ଦିବ୍ୟାଙ୍ଗ ଗଜେନ୍ଦ୍ର ଟ୍ରାଇସାଇକେଲରେ ଝିଅକୁ ନେଉଛନ୍ତି ସ୍କୁଲ

ବାଲେଶ୍ବର: ଝିଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବି। ଆମ ଅଞ୍ଚଳର ନାମ ରଖିବ। ଯେତେ କଷ୍ଟ ହେଉନା କାହିଁକି ବଂଚିଥିବା ଯାଏ ଝିଅ ପାଇଁ ସବୁ କରିବି। ସେମାନଙ୍କ ଖୁସିରେ ମୋ ଖୁସି। ଶାରୀରିକ ଭାବେ ମୁଁ ଦିବ୍ୟାଙ୍ଗ, ହେଲେ ମାନସିକସ୍ତରରେ ମୁଁ ବେଶ୍ ସମର୍ଥ। ମୋ ପାଖରେ ଅର୍ଥ ନାହିଁ, ହେଲେ ଦୃଢ଼ ଆତ୍ମବିଶ୍ବାସକୁ ସାଙ୍ଗରେ ଧରିଛି। ଝିଅକୁ ଅଟୋରେ ସ୍କୁଲ ଛାଡ଼ିବା ପାଇଁ ମୋ ପକ୍ଷେ ସମ୍ଭବ ନୁହେଁ। ତେଣୁ ନିଜ ଟ୍ରାଇ ସାଇକେଲରେ ଝିଅକୁ ସ୍କୁଲ ନେବାଆଣିବା କରୁଛି। ବାପାର ପରିସ୍ଥିତିକୁ ଝିଅ ବି ବୁଝିଯାଇଛି। ଝିଅର ଭବିଷ୍ୟତକୁ ସଜାଡ଼ିବା ପାଇଁ ଜଣେ ଦିବ୍ୟାଙ୍ଗ ବାପାର ଆଖିରେ ଆଖିଏ ସ୍ବପ୍ନ। ଆଉ ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜକୁ ଝିଅ ପାଇଁ ସମର୍ପିତ କରି ଦେଇଛନ୍ତି। ସମସ୍ତଙ୍କ ପାଇଁ ସେ ଆଜି ଉଦାହରଣ ପାଲଟିଯାଇଛନ୍ତି। ବାଲେଶ୍ବର ପାତ୍ରପଡ଼ା ଅଞ୍ଚଳର ଦ୍ବ୍ୟାଙ୍ଗ ଗଜେନ୍ଦ୍ର ପ୍ରଧାନ(୪୦)। ପ୍ରତିଦିନ ନିଜ ଟ୍ରାଇସାଇକେଲରେ ଝିଅ ନୀଳାଦ୍ରି ତନୟା(୮)ଙ୍କୁ ସ୍କୁଲ ନେବାଆଣିବା କରୁଛନ୍ତି। ନିଜ ସାଇକେଲ ଫ୍ରେମ୍‌ରେ ଝିଅକୁ ପଛରେ ଛିଡ଼ା କରାଇ ପ୍ରତିଦିନ ୪/୫  କିମି ସ୍କୁଲକୁ ନେବାଆଣିବା କରୁଛନ୍ତି।

ଗଜେନ୍ଦ୍ର ଏକ ଅଜଣା ରୋଗରେ ପୀଡ଼ିତ ହୋଇ ତାଙ୍କର ମେରୁଦଣ୍ଡ ବଙ୍କା ହୋଇଯାଇଥିବା ବେଳେ ଦୁଇଗୋଡ଼ କାମ କରୁନାହିଁ। ସିଧା ହୋଇ ଚାଲିବା ତାଙ୍କ ପକ୍ଷେ କଷ୍ଟ। ହେଲେ ନିଜ ଆତ୍ମବିଶ୍ବାସ ବଳରେ ଆଜି ସେ ସକ୍ଷମ ହୋଇପାରିଛନ୍ତି। ତିନି ଝିଅକୁ ପାଠ ପଢ଼ାଇ ବଡ଼ ମଣିଷ କରିବାକୁ ବଳ ଜୁଟାଇଛନ୍ତି। ଆଉ ଦିନରାତିକୁ ସେ ଏକ କରିଦେଇଛନ୍ତି। ପ୍ରତିଦିନ ନିଜ ଟ୍ରାଇ ସାଇକେଲରେ ଏଡିଏମ୍‌ ଛକସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ନୀଳାଦ୍ରିଙ୍କୁ ସାଇକେଲ୍‌ରେ ନେବାଆଣିବା କରୁଛନ୍ତି। ଆର୍ଥିକ ଅନଟନରେ ବଂଚୁଥିବା ଗଜେନ୍ଦ୍ର ଦିବ୍ୟାଙ୍ଗ ହୋଇ ଶିକ୍ଷାର ମହତ୍ବ ବୁଝି ଝିଅମାନଙ୍କୁ ଉଚ୍ଚଶିକ୍ଷିତା କରିବାକୁ ସ୍ବପ୍ନ ଦେଖିଛନ୍ତି। ଗଜେନ୍ଦ୍ରଙ୍କ ଏହି ଚିନ୍ତାଧାରା ଓ ଉଦ୍ୟମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।

ସମ୍ବନ୍ଧିତ ଖବର