ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗ ଅନୁକୂଳ ପ୍ରସଙ୍ଗ: ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିଲେନି ଶ୍ରୀମନ୍ଦିର ପ୍ରଶାସନ

ଅଦାଲତ ଅବମାନନା ଯାଚିକା ଦାୟର କଲେ ଦିବ୍ୟାଙ୍ଗ ଅଭିନେତା

ପୁରୀ : ଶ୍ରୀମନ୍ଦିରକୁ ଯାଇ ଦିବ୍ୟାଙ୍ଗଙ୍କ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଧିକାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଶ୍ରୀମନ୍ଦିର ପ୍ରଶାସନ ମାନିନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଦିବ୍ୟାଙ୍ଗ ଅଭିନେତା ଜିତେନ୍ଦ୍ର ବିଶ୍ବାଳ ହାଇକୋର୍ଟରେ ଅଦାଲତ ଅବମାନନା ଯାଚିକା ଦାୟର କରିଛନ୍ତି। ଶ୍ରୀ ବିଶ୍ବାଳ ହ୍ବିଲ୍‌ ଚେୟାରରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଧିକାର ହାସଲ ପାଇଁ ଲଢ଼େଇ ଜାରି ରଖିଛନ୍ତି।

କ୍ବାଡ୍ରିପ୍ଲେଜିକ୍‌ ଆକ୍ରାନ୍ତ ଦିବ୍ୟାଙ୍ଗମାନେ ସର୍ବଦା ହ୍ବିଲ୍‌ ଚେୟାର ଉପରେ ନିର୍ଭରଶୀଳ। ଶ୍ରୀମନ୍ଦିର ମଧ୍ୟକୁ ଦର୍ଶନ ପାଇଁ ହ୍ବିଲ୍‌ ଚେୟାରରେ ଯିବାଲାଗି ବନ୍ଦୋବସ୍ତ ହୋଇନାହିଁ। ଫଳରେ, ଇଚ୍ଛା ଥାଇ ମଧ୍ୟ ସେମାନେ ଦର୍ଶନରୁ ବଞ୍ଚିତ ହୋଇ ଆସୁଛନ୍ତି। ଦର୍ଶନ ପାଇଁ ଦିବ୍ୟାଙ୍ଗମାନଙ୍କର ଅଧିକାର ରହିଥିଲେ ହେଁ ସେମାନେ ବଞ୍ଚିତ ହେବାନେଇ କ୍ବାଡ୍ରିପ୍ଲେଜିକ୍‌ ଦିବ୍ୟାଙ୍ଗ ଶ୍ରୀ ବିଶ୍ବାଳ ଗତ ଫେବ୍ରୁଆରି ମାସରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଏବଂ ଭିନ୍ନକ୍ଷମ ଅଧିକାର ଆଇନ ୧୯୧୬ ମୁତାବକ ଏହାକୁ କାର୍ଯ୍ୟକାରୀ କରିବାନେଇ ସେ ପିଟିସନ୍‌ରେ ନିବେଦନ କରିଥିଲେ। ଗତ ଫେବ୍ରୁଆରି ମାସ ୨୮ ତାରିଖରେ ଜଷ୍ଟିସ ବିଶ୍ବନାଥ ରଥ ଏହାର ଶୁଣାଣି କରିଥିଲେ। ସମସ୍ତ ଅଭିଯୋଗର ବିଚାରକରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏକମାସ ମଧ୍ୟରେ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଥିଲା। ଇତିମଧ୍ୟରେ ୪ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଲାଣି। ମାତ୍ର, ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ତେଣୁ ବାଧ୍ୟହୋଇ ଶ୍ରୀ ବିଶ୍ବାଳ ଅଦାଲତ ଅବମାନନା ଯାଚିକା ଦାୟର କରିଛନ୍ତି ବୋଲି କହିଛନ୍ତି।

ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ଏବଂ ସ୍ତମ୍ଭକାର ତେହସିନ ପୁନାୱାଲା ଶ୍ରୀବିଶ୍ବାଳଙ୍କ ଦାବିକୁ ଯଥାର୍ଥ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରିଥିଲେ। କିନ୍ତୁ, ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଚାରକୁ ନିଆଗଲା ନାହିଁ। ତେଣୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଶ୍ରୀ ବିଶ୍ବାଳ କହିଛନ୍ତି।

ସମ୍ବନ୍ଧିତ ଖବର