ପାଟପୁର: ଗଞ୍ଜାମ ଜିଲ୍ଲାର ପ୍ରତି ଗାଁରେ ଏବେ ଝାଡ଼ାବାନ୍ତି ଭୟଙ୍କର ରୂପ ନେଉଛି। ଦିଗପହଣ୍ଡି ଓ ଭଞ୍ଜନଗର ପରେ ସାନଖେମୁଣ୍ଡି ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପିଛି। ଆଦିବାସୀ ପଞ୍ଚାୟତ ଟି.ଗୋବିନ୍ଦପୁର ଅଧୀନ ଦୁର୍ଗମ ଦାମପୁର ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆଜି ମାତ୍ର ୧୫ ମିନିଟ୍ ବ୍ୟବଧାନରେ ସମ୍ବାରୁ ମଲ୍ଲିକ (୬୫) ଓ କାନ୍ଦରା ମଲ୍ଲିକ (୬୦) ପ୍ରାଣ ହରାଇଥିବା ସୂଚନା ମିଳିଛି। ୫ରୁ ଅଧିକ ଆକ୍ରାନ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଦିନ ୧୧ଟାରେ ସମ୍ବାରୁଙ୍କ ଅବସ୍ଥା ସଂକଟାପନ୍ନ ହୋଇ ସେ ନିଜ ଘରେ ହିଁ ପ୍ରାଣ ହରାଇଥିଲେ। କିଛି ସମୟ ପରେ ଗୁରୁତର ଅସୁସ୍ଥ କାନ୍ଦରାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିବା ବେଳେ ସେ ରାସ୍ତାରେ ଆଖି ବୁଜିଦେଇଥିଲେ। ଗ୍ରାମରେ ଦିନକରେ ଦୁଇଜଣଙ୍କ ମୃତ୍ୟୁକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି।
ସୂଚନା ମିଳିବା ପରେ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ବାହନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଦାମପୁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କୂଅ ଓ ପୋଖରୀକୁ ବିଶୋଧନ କରିବା ସହ ବ୍ଲିଚିଂ ପକାଯାଇଛି। ଏହାସହ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ। ଗ୍ରାମବାସୀଙ୍କୁ ହାଲୋଜେନ୍ ବଟିକା ସମେତ ଅନ୍ୟାନ୍ୟ ଔଷଧ ବଣ୍ଟନ କରାଯାଇଛି। ତେବେ ଖାଦ୍ୟ ବିଷାକ୍ତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ଡା. ଦାସ କହିଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ଦୁର୍ଗମ ଦାମପୁର ଗ୍ରାମର ଲୋକେ ଠିକ୍ ସମୟରେ ଜରୁରୀକାଳୀନ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଗାଁଠାରୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୂରତା ପ୍ରାୟ ୨୦ କିଲୋମିଟର ହୋଇଥିବା ବେଳେ ତପ୍ତପାଣି ଘାଟି ଦେଇ ଯିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ୭ କିଲୋମିଟର ଦୂରରେ ଥିବା ପୋଡ଼ାମାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବାରୁ ସମସ୍ୟା ଦ୍ବିଗୁଣିତ ହୋଇଛି। ବର୍ତ୍ତମାନ ବର୍ଷା ଦିନରେ ପ୍ରତି ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଡାକ୍ତର ନଥିବାରୁ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଡେଙ୍ଗାଉସ୍ତା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବି ଡାକ୍ତର ନାହାନ୍ତି।
ଏହା ପୂର୍ବରୁ ଗତ ମେ ୨୯ ତାରିଖରେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ପଞ୍ଚାୟତର ତାଳପୁର ଗ୍ରାମର ଗଙ୍ଗା ନାୟକ (୪୦)ଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆକ୍ରାନ୍ତ ହୋଇଥିଲେ। ସେହିପରି ଚଳିତମାସ ୪ ତାରିଖରେ ଦିଗପହଣ୍ଡି ବ୍ଲକ୍ ଉସ୍ତପଲ୍ଲୀ ଗ୍ରାମରୁ ୩ ଜଣ ଓ ଗତକାଲି ଭଞ୍ଜନଗର ବ୍ଲକ୍ ଗମ୍ଭାରିଗୋଚ୍ଛା ଗ୍ରାମରୁ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ସାମନାକୁ ଆସିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)