କଟକ: ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରୢାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଂଗ ସଂପର୍କିତ ମାମଲାରେ ୨୦୨୨ ଫେବ୍ରୁଆରି ୨୮ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଦ୍ବିତୀୟ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି। ଫେବ୍ରୁଆରି ୨୮ର ଆଦେଶ ଏକ ମାସ ଭିତରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ୨୦୨୨ ଡିସେମ୍ବର ୨୦ରେ ନିର୍ଦ୍ଦେଶ ଦେବା ସହିତ ପ୍ରଥମ ଅଦାଲତ ଅବମାନନା ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। କିନ୍ତୁ ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇନାହିଁ। ଏଭଳି ଅଭିଯୋଗ ନେଇ ଆବେଦନକାରୀ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ତରଫରୁ ଗଜପତି ମହାରାଜ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରୢାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଂଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ୨୦୨୨ ଫେବ୍ରୁଆରି ୨୮ରେ ନିର୍ଦ୍ଦେଶ ଦେଇଥିଲେ। ଏହା ଏକ ଜରୁରୀ ପ୍ରସଂଗ ବୋଲି ହାଇକୋର୍ଟ କହିଥିଲେ। ଏହି ପ୍ରସଂଗରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଆଇନସମ୍ମତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନକୁ ତାଙ୍କ ଦରଖାସ୍ତ (ରିପ୍ରେଜେନଟେସନ୍) ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହିତ ଏହି ପ୍ରସଂଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ଆବେଦନକାରୀ ରିଟ୍ ଆବେଦନର କପି ପ୍ରତିପକ୍ଷଙ୍କ ନିକଟରେ ମାର୍ଚ୍ଚ ୭ରେ ଦାଖଲ କରିଥିଲେ। ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟରେ ପ୍ରଥମ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ପ୍ରଥମ ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ଏକ ମାସ ଭିତରେ ପାଳନ ପାଇଁ ୨୦୨୨ ଡିସେମ୍ବର ୨୦ରେ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର ଦୁଇ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଏହି ଦ୍ବିତୀୟ ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ଓ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଥିଲେ।