ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ପଦ୍ମଲୋଚନ ଦଳବେହେରା ଏକ ରୋଗରେ ଆକ୍ରାନ୍ତ ହୋଇ ୨୦୧୧ ମସିହାରୁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ। ଚାଲିବାକୁ ସେ ସକ୍ଷମ ନଥିଲେ। କ୍ରମେ ପରିବାର ଲୋକଙ୍କ ପାଇଁ ବି ପଦ୍ମଲୋଚନ ଅଲୋଡ଼ା ହୋଇଗଲେ। ଏବେ ପଦ୍ମଲୋଚନଙ୍କର ରହିବା ପାଇଁ ବି ନିଜର ଘର ଖଣ୍ଡିଏ ନାହିଁ। ରାତିରେ ରହିବାକୁ ସେ ବାରଦୁଆର ହେଉଛନ୍ତି, କେବେ କେବେ ବନ୍ଧୁ ଓ ସମ୍ପର୍କୀୟ ତ କେବେ ଦୟାଳୁ ଅଜଣା ଲୋକଙ୍କ ଘରେ ମୁଣ୍ଡ ଗୁଞ୍ଜୁଛନ୍ତି। ୧୫ ବର୍ଷରୁ ଅଧିକ କାଳହେଲା ଘର ଖଣ୍ଡିଏ ପାଇଁ ସେ ବହୁ ସରକାରୀ ବାବୁ, ସ୍ଥାନୀୟ ସରପଞ୍ଚ, ଜିଲ୍ଲାପରିଷଦ ଓ ବିଧାୟକଙ୍କ ପାଖକୁ ନିଜ ଟ୍ରାଇସାଇକେଲରେ ଧାଇଁ ଧାଇଁ ଗୁହାରି କରି ଥକିଛନ୍ତି। କିନ୍ତୁ ପକ୍କାଘରର ଆଶା ପୂରଣ ହୋଇନାହିଁ। ମୁଣ୍ଡ ଉପରେ ଚାଳଟିଏ ନଥିବାରୁ କେବଳ ଭିନ୍ନକ୍ଷମ ଭତ୍ତାର ଆଶ୍ରାରେ ବଞ୍ଚିଛନ୍ତି ପଦ୍ମଲୋଚନ।
ସବୁଆଡୁ ନିରାଶ ହେବାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇବାଲାଗି ନୂଆଆଶା ନେଇ ରାଜଧାନୀକୁ ଧାଇଁ ଆସିଛନ୍ତି ପଦ୍ମଲୋଚନ। ସେଥିପାଇଁ ବି ତାଙ୍କୁ କମ୍ କଷ୍ଟ କରିବାକୁ ପଡ଼ିନି। ରାଇକିଆର ନିଜ ଗାଁରୁ ଭୁବନେଶ୍ବର ପର୍ଯ୍ୟନ୍ତ ପାଖାପାଖି ୨୫୦ କିମି ବାଟକୁ ସେ ନିଜ ଟ୍ରାଇସାଇକେଲ୍ରେ ଅତିକ୍ରମ କରି ବୁଧବାର ସନ୍ଧ୍ୟାରେ ଆସି ପହଞ୍ଚିଛନ୍ତି। ସେଥିପାଇଁ ତାଙ୍କୁ ପୂରା ତିନିଦିନ ଲାଗିଛି। ସେ କହନ୍ତି, ଆସିବାବେଳେ ଦିନବେଳା ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଟ୍ରାଇସାଇକେଲ ଚଳାଉଥିଲେ। ଯେଉଁଠି ରାତି ହେଉଥିଲା, ସେଇଠି ଟ୍ରାଇସାଇକେଲ ଅଟକାଇ ତା’ରି ଉପରେ ଶୋଇ ପଡୁଥିଲେ। ପାଖରେ ବିଶେଷ ଟଙ୍କା ପଇସା ନଥିଲା, ସେଥିପାଇଁ ସକାଳ ବେଳା ଥରଟିଏ ୧୫-୨୦ ଟଙ୍କାରେ ଜଳଖିଆ ଟିକିଏ ଖାଇଦେଇ ପୂରା ଦିନ ଓ ରାତି ବିତାଇ ଦେଉଥିଲେ। ତିନିଦିନ ଯାକ ଏମିତି ହିଁ ବିତିଥିଲା। ଏସବୁ କହିବାବେଳେ ସେ ନିଜ କାନ୍ଦକୁ ଅଟକାଇ ପାରୁ ନଥିଲେ।
‘ସମ୍ବାଦ’କୁ ପଦ୍ମଲୋଚନ କହିଛନ୍ତି, ‘‘ମୁଁ ଶୁଣିଲି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଦୁଃଖୀରଙ୍କିଙ୍କ କଥା ଶୁଣୁଛନ୍ତି, ତାଙ୍କ ଅସୁବିଧା ଦୂର କରୁଛନ୍ତି। ତେଣୁ ମୁଁ ବହୁତ ଆଶା ନେଇ ସାହସ କରି ଏତେ ବାଟ ଜଗନ୍ନାଥଙ୍କୁ ଡାକିଡ଼ାକି ପଳେଇ ଆସିଛି। ଆମ ମୁଖ୍ୟମନ୍ତ୍ରୀ ମୋ’ କଥା ବୁଝି ମୋ’ପାଇଁ ଖଣ୍ଡିଏ ପକ୍କାଘର ବ୍ୟବସ୍ଥା କରିବେ ବୋଲି ମୋର ବହୁତ ଆଶା ରହିଛି। ...ମୋର ଆଉ କିଛି ଦାବି ନାହିଁ, କେବଳ ରହିବା ପାଇଁ ଘର ଖଣ୍ଡିଏ ହେଲେ ସେଥିରେ ମୁଁ ବାକି ଜୀବନ କାଟିଦେବି।’’