ଭଞ୍ଜନଗର: ଚାଲିବାକୁ ବଳ ନାହିଁ। ଆରପାରିରେ ପତ୍ନୀ। ବୟସର ସାୟାହ୍ନରେ ପହଞ୍ଚିଲାଣି ଜୀବନ। ତଥାପି ବାଡ଼ିଟିଏ ଧରି ବହୁ କଷ୍ଟରେ ଚାଲୁଛନ୍ତି। ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହେବା ସହ କାନକୁ ଆଉ ଭଲ ଭାବେ ଶୁଭୁନାହିଁ। ଏଭଳି କଠିନ ସମୟରେ ପୁଅବୋହୂ ବି ସାହା ହେଲେନି। ଘରୁ ବାହାର କରି ଗାଁରେ ଏକୁଟିଆ ଛାଡ଼ିଦେଇ ପଳାଇଲେ। ଆଉ ଏକାକୀ ବଞ୍ଚିବାକୁ ଆଶ୍ରା ଖୋଜୁଥିବା ବୃଦ୍ଧଜଣକ ଶେଷରେ ନିରୁପାୟ ସାଜି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ବ୍ଲକ ଅଧୀନ ପ୍ରତାପୁର ପଞ୍ଚାୟତର ପନ୍ତିଖାରୀ ଗ୍ରାମରେ।
ଦିବାକର ସାହୁ। ବୟସ ପାଖାପାଖି ୯୦ ବର୍ଷ ହୋଇଗଲାଣି। ଉପଜିଲ୍ଲାପାଳଙ୍କ ନିକଟରେ ସେ ଅଭିଯୋଗ କରି କହିଛନ୍ତି, ପୂର୍ବରୁ ସେ ଚାଷ କାମ କରି ଗାଁରେ ରହୁଥିଲେ। ପରିବାର କହିଲେ ପତ୍ନୀ ସହ ୪ ପୁଅ ଓ ଗୋଟିଏ ଝିଅ ଥିଲେ। ବହୁ ବର୍ଷ ତଳେ ଝିଅକୁ ବାହା ଦେଇସାରିଥିବା ବେଳେ ପୁଅମାନେ ବି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ରହି ବ୍ୟବସାୟ ଆରମ୍ଭ କରିଥିଲେ। ଏହାମଧ୍ୟରେ ଦାରିଙ୍ଗବାଡ଼ିରେ ତାଙ୍କର ଗୋଟିଏ ପୁଅ ଶିକ୍ଷକତା କରୁଛି। ପିଲାମାନେ ରୋଜଗାରକ୍ଷମ ହେବା ପରେ ବି ଦିବାକର ପତ୍ନୀଙ୍କ ସହ ଗାଁରେ ରହି ଆସୁଥିଲେ।
ପୈତୃକ ସମ୍ପତ୍ତିକୁ ନେଇ ୪ ପୁଅ ଓ ବୋହୂ ତାଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ଗତ ୨ ବର୍ଷ ତଳେ ପତ୍ନୀ ସୁନ୍ଦରୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଦିବାକର ପୁଅ ମାନଙ୍କ ନିକଟକୁ ଦାରିଙ୍ଗବାଡ଼ି ଯାଇ ରହୁଥିବା ବେଳେ ବୋହୂ ଓ ନାତୁଣୀ ମାନେ ତାଙ୍କୁ ଅକଥନୀୟ ନିର୍ଯାତନା ଆରମ୍ଭ କରିଥିଲେ। ଏପରିକି ଗତ ଦୁଇବର୍ଷ ତଳେ ତାଙ୍କୁ ମାଡ଼ ମରାଯାଇଥିଲା। ଏହାପରେ ସେ ଗ୍ରାମକୁ ଫେରି ଆସିବା ସହ ଏସଂପର୍କରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତବର୍ଷ ଜାନୁଆରି ମାସରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଏକାକୀ ବହୁ କଷ୍ଟରେ ଗାଁରେ ରହୁଥିଲେ। ହେଲେ ଗତ ୪ ମାସ ତଳେ ପୁଅବୋହୂ ଆସି ଭଦ୍ର ଲୋକଙ୍କ ଉପସ୍ଥିତିରେ ଜାଗା ଓ ସୁନା ବିକ୍ରି କରି ଟଙ୍କା ଭାଗ ବାଣ୍ଟି ନେଇଥିଲେ। ଏଥିସହ ତାଙ୍କୁ ମଧ୍ୟ ସାଙ୍ଗରେ ନେଇ ଇରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଗତକାଲି ହଠାତ୍ ତାଙ୍କୁ ଗାଁରେ ଆଣି ଛାଡ଼ି ଦେଇଥିବା ଦିବାକର କହିଛନ୍ତି। ବର୍ତ୍ତମାନ ଗାଁରେ ସେ ସଂପର୍କୀୟଙ୍କ ଭରସାରେ ରହିଛନ୍ତି। ଆଜି ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଗୁହାରି ଜଣାଇଛନ୍ତି।ଅନ୍ୟପକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ କହିଛନ୍ତି, ଦିବାକରଙ୍କ ପୁଅମାନଙ୍କୁ ନୋଟିସ୍ ଦେଇ ଡକାଯିବ। ତଦନ୍ତ କରି ତୁରନ୍ତ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/BNJ-BJ-dibakar-sahu.jpg)