କଳିଙ୍ଗନଗରରେ ବିକାଶର ଚିତ୍ର ଏମିତି! ଅପପୁଷ୍ଟିରେ ଶଢୁଛି ଦିବ୍ୟାଙ୍ଗ ଶିଶୁ

ଯାଜପୁରସଦର/ଦାନଗଦୀ : ପାଞ୍ଚବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ତିରିଆ। ସେ ଏତେ ଦୁର୍ବଳ ହୋଇଯାଇଛନ୍ତି ଯେ ଖେଳାବୁଲା କରିପାରୁ ନାହିଁ। ନିଜେ ବସି ମଧ୍ୟ ପାରୁ ନାହିଁ। ଦେହସାରା ଚର୍ମରୋଗ। ଦୁର୍ବଳତା ତଥା ରୋଗର ପ୍ରଭାବରେ ଅଙ୍ଗପ୍ରତ୍ୟଙ୍ଗ ଚଳୁ ନାହିଁ। ଇସ୍ପାତ ରାଜଧାନୀ କଳିଙ୍ଗନଗରର ଛାତି ଉପରେ ଅପପୁଷ୍ଟିର ଚିତ୍ର। ଦାରିଦ୍ର୍ୟର ତାଡ଼ନା ଓ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ରହିଥିବାର ଦୃଶ୍ୟ ବିକାଶର ମୁଖା ଖୋଲିଦେଇଛି।

ଶୁଭଲକ୍ଷ୍ମୀ ଦହିତ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ଦୁଇଶହ ମିଟର ଦୂର ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗ୍ରାମରେ ରହୁଥିବା ବାବୁଲି ତିରିଆଙ୍କ ଅନ୍ୟଜଣେ ସନ୍ତାନ ବି ଅପପୁଷ୍ଟିରେ ଶଢ଼ୁଛନ୍ତି।

ଶୁଭଲକ୍ଷ୍ମୀ ନାମ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜୀକରଣ ହୋଇଥିଲେ ମଧ୍ୟ ଅକ୍ଷମତା କାରଣରୁ ସେ ଯାଇପାରୁ ନାହିଁ।‌ ସେ ସ୍ବପରାୟଣ ଦିବ୍ୟାଙ୍ଗ ବୋଲି କୁହାଯାଉଛି। ଅନୁପସ୍ଥିତ ରହୁଥିବାରୁ କେନ୍ଦ୍ର ପକ୍ଷରୁ ତାକୁ କେବେ ପୁଷ୍ଟିକର ଖାଦ୍ୟ ମିଳେନାହିଁ ବୋଲି ଜଣାପଡ଼ିଛି।

ପୁଷ୍ଟିହୀନତା ତଥା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଏହି ଶିଶୁକନ୍ୟାର ମାଆ ଏକ ପୁଅକୁ ଜନ୍ମଦେଇ ପାଞ୍ଚମାସ ତଳେ ଆଖିବୁଜିଥିଲେ। ଏଭଳି ସମୟରେ ଶୁଭଲକ୍ଷ୍ମୀ ଅସହାୟ ହୋଇଯାଇଛି। ବାପା ବାବୁଲି ଜଣେ ଦିନମଜୁରିଆ। ପତ୍ନୀଙ୍କ ବିୟୋଗ ପରେ ଦୁଇଶିଶୁଙ୍କ ଯତ୍ନ ନେବା ତାଙ୍କ ପକ୍ଷେ କଷ୍ଟକର ହୋଇଛି। ଝାଟିମାଟି କୁଡ଼ିଆରେ ଦୁଇ ଶିଶୁ ଦିନତମାମ ପଡ଼ିରହୁଛନ୍ତି।

ତୁରନ୍ତ ଏହି ଦୁଇ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର