ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୬ ଦିନ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳବନ୍ଦି ଅଞ୍ଚଳ ପୋଡ଼ାପଦର ପଞ୍ଚାୟତ ଭିତରଡୁଙ୍ଗା ଗ୍ରାମର ଘାସେନ ମାଝୀ (୬୫)ଙ୍କ ବୁଧବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ଏଥିସହ ଗାଁର ବହୁ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପୂର୍ବତନ ସରପଞ୍ଚ ମଣି ମାଝୀ (୨୮) ଏବଂ ମୃତ ଘାସେନ ମାଝୀଙ୍କ ବୋହୂ ସମାଏ ମାଝୀ (୪୦) ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମଣି ମାଝୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବୋଟ ଅମ୍ବୁଲାନ୍ସ୍ ଯୋଗେ ଜଳଭଣ୍ଡାର ଆରପାରିକୁ ଅଣାଯାଇ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଗମ ଜଳବନ୍ଦି ଅଞ୍ଚଳକୁ ଗମନାଗମନର ସୁବ୍ୟବସ୍ଥା ନଥିବା ବେଳେ ଦେଶୀ ଡଙ୍ଗା ଏବଂ ସରକାରୀ ଯନ୍ତ୍ର ଚାଳିତ ଡଙ୍ଗା ଉପରେ ଲୋକେ ଭରସା କରୁଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ଗୁରୁତ୍ବର ସହ ଘଟଣାକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।