ବ୍ରହ୍ମପୁର / କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲାରେ ବ୍ୟାପିଛି ଝାଡ଼ାବାନ୍ତି। ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଠି ଗ୍ରାମରେ ବହୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଆର୍ଡବ୍ଲୁଏସ୍ଏସ୍ ବିଭାଗ ତରଫରୁ ଗାଁକୁ ଯୋଗାଣ ହେଉଥିବା ପାଇପ୍ ପାଣି ବ୍ୟବହାର ପରେ ବହୁ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବର ପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଲାଠି ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛି। ସାମୟିକ ଭାବେ ଗାଁକୁ ପାଇପ୍ ପାଣି ଯୋଗାଣ ବନ୍ଦ କରାଯାଇଥିବା ଏଡିଏମ୍ଓ ଡା. ଆର୍. ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଦିଗପହଣ୍ଡି ବ୍ଲକ୍ର ଭୀଷ୍ମଗିରିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଖବର ଆସିବା ପରେ ସେଠାକୁ ମଧ୍ୟ ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ସେ ସୂଚନା ଦେଇଛନ୍ତି।
ଲାଠି ଗାଁର କିଛି ଲୋକ ଗତ ୧ତାରିଖରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗାଁର ବିଭିନ୍ନ ସାହିକୁ ଝାଡ଼ାବାନ୍ତି ବ୍ୟାପିଥିଲା। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଲାଠି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ରୋଗୀଙ୍କ ଚିକିତ୍ସା କରିଥିଲା। ଗତ ୧ତାରିଖରୁ ଆଜି ପର୍ଯ୍ୟନ୍ତ ୩୭ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡା. ପଟ୍ଟନାୟକ କହିଛନ୍ତି। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଛନ୍ତି। ଆର୍ଡବ୍ଲୁଏସ୍ଏସ୍ ବିଭାଗ ପକ୍ଷରୁ ଲାଠି ଗାଁର ବିଭିନ୍ନ ଘରକୁ ପାଇପ୍ ଯୋଗେ ପାଣି ଯୋଗାଣ ହେଉଛି। ବିଭିନ୍ନ ସ୍ଥାନରେ ପାଇପ୍ ଫାଟିବାରୁ ପାଣି ପ୍ରଦୂଷିତ ହେଉଛି। ସେହି ପାଣି ବ୍ୟବହାର କରିବା ଦ୍ବାରା ଛାଡ଼ାବାନ୍ତି ବ୍ୟାପିଥିବା ଡା. ପଟ୍ଟନାୟକ କହିଛନ୍ତି। ପାଇପ୍ ପାଣି ବନ୍ଦ କରି ଟ୍ୟାଙ୍କର ଯୋଗେ ଲାଠି ଗାଁକୁ ଜଳ ଯୋଗାଣ କରାଯାଉଛି। ଅନ୍ୟପଟେ ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ମଧ୍ୟ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ଆସିଛି। ସଂଧ୍ୟା ସୁଦ୍ଧା ମିଳିଥିବା ଖବର ଅନୁସାରେ ଭୀଷ୍ମଗିରିରେ ମୋଟ ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ରୋଗୀଙ୍କୁ ମେଡିକାଲରେ ଚିକିତ୍ସା ପରେ ଆବଶ୍ୟକ ଔଷଧ ଦିଆଯାଇଛି।