ଯାଜପୁର/ବ୍ୟାସନଗର/ଧର୍ମଶାଳା: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୨୦୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳ, ଦାନଗଦୀ, ଧର୍ମଶାଳା, ରସୁଲପୁର ଓ କୋରେଇ ବ୍ଲକ୍ର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦାନଗଦୀ ଓ ବ୍ୟାସନଗର ଅଞ୍ଚଳର ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରକାଶ ଚନ୍ଦ୍ର ବଳ ଆକ୍ରାନ୍ତଙ୍କୁ ଭେଟିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଶହଶହ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି
ଦାନଗଦୀ ଓ ବ୍ୟାସନଗରରେ ଜଣେ ଲେଖାଏଁ ମୃତ
ବ୍ୟାସନଗର ପୌରାଧ୍ୟକ୍ଷ ବି ଆକ୍ରାନ୍ତ, ମିଳିଲାନି ଶଯ୍ୟା
ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ, ସିଡିଏମ୍ଓ
ଦାନଗଦୀ ବ୍ଲକ୍ ତରାଇଲୋ ଗ୍ରାମର ୩୦ରୁ ଅଧିକ ରୋଗୀ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁଦର୍ଶନ ପାତ୍ର(୬୨)ଙ୍କର ମୃତ୍ୟୁ ହୋଇଛି। ସେହିପରି ବ୍ୟାସନଗରର ତୋଳାରାମ ଶର୍ମା (୬୫)ଙ୍କ ମୃତ୍ୟୁ ଘଟିଛି। କୋରେଇ ବ୍ଲକ୍ ସୁନ୍ଦର ପୋଖରୀର ଅଞ୍ଜନା ଜେନା(୫୮)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ସିଡିଏମ୍ଓ ତାଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା କହିଛନ୍ତି। ଧର୍ମଶାଳା ବ୍ଲକ୍ର ଗୋଡ଼ିପାଟିଆ, ପାଖର, ଗୋପାଳପୁର ଅଞ୍ଚଳରୁ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଡାକ୍ତରଖାନା ଓ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ବ୍ୟାସନଗର ପୌରାଞ୍ଚଳର ଶତାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ବ୍ୟାସନଗର ଡାକ୍ତରଖାନାରେ ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ନଥିବାରୁ କିଛି ରୋଗୀ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କିଛି ରୋଗୀଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଝାଡ଼ାବାନ୍ତି ବ୍ୟାପିବାର ଭିନ୍ନଭିନ୍ନ କାରଣ ରହିଥିବା ଜଣାପଡ଼ିଛି। ବ୍ୟାସନଗର ପୌରାଞ୍ଚଳରେ ପାନୀୟଜଳ କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଧର୍ମଶାଳା, ଚଣ୍ଡିଖୋଲ, ଦାନଗଦୀ ଅଞ୍ଚଳରେ ବିବାହ ଭୋଜି ଓ ଅନ୍ୟାନ୍ୟ କାରଣ ରହିଥିବା ଜଣାପଡ଼ିଛି। ସେହିଭଳି କୋରେଇ ବ୍ଲକ୍ରୁ ୧୮ ଜଣ ଆକ୍ରାନ୍ତ ହେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥିତି ଏପରି ହୋଇଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଝାଡ଼ାବାନ୍ତି ରୋଗୀଙ୍କୁ ଶଯ୍ୟା ମିଳିପାରୁନି।
ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ବଳ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଯାଜପୁରରୋଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଶଯ୍ୟା ଅଭାବରୁ ତାଙ୍କୁ ଏଠାରେ ଚିକିତ୍ସା ସୁବିଧା ମିଳିନଥିବା ଜଣାପଡ଼ିଛି। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ବଳଙ୍କ ସହିତ ଆଲୋଚନା କରିଛନ୍ତି। ସିଡିଏମ୍ଓ ଶ୍ରୀ ବଳଙ୍କ ସମେତ ଯଯାତୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଫେସର ଡ. ପର୍ଶୁରାମ ଜେନା, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୋନମ ସିଲପା ମହାରଣା, ମେଡିସିନ ବିଭାଗର ଡାକ୍ତର ପ୍ରାପ୍ତି ରାଉତ, ଡାକ୍ତର ପ୍ରଭାସ ରଞ୍ଜନ ପଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିବା ସହ ପାଖାପାଖି ୨୦ ଜଣଙ୍କୁ କଟକ ଓ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। କୋରେଇ ବିଧାୟକ ଆକାଶ ଦାସନାୟକ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଯାଜପୁରରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରଞ୍ଜୀବ ରାଉତ, ଡାକ୍ତର ଗୌତମ କୁମାର ସାହୁ, ଡାକ୍ତର ଦେବାଶିଷ ସାହୁଙ୍କ ସହିତ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/11/opvuSVWjgD5sXoxcveV5.jpg)