କୋରାପୁଟ/ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବ୍ୟାପିଲା ଡାଇରିଆ। କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗୁଣ୍ଠାପୁଟ ଗାଁର ୧୧ଜଣ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି। ତୀର୍ଥଯାତ୍ରାରୁ ଫେରିବା ପରେ ସମସ୍ତେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚିଛି। ପରିସ୍ଥିତି ଅନୁଧ୍ୟାନ କରିବା ପରେ ଗାଁ ପରିବେଶ ପରିଷ୍କାର ରଖିବାକୁ ଗୁରୁତ୍ବ ଦେଇଛନ୍ତି। ଡାଇରିଆ ବ୍ୟାପିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। ଗୁଣ୍ଠାପୁଟ ଗାଁର ୮ ପରିବାରର ୨୮ ସଦସ୍ୟ ଚଳିତମାସ ୧ତାରିଖରେ ଅଯୋଧ୍ୟା ବୁଲିବା ପାଇଁ ଯାଇଥିଲେ। ଦର୍ଶନ କରି ଆଜି ସକାଳେ ସମସ୍ତେ ଗାଁରେ ପହଞ୍ଚିଥିଲେ। କିଛି ଘଣ୍ଟା ପରେ ୧୧ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିଥିଲା।

Advertisment

ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବା କିଛି ଆକ୍ରାନ୍ତଙ୍କୁ ତୁରନ୍ତ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଅନ୍ୟମାନଙ୍କର ଚିକିତ୍ସା ଗାଁରେ ହିଁ କରିଥିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌। ଆକ୍ରାନ୍ତମାନେ ପାଖାପାଖି ଦୁଇ ସପ୍ତାହ ଧରି ବାହାରେ ରହିଥିଲେ। ପାଣିପାଗରେ ହୋଇଥିବା ପରିବର୍ତ୍ତନ ସହ ବାହାର ଖାଦ୍ୟ ଏବଂ ପାନୀୟ ଯୋଗୁ ଏମାନେ ଡାଇରିଆରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ସେହିପରି ତିନି ଦିନ ତଳେ ସୁବାଇ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗୁଡ଼ା ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ଗୁଣ୍ଠାପୁଟ ଗାଁ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ରହିଛି ଗୌଡ଼ଗୁଡ଼ା ଗାଁ। ଏହି କାରଣରୁ ଗ୍ରାମବାସୀ ବ୍ୟବହାର କରୁଥିବା ପାଣି ଦୂଷିତ ହୋଇଥିବା ସନ୍ଦେହ କରାଯାଉଛି।

ବର୍ତ୍ତମାନ ପରିସ୍ଥିତି କିଭଳି ନିୟନ୍ତ୍ରଣାଧୀନ ରହିବ ତାହାକୁ ପ୍ରାଥମିକତା ଦେଇଛି ସ୍ବାସ୍ଥ୍ୟ ଟିମ୍‌। ଡାଇରିଆ ବ୍ୟାପିବାର କାରଣ ଖୋଜାଯିବ ବୋଲି ଟିମ୍‌ ପକ୍ଷରୁ କୁହାଯାଇଛି। ତେବେ ଚିନ୍ତାର ବିଷୟ ହେଲା ବର୍ଷା ଦିନ ଆରମ୍ଭ ହେବା ପୂର୍ବରୁ କୋରାପୁଟ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିଛି। ବର୍ଷା ବଢ଼ିଲେ ସ୍ଥିତି ଅଧିକ ଗମ୍ଭୀର ହେବାର ସମ୍ଭାବନା ରହିଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନେବାକୁ ଦାବି ହୋଇଛି।