ପୁରୀରେ ଝାଡ଼ାବାନ୍ତି ସ୍ଥିତି ଉଦ୍‌ବେଗଜନକ : ୫ ଦିନରେ ଆଇଡିଏଚ୍‌ରେ ୪୦୦ ରୋଗୀ, ଅସ୍ତରଙ୍ଗରେ ତିନି ଦିନ‌ରେ ୩୦୦, ବ୍ରହ୍ମଗିରିରେ ମଲେଣି ଦୁଇ

ପାନୀୟ ଜଳ ବଣ୍ଟନ ବନ୍ଦ କରିଛି ପ୍ରଶାସନ, ପହଞ୍ଚୁନି ମେଡିକାଲ ଟିମ୍

ପୁରୀ : ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲା‌ରେ ଝାଡ଼ାବାନ୍ତି ସ୍ଥିତି ଉଦ୍‌ବେଗଜନକ ରହିଛି। ପ୍ରାୟ ପ୍ରତିଦିନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଝାଡ଼ାବାନ୍ତି ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଛନ୍ତି। ଡାକ୍ତରଖାନାରେ ଯୁଆଡ଼େ ଚାହିଁବ ସବୁଠି ଝାଡ଼ାବାନ୍ତି ରୋଗୀ। ସ୍ଥାନାଭାବରୁ ଅଧିକାଂଶ ରୋଗୀଙ୍କୁ କେବଳ ବର୍ହି ଚିକିତ୍ସା ସୁବିଧା ମିଳୁଛି। ସେପଟେ ଜିଲ୍ଲାରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୁରୀ ପୌରାଞ୍ଚଳ ସମେତ ସଦର ବ୍ଳକ, ବ୍ରହ୍ମଗିରି, କଣାସ, ସତ୍ୟବାଦୀ, ନିମାପଡା ଓ ଅସ୍ତରଙ୍ଗ‌ରେ ସ୍ଥିତି ବେଶ ସଙ୍ଗିନ।

ପୁରୀ ରେଡକ୍ରସ୍‌ ରୋଡ୍‌ସ୍ଥିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର (ଆଇଡିଏଏଚ୍‌)ରେ ଗତ ୫ ଦିନରେ ୪୦୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି। ସେଥିରୁ କେବଳ ପୁରୀ ସହରର ୧୨୪ ଜଣ ରୋଗୀ ଅଛନ୍ତି। ସେହିଭଳି ସଦର ଅଞ୍ଚଳରୁ ୮୩ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଅବଶିଷ୍ଟ ରୋଗୀ ଗ୍ରାମାଞ୍ଚଳରୁ ଆସିଛନ୍ତି। ଆଇଡିଏଚ୍‌ ଚିକିତ୍ସା କେନ୍ଦ୍ରରେ ଆଜି ୪୦ରୁ ଅଧିକ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଅସ୍ତରଙ୍ଗ ବ୍ଲକରେ ଝାଡାବାନ୍ତି ‌ରୋଗୀଙ୍କ ସଂଖ୍ୟା ସର୍ବାଧିକ। ଗତ ତିନି ଦିନରେ ଏଠାରେ ଝାଡାବାନ୍ତି ରୋଗୀଙ୍କ ସଂଖ୍ୟା ୩୦୦ ଟପିଯାଇଛି। ଆଜି ଅସ୍ତରଙ୍ଗ ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ୪୦ ଜଣ ଝାଡାବାନ୍ତି ରୋଗୀ ଚିକିତ୍ସିତ ହୋଇଛନ୍ତି। ବ୍ରହ୍ମଗିରି ବ୍ଲକରେ ମଧ୍ୟ ଝାଡ଼ାବାନ୍ତି ‌‌ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ବ୍ଲକର କହଳପଡା ଗାଁରେ ଗତ ୭ ଓ ୮ ତାରିଖରେ ସନାତନ ଜେନା (୭୨) ଓ ‌ସରୋଜ ଜେନା (୭୦)ଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ଗ୍ରାମର ୪୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ୨୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି।

ପୁରୀ ଆଇଡିଏଚ୍‌ରେ ଚିକିତ୍ସାଧୀନ ଆକ୍ରାନ୍ତମାନେ ଦୂଷିତ ପାନୀୟ ଜଳ ଯୋଗୁ ଝାଡାବାନ୍ତି ହୋଇଥିବା କହିଛନ୍ତି। ବାତ୍ୟା ପରେ ଅଧିକାଂଶ ଜଳ ଉତ୍ସ ପ୍ରଦୂଷିତ ହୋଇପଡ଼ିଛି। ଗଛପତ୍ର ଏବଂ ଆବର୍ଜନା ପଡି ଜଳଉତ୍ସର ପାଣି ପଚିବା ସହ କଳା ପଡିଯାଇଛି। ଏଭଳି ପରିସ୍ଥିତିରେ ପୁରୀ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଶୁଦ୍ଧ ଜଳକୁ ବନ୍ଦ କରି ଦିଆଯାଇଛି। ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ପିଇବା ପାଣି ପାଇଁ ଲୋକେ ଏବେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ଉପୁଜିଛି। ତେଣେ ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଚିକିତ୍ସା ସୁବିଧା ଦିଆଯାଉଛି। ଏଥିସହିତ ଝାଡ଼ାବାନ୍ତି ଅଞ୍ଚଳକୁ ଚିହ୍ନଟ କରାଯାଇ ସେଠାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇଡିଏ ହସ୍ପିଟାଲରୁ ମିଳିଥିବା ସୂଚନା ମୁତାବକ ଆଜି ପୁରୀ ସହରରୁ ୧୪ ଜଣ ରୋଗୀ ଆସିଥିବା ବେଳେ ସଦର ଅଞ୍ଚଳରୁ ୫ ଜଣ ଏବଂ ଅନ୍ୟ ଅଞ୍ଚଳରୁ ୯ ଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସା ପାଇଁ ଆସିଥିଲେ।

ସମ୍ବନ୍ଧିତ ଖବର