ରାଉରକେଲା: ଲକ୍‌ଡାଉନ୍‌ ଗରିବ, ଖଟିଖିଆ ମେହନତି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ରୋଜଗାର ନଥିବାରୁ ସେମାନେ ଜୀବନଜୀବିକା ଦୁର୍ବିସହ ହୋଇ ପଡିଛି। ଏଭଳି ଦୁର୍ଦ୍ଦିନରେ ବାପ ମା ଛେଉଣ୍ଡ ଜଣେ ଦିବ୍ୟାଙ୍ଗ ଯୁବତୀ ପେଟ ପୋ‌ଷିବାକୁ କରୁଛନ୍ତି ସଂଘର୍ଷ। ତେବେ ଏହା ଭିତରେ ସେ ଗରିବଙ୍କ ପାଇଁ ମାସ୍କ ତିଆରି କରିବାକୁ ଭୁଲି ନାହାନ୍ତି। ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସହରର ଜଣାଶୁଣା ସମାଜସେବୀ ତଥା ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମିନୀ ପାଣିଗ୍ରାହୀ। ମାସ୍କ ତିଆରି ପାଇଁ ସେ ଉତ୍ସାହ ସହିତ ଯୋଗାଇ ଦେଉଛନ୍ତି ସମ୍ବଲପୁରୀ କପଡା ଓ ଆବଶ୍ୟକୀୟ ଜିନିଷ। ଦିବ୍ୟାଙ୍ଗ ଯୁବତୀ ଜଣକ ଦିନକୁ ପ୍ରାୟ ୫୦ରୁ ୬୦ଟି ମାସ୍କ ତିଆରି କରୁଛନ୍ତି। ଏଥିପାଇଁ ତାଙ୍କୁ ପାରିଶ୍ରମିକ ଦିଆ ଯାଉଛି। ତାଙ୍କୁ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରିବାଲାଗି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବାକୁ ଶ୍ରୀମତୀ ପାଣିଗ୍ରାହୀ ସଂକଳ୍ପ ନେଇଛନ୍ତି ।

Advertisment

ଉଲ୍ଲେଖନୀୟ ଲକ୍‌ଡାଉନ୍‌ ସମୟରେ ଅନ୍ୟାନ୍ୟ ସେବାମୂଳକ କାମ କରିବା ସହିତ ଶ୍ରୀମତୀ ପାଣିଗ୍ରାହୀ ବସ୍ତି ଇଲାକାରେ ପ୍ରତିଦିନ କ୍ଷୀର ବଣ୍ଟନ କରୁଛନ୍ତି। ୫ ଦିନ ତଳେ ଗଙ୍ଗାଧରପାଲି ବସ୍ତିରେ କ୍ଷୀର ବାଣ୍ଟୁଥିଲାବେଳେ ତାଙ୍କର ଭେଟ ହୋଇଥିଲା ଦିବ୍ୟାଙ୍ଗ ଯୁବତୀ ଗାର୍ନ୍ଧବୀଙ୍କ ସହ। ସେ ତାଙ୍କ ଜୀବନର ସଂଘର୍ଷମୟ କାହାଣୀ ଶୁଣାଇଥିଲେ। ଗଙ୍ଗାଧରପାଲିରେ ଗାର୍ନ୍ଧବୀ ପରିବାର ସହ ରହୁଥିଲେ। ଛୋଟବେଳେ ଶାଢ଼ୀ ପିନ୍ଧି ଠାକୁରଙ୍କ ପାଖରେ ଧୂପ ଦେଉଥିଲେ। ହଠାତ୍‌ ନିଆଁ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ସହ ସଂଘର୍ଷ କରି ପୁର୍ନଜନ୍ମ ପାଇଥିଲେ ‌ସତ କିନ୍ତୁ ନିଜର ଡାହାଣ ଗୋଡଟି ହରାଇଥିଲେ। ଭଲ ହୋଇ ଘରକୁ ଫେରିବାର କିଛି ବର୍ଷ ପରେ ବାପା ମା’ କୁଆଡେ ଘର ଛାଡି ଚାଲିଯାଇଥିଲେ। ଭାଇମାନେ ପଚାରି ନଥିଲେ। ଦିବ୍ୟାଙ୍ଗ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଭତ୍ତା ଓ ଆତ୍ମନିର୍ଭରଶୀଳ ପାଇଁ ଗୋଟିଏ ସିଲେଇ ମେସିନ୍‌ ମିଳିଥିଲା। ସେହି ସିଲେଇ ମେସିନ୍‌ରେ ବସ୍ତି ଲୋକଙ୍କ କପଡା ସିଲେଇ ଯାହା କିଛି ରୋଜଗାର କରୁଥିଲେ। ସେଥିରେ ପେଟ ପୋଷୁଥିଲେ। ମହାମାରୀ କରୋନା ମୁକାବିଲା ପାଇଁ ଗତ ମାର୍ଚ୍ଚ ୨୨ରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା।

ଏହା ପରେ ଘରକୁ କେହି ପଦାକୁ ବାହାରି ନଥିଲେ। ବସ୍ତିବାସିନ୍ଦା କପଡା ସିଲେଇ କରିବାକୁ ଆସି ନଥିଲେ। ଚିନ୍ତାରେ ପଡି ଯାଇଥିଲେ ଗାନ୍ଧର୍ବୀ। କେମିତି ପେଟ ପୋଷିବେ, ଏହି କଥା ଭାବି ଭାବି ଦୁଃଖରେ ଭାଙ୍ଗି ପଡିଥିଲେ। ସେମିତି ବେଳରେ ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ ବସ୍ତିର ଗରିବ ଲୋକଙ୍କୁ ଘର ଘର ବୁଲି କ୍ଷୀର ବାଣ୍ଟୁଥିଲେ। ଏହି ସମୟରେ ତାଙ୍କର ଗାନ୍ଧର୍ବୀଙ୍କ ସହ ଭେଟ ହୋଇଥିଲା। କ୍ଷୀର ପ୍ୟାକେଟ୍‌ ଦେବା ପରେ ଗାନ୍ଧର୍ବୀଙ୍କୁ ତାଙ୍କର ପରିବାର ସମ୍ପର୍କରେ ପଚାରିଥିଲେ। ଗାନ୍ଧର୍ବୀ କିଛି ନ କହି ଭୋ ଭୋ ହୋଇ କାନ୍ଦିଥିଲେ। ପଦ୍ମିନୀ ତାଙ୍କ ଆଖିରୁ ଲୁହ ପୋଛି ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ସାନ୍ତ୍ବନା ଦେଇଥିଲେ। ପଦ୍ମିନୀଙ୍କ ଠାରୁ ଏମିତି କଥା ଶୁଣିବା ପରେ ଗାନ୍ଧର୍ବୀଙ୍କ ମୁହଁରେ ହସ ଫୁଟି ଆସିଥିଲା। ପଦ୍ମିନୀ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ଗାନ୍ଧର୍ବୀଙ୍କୁ ରୋଜଗାରକ୍ଷମ ହେବାକୁ ମାସ୍କ ତିଆରି ପାଇଁ ସମ୍ବଲପୁରୀ କପଡା ଯୋଗାଇ ଦେଇଛନ୍ତି। ତାଙ୍କ ହାତ ତିଆରି ମାସ୍କ ଗରିବଙ୍କ ସହ ବିଭିନ୍ନ ସରକାରୀ ଅଫିସ୍‌, ଡାକ୍ତରଖାନାରେ ମେଡିକାଲ କର୍ମଚାରୀ, ବ୍ୟାଙ୍କ କର୍ମଚାରୀଙ୍କୁ ବଣ୍ଟନ କରୁଛନ୍ତି। କେବଳ ଗାନ୍ଧର୍ବୀ ନୁହନ୍ତି, ସହରରେ ଏମିତି ଅନେକ ଦିବ୍ୟାଙ୍ଗ ଯୁବତୀ ଲକ୍‌ଡାଉନ୍‌ରେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ସହାୟତାର ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପାଣିଗ୍ରାହୀ କହିଛନ୍ତି।