ସା ଆରମ୍ଭ କରିଥିଲେ। ଗୁରୁତର ୧୭ ଜଣଙ୍କୁ ରାତିରେ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି। ସିଡିଏମ୍‌ଓ ଡା. କୁବେର ଚନ୍ଦ୍ର ମହନ୍ତ, ଡା. ଶୁଭ୍ରପ୍ରକାଶ ସେନାପତି, ଡା. ସତୀଶ ନାୟକ, ଡା. ଆଲିଶା ପ୍ରଧାନ, ଡା. ଅଜିତ ମେହେର, ତେଜଭାନୁ ସାହୁ ପ୍ରମୁଖ ୧୬୧ ପରିବାରକୁ ଔଷଧ ବଣ୍ଟନ କରିଛନ୍ତି। ଏଥିସହ ଗରମ ପାଣି ପିଇବା, ହାଲୋଜେନ୍ ବଟିକାକୁ ପାଣିରେ ପକାଇବା, ବାସି ଖାଦ୍ୟ ନ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ଓ ଭୋଜିଖାଦ୍ୟର ନମୁନା ଭୁବନେଶ୍ବର ପଠାଯାଇଛି। ଭୋଜିକୁ ଆସିଥିବା ଡୁଙ୍ଗୁରିପାଲି, ଭଗତପୁର ଓ ବନମାଳ ଗାଁର ୩ ଜଣ ଲେଖାଏଁ ଅସୁସ୍ଥ ହୋଇପଡ଼ିଥିଲେ। ଉକ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସିଡିଏମ୍‌ଓ ପରିଦର୍ଶନ କରିଛନ୍ତି। କୁଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ୮ ଦିନ କ୍ୟାମ୍ପ ଚାଲିବ ବୋଲି ଡା. ସେନାପତି କହିଛନ୍ତି।