କଲ୍ୟାଣସିଂହପୁରକୁ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୦ ଆକ୍ରାନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କଲେରା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ପାଇଁ ଏହାର ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ କଲ୍ୟାଣସିଂହପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ୪ଦିନ ତଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ ଜଣ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗାଁର ଅଭିନ କାଲାଟିଆ(୨୭) ବୋଲି ଜଣା ପଡ଼ିଛି।

ସୂଚନା ଅନୁଯାୟୀ, ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀନଗର ଗ୍ରାମର ଅଭିନ କାଲାଟିଆଙ୍କୁ ଗତ କିଛି ଦିନ ତଳେ ଝାଡ଼ାବାନ୍ତି ହୋଇଥିଲା। ପ୍ରଥମେ ସେ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ୫ଦିନ ତଳେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଏହାର ଦିନକ ପରେ ଅଭିନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ବ୍ଲକର ଅନ୍ୟ କିଛି ଗାଁରେ ଗତ ଏକ ସପ୍ତାହ ହେଲା କିଛି ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
ହୋଇଥିବା ଜଣା ପଡ଼ିଛି। ଗତ ୨୨ ତାରିଖରେ ବୁଡ଼ାଗୁଡା ପଞ୍ଚାୟତ ଅନ୍ତର୍ଗତ ଗୁର୍ତ୍ତୁଲି ଗ୍ରାମର ଲକି କୁଲେସିକା (୬୦)ଙ୍କୁ ଝାଡାବାନ୍ତି ହେବାରୁ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ ଏହାର ଦିନକ ପରେ ଲକିଙ୍କ ବୋହୂ ବାସନ୍ତୀ କୁଲେସିକା(୨୭) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଶିକରପାଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। କିନ୍ତୁ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେ ସେଠାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।

ସେହିପରି ଗୁର୍ତ୍ତୁଲି ଗ୍ରାମର ପ୍ରାୟ ୭ରୁ ୮ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ସ୍ବାସ୍ଥ୍ୟ‌ ବିଭାଗର ଭ୍ରାମ୍ୟମାଣ ଟିମ୍‌ ଏହ‌ି ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛି। ବର୍ତ୍ତମାନ ଶିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁସୁଘାଟି ଗ୍ରାମର ସାବିତ୍ରୀ ମାଝୀ(୧୨), ଗୁରୁତୁଲି ଗ୍ରାମର ମୁତୁଲି କାଡ୍ରାକା(୬୦), ସଦାନନ୍ଦ ନିସିକା(୨୦), ସନମା ନାୟକ (୪୦), ଭବନ ଗୌଡ଼ (୩୦), ବେଲକଣା ଗ୍ରାମର ଗିରଞ୍ଜଲି ନାୟକ (୧୧), କୃଷ୍ଣନଗର ବିଶ୍ୱନାଥ କାଲକା(୫୦) ଚିକିତ୍ସିତ ହେଉଛନ୍ତି। କିଛି ଦିନ ଧରି ଝାଡ଼ାବାନ୍ତି ଲାଗି ରହିବାରୁ ଏମାନେ ଗତକାଲି ସନ୍ଧ୍ୟାରେ ଶିକରପାଇ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ଘଟିବା ଏବଂ ପ୍ରାୟ ୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜାଣିବା ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ୍‌ଓ ଡା. ମମତା ସାହୁ ଶିକରପାଇ ପ୍ରାଥମିକ ସ୍ଵାସ୍ଥ୍ୟ‌କେନ୍ଦ୍ରରେ ପହଞ୍ଚି ଆକ୍ରାନ୍ତଙ୍କ ସହିତ ଆଲୋଚନା କରିବା ସହିତ ସ୍ୱାସ୍ଥ୍ୟ‌ାବସ୍ଥା ପଚାରି ବୁଝିଥିଲେ। ସେହିପରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ଡା. ଚିନ୍ମୟ ଲିମାଙ୍କ ସହ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସହିତ ଆଲୋଚନା କରିଛନ୍ତି।

କାଶୀପୁର ବ୍ଲକରେ ଦୂଷିତ ପାଣି ଯୋଗୁ କଲେରା ବ୍ୟାପୁଥିବା ବେଳେ ବୁରୁତୁଲୀ ଗ୍ରାମର ନଳକୂପ ଅଚଳ ହେଲେ ଗ୍ରାମବାସୀ କେନାଲର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଦୂଷିତ ପାଣି ପିଇବା ଯୋଗୁ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେଣୁ ନଳକୂପ ମରାମତି କରିବା ସହିତ ଲୋକଙ୍କ ନିକଟରେ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପହଞ୍ଚିବାର ଆବଶ୍ୟକତା ରହିଥିବା ସାଧାରଣରେ ‌ଆଲୋଚନା ହେଉଛି। ଏ ସମ୍ପର୍କରେ ଡା. ଚିନ୍ମୟ ଲିମାଙ୍କ ପଚାରିବାରୁ ଶିକରପାଇ ଓ ବୁଡ଼ାଗୁଡ଼ା ପଞ୍ଚାୟତର କିଛି ଗାଁରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର