‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହେବ ଦିବ୍ୟାଙ୍ଗ ସ୍କୁଲ

୫୨.୭୨ କୋଟିର ପ୍ରକଳ୍ପକୁ ଅନୁମୋଦନ, ତ୍ୱରାନ୍ୱିତ ହେବ ସର୍ଭିସ୍‌ ଭଲ୍ୟୁଣ୍ଟିୟରିଂ

ଭୁବନେଶ୍ବର : ଆଗାମୀ ଦିନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନ ସ୍କୁଲଗୁଡ଼ିକୁ ‘ମୋ ସ୍କୁଲ୍‌ ଅଭିଯାନ’ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ୱାରା ରାଜ୍ୟର ଲକ୍ଷାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଜି ବସିଥିବା ‘ମୋ ସ୍କୁଲ୍‌ ଅଭିଯାନ’ର ୩୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ‘ମୋ ସ୍କୁଲ୍‌ ଅଭିଯାନ’ ଅଧୀନରେ ରାଜ୍ୟର ସମସ୍ତ ଜିଲ୍ଲାରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ଭିସ୍‌ ଭଲ୍ୟୁଣ୍ଟିୟରିଂକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି। ପୁରାତନ ଛାତ୍ରଛାତ୍ରୀ ସଂଯୋଗ କାର୍ଯ୍ୟକ୍ରମ ଅଧୀନରେ ଅଧିକରୁ ଅଧିକ ପୁରାତନ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲ୍‌ ସହ ଯୋଡ଼ିବାର ପ୍ରୟାସ ଜାରି ରହିଛି। ଏନେଇ ୩୦ ଜିଲ୍ଲାର ୨୯୮ଟି ବ୍ଲକରେ ‘ମୋ ସ୍କୁଲ୍‌’ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଗାମୀ ଦିନରେ ଏହାକୁ ଆହୁରି ତ୍ୱରାନ୍ୱିତ କରାଯିବ।

ଆଜିର ବୈଠକରେ ଓଡ଼ିଶାର ୨୭ଟି ଜିଲ୍ଲାର ୫୨ କୋଟି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ଏକ ମାସ ମଧ୍ୟରେ ୪୫ ହଜାର ୩୮୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍‌ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୨ କୋଟି ୫୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍‌ ଅଭିଯାନକୁ ୫ କୋଟି ଟଙ୍କାର ଅନୁଦାନ ଆସିଛି। ପୁରାତନ ଛାତ୍ରଛାତ୍ରୀ ଓ ସିଏସ୍‌ଆର୍‌ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୫୨ କୋଟି ୭୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି। ଯାହାକି ୫୧୪୬ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ।

ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨କୋଟି ୪୪ ଲକ୍ଷ, ଯାଜପୁରରେ ୨କୋଟି ୨ଲକ୍ଷ, ସମ୍ବଲପୁରରେ ୭୧ଲକ୍ଷ ୨୯ ହଜାର, ଭଦ୍ରକରେ ୬୦ଲକ୍ଷ ୩୨ ହଜାର ଓ ବଲାଙ୍ଗୀରରେ ୫୪ଲକ୍ଷ ୬୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍‌.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ଉଚ୍ଚ ମାଧ୍ୟମିକ ଶିକ୍ଷା, ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା ଓ ଟିଇ ଆଣ୍ଡ ଏସ୍‌ସିଇଆର୍‌ଟିର ନିର୍ଦେଶକ ଏବଂ ମୋ ସ୍କୁଲ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍‌ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର