ଦିଗପହଣ୍ଡି/ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉସ୍ତପଲ୍ଲୀ ଗ୍ରାମରେ ଡାଇରିଆ ବ୍ୟାପିଛି। ଗୋଟିଏ ପରିବାରର ୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଦାସ ଶବର (୫୫)। ସେହିପରି ତାଙ୍କ ପରିବାରର ଅନ୍ୟ ତିନିଜଣ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗାଁର ପ୍ରାୟ୧୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତନ୍ମଧ୍ୟରେ ଗୁରୁତର ଥିବା ଦୁଇଜଣଙ୍କୁ ଆଜି ସକାଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

Advertisment

ଗାଁରେ ଝାଡ଼ାବାନ୍ତି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଆଶାଦିଦି ଗାଁରେ ପହଞ୍ଚି ଲୋକଙ୍କୁ ସହଯୋଗ କରିଥିଲେ। ସେ ଆମ୍ବୁଲାନ୍ସ ଡକାଇ ଡାକ୍ତରଖାନାକୁ ଫୋନ୍‌ କରିଥିଲେ। ଗାଁକୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ଖରାପ ଥିବାରୁ ଗାଡ଼ି ଗ୍ରାମ ଭିତରକୁ ଯାଇପାରି ନଥିଲା। ଏଣୁ ଗାଁ ମୁଣ୍ଡରେ ଆମ୍ବୁଲାନ୍ସ ରହିଥିଲା। ଆକ୍ରାନ୍ତଙ୍କୁ ଦୋଳାରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇ ମେଡିକାଲ ପଠାଯାଇଥିଲା। ଏବେ ଗାଁରେ ମେଡିକାଲ ଟିମ୍‌ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ଦିଗପହଣ୍ଡି ବ୍ଲକ୍‌ ମୁଖ୍ୟାଳୟରୁ ପ୍ରାୟ ୨୨ କିମି ଦୂରରେ ରହିଛି ଆଦିବାସୀ ଗାଁ ଉସ୍ତପଲ୍ଲୀ। ଦାସଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

୧୦ରୁ ଅଧିକ ଆକ୍ରାନ୍ତ, ୨ ଏମ୍‌କେସିଜି ସ୍ଥାନାନ୍ତର
ରାସ୍ତା ଖରାପ, ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ
ଦୋଳାରେ ବୁହା ହୋଇ ଆସିଲେ ଆକ୍ରାନ୍ତ

ଆଜି ସକାଳୁ ଆହୁରି କିଛି ଲୋକ ଗୁରୁତର ହେବାରୁ ସ୍ଥାନୀୟ ଆଶାଦିଦି ଗାଁରେ ପହଞ୍ଚିଥିଲେ। ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ଦୁଇଜଣଙ୍କୁ ଦିଗପହଣ୍ଡି ମେଡିକାଲ ନେଇଥିଲା। ପରବର୍ତ୍ତୀ ସମୟରେ ଆଉ ୨ଟି ଆମ୍ବୁଲାନ୍ସ ଗାଁକୁ ଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ଗାଁ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ରହି ଯାଇଥିଲା। ଗ୍ରାମବାସୀ ଏବଂ ସମାଜସେବୀ ମନୋଜ କୁମାର ସାହୁଙ୍କ ସହାୟତାରେ ଅନ୍ୟ ଆକ୍ରାନ୍ତଙ୍କୁ ଦୋଳାରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ଦିଗପହଣ୍ଡି ମେଡିକାଲ ଅଣାଯିବା ପରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ଗୌରୀ ଶବର, କାଳୁ ଶବର, ସୁମିତ୍ରା ଶବର, ସୁବାସ ଶବର, ରାଜେଶ ଶବର, ଶିବାନନ୍ଦ ଶବର, ଦମୟନ୍ତୀ ଶବର, ଅନିତା ଶବର, ପ୍ରିୟଙ୍କା ଶବର ରହିଛନ୍ତି। 

ଅନିତା ଓ ଦାସଙ୍କ ବୋହୂ ଦମୟନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦାସଙ୍କ ପରିବାରର ଅନ୍ୟ ଦୁଇଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ଘଟଣା ପରେ ଗାଁରେ ମେଡିକାଲ ଟିମ୍ ପହଞ୍ଚି ସ୍ଥିତି ତଦାରଖ କରୁଥିବା ବେଳେ ପାନୀୟ ଜଳ ବିଭାଗ କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ, ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଛନ୍ତି। ଏହି ଘଟଣାର ଖବର ପାଇ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମଧ୍ୟ ଦିଗପହଣ୍ଡି ମେଡିକାଲରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କଥା ବୁଝିଛନ୍ତି।