ଦଶପଲ୍ଲା: ସମ୍ପତ୍ତି ଲୋଭରେ ଜଣେ ଦିବ୍ୟାଙ୍ଗ ପୁଅକୁ ନିଜର ସାବତମା’ ହତ୍ୟା କରିଥିବା ନେଇ ଅଭି‌ଯୋଗ ହୋଇଛି। ଦିବ୍ୟାଙ୍ଗ ପୁଅ ବିବାହ ହୋଇଗଲେ ସମ୍ପତ୍ତି ମିଳିବ ନାହିଁ। ଏଥିପାଇଁ ସାବତମା’ ଜଣକ ନିର୍ଯାତନା ଦେଇଆସୁଥିଲେ। ଶେଷ‌ରେ, ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବାଡ଼େଇବାଡ଼େଇ ହତ୍ୟା କରାଯାଇଥିବା ଏହି ଅଭିଯୋଗରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଧୀନ ଶିମିଳିସାହି ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି।

Advertisment

ମୃତକ ହେଲେ, ବିଜୟ ପ୍ରଧାନ (୩୭)। ତାଙ୍କ ଓ ତାଙ୍କ ସହିତ ଅନ୍ୟଜଣେ ଦିବ୍ୟାଙ୍ଗ ବଡ଼ଭାଇକୁ ଜନ୍ମଦେବା ପରେ ମା’ ଆଖି ବୁଜିଥିଲେ। ଦୁହିଁଙ୍କୁ ମା’ର ସ୍ନେହ ଦେବାପାଇଁ ବାପା ଅଲେଖ ପ୍ରଧାନ ଦ୍ବିତୀୟ ବିବାହ କରିଥିଲେ। ଏହାମଧ୍ୟରେ ଦିବ୍ୟାଙ୍ଗ ବଡ଼ପୁଅର ମୃତ୍ୟୁ ହୋଇଯାଇଥିଲା ବେଳେ ସାନପୁଅ ବିଜୟ ଦିବ୍ୟାଙ୍ଗ ଥାଇ ମଧ୍ୟ କାହାରି ଉପରେ ନିର୍ଭର କରୁନଥିଲେ। ନିଜେ ଅଟୋ ଚଳାଇ ରୋଜଗାର କରୁଥିଲେ। ପରିପକ୍ବ ବୟସ ହୋଇଥିବା ବେଳେ ତାଙ୍କର ବିବାହ ପାଇଁ ପ୍ରସ୍ତାବ ଆସିଥିଲା। ବିବାହ କରିବାପାଇଁ ସେ ବାପା ଓ ସାବତ ମା’ଙ୍କୁ ଜଣାଇଥିଲେ।ଗତ ୧୧ ତାରିଖ ଦିନ ରାତିରେ କୌଣସି କଥାକୁ ନେଇ ଘରେ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଥିରେ କୁଆଡ଼େ ଉତ୍‌କ୍ଷିପ୍ତ ହୋଇ ବିଜୟଙ୍କୁ ମାର୍‌ଧର୍‌ କରିଥିଲେ। ଏହାପରେ ରାତି ପ୍ରାୟ ୧୧ଟା ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଏକ ଘରୋଇ ହସ୍ପିଟାଲ୍‌ରେ ଚିକତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ବିଜୟଙ୍କ ମୃତ୍ୟୁ ହୋଇଛି।

ମୃତଦେହ ଗାଁକୁ ଆସିବାପରେ ବିଜୟଙ୍କ ମାମୁ, ମାଇଁ ଏବଂ କିଛି ସମ୍ପର୍କୀୟ ପହଞ୍ଚି ହତ୍ୟା ଅଭିଯୋଗ ଆଣିଛନ୍ତି। ମାତ୍ର, ଏହି ଘଟଣାକୁ ଖଣ୍ତନ କରିଛନ୍ତି ସାବତ ମା’। ଘଟଣାକୁ ନେଇ ପୁଲିସ ଗାଁ’ରେ ପହଞ୍ଚିଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଦିବ୍ୟାଙ୍ଗ ବିଜୟଙ୍କ ମୃତ୍ୟୁକୁ ନେଇ ଏବେ ନାନା କଥା ଶୁଣିବାକୁ ମିଳୁଛି। ସାବତ ମା’ର ମାଡ଼ରେ ତାଙ୍କ ମୁଣ୍ତର ପଛ ପାଖରେ ଗଭୀର ଆଘାତ ଲାଗିଥିଲା ବୋଲି କିଛି ଲୋକ କହିଛନ୍ତି। ଅନ୍ୟପଟେ, ବିଜୟଙ୍କୁ ୧୦୮ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେ ବିଷପାନ କରିଥିବା ସୂଚନା ଦିଆଯାଇଥିବା ଓ ତାଙ୍କର ବାତ ମାରିବା ଭଳି ଲକ୍ଷଣ ରହିଥିବା ସ୍ବାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ କହିଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରାଯିବ ବୋଲି ତାଙ୍କ ମାମୁ କହିଥିବା ବେଳେ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।