ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ଲାଗି ସ୍ବତନ୍ତ୍ର ସୁବିଧା କରାଯିବ। ବିଶେଷକରି ଚାଲି ପାରୁନଥିବା ଦିବ୍ୟାଙ୍ଗମାନେ କାଠ ଚୌକିରେ ସବାର ହୋଇ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ। ଦିବ୍ୟାଙ୍ଗମାନେ ଏଥିପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟସ୍ଥ ଭିନ୍ନକ୍ଷମ ସେବା କେନ୍ଦ୍ରରେ ପଞ୍ଜୀକରଣ ଯାଞ୍ଚ ପରେ ସମ୍ପୃକ୍ତ ଦିବ୍ୟାଙ୍ଗଙ୍କୁ ହ୍ବିଲ୍ଚେୟାର୍ ଯୋଗେ ଉତ୍ତରଦ୍ବାର ପାର୍ଶ୍ବକୁ ନିଆଯିବ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ସବ୍କମିଟି ଗଢ଼ାଯାଇଛି। ଏହି କମିଟି ଏହାର ରୂପକଳ୍ପ ପ୍ରସ୍ତୁତ କରିବେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, ଚାଲି ପାରୁନଥିବା ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ଆହ୍ବାନ ଥିଲା। ତେଣୁ ବିକଳ୍ପ ଦର୍ଶନ ବ୍ୟବସ୍ଥା ଆପଣାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଶ୍ରୀ ସାହୁ କହିଛନ୍ତି, ପ୍ରଥମେ ପରୀକ୍ଷାମୂଳକ ଭାବେ ୨୦ ଜଣ ଦିବ୍ୟାଙ୍ଗକୁ ଏଭଳି ଦର୍ଶନ ବ୍ୟବସ୍ଥା ଯୋଗାଇ ଦେବା ନେଇ ଯୋଜନା ହୋଇଛି। ଜଣେ ଦିବ୍ୟାଙ୍ଗ ସହ ତାଙ୍କ ପରିବାରର ଦୁଇଜଣ ସଦସ୍ୟ ତାଙ୍କ ସହ ଆସିପାରିବେ। ଦିବ୍ୟାଙ୍ଗ ସେବା କେନ୍ଦ୍ରରେ ପଞ୍ଜୀକରଣ ଯାଞ୍ଚ ହେବା ପରେ ତାଙ୍କୁ ଉତ୍ତର ଦ୍ବାର ପର୍ଯ୍ୟନ୍ତ ହ୍ବିଲ ଚେୟାରରେ ନେଇ ସେଠାରୁ କାଠ ଚେୟାରରେ ଶ୍ରୀମନ୍ଦିର ମଧ୍ୟକୁ ଦର୍ଶନ ପାଇଁ ନେବାକୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ସ୍ବତନ୍ତ୍ର କାଠ ଚୌକି ନିର୍ମିତ ହେଉଛି। ଚୌକିରେ ବସିଥିବା ଅବସ୍ଥାରେ ସେମାନେ ଦର୍ଶନ କରି ଫେରିବେ। ତେବେ ଅନ୍ୟ ପାର୍ଶ୍ବ ଦେବଦେବୀଙ୍କ ଦର୍ଶନ ପାଇଁ ଏହି ଚୌକି ସହାୟତାରେ କୌଣସି ବ୍ୟବସ୍ଥା ରହିବ ନାହିଁ। ଜଣେ ଦିବ୍ୟାଙ୍ଗ ମାସକୁ ଥରଟିଏ ଏହି ସୁବିଧା ନେଇପାରିବେ। ଗୋପାଳବଲ୍ଲଭ ନୀତିକାନ୍ତିରୁ ସକାଳ ଧୂପ ମଧ୍ୟରେ ଏହି ଦର୍ଶନ ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ କରାଯିବ। ଏହାବ୍ୟତୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେପରି କେହି ପାନଛେପ ନ ପକାନ୍ତି ସେଥିଲାଗି ମଧ୍ୟ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।