୨୧ ଦିନ ଲଢ଼େଇ ପରେ ବିଜୟୀ: କରୋନାକୁ ହରାଇଲେ ଦିବ୍ୟାଙ୍ଗ କିଶୋରୀ

ଫୁଲବାଣୀ : ଦୀର୍ଘ ୨୧ ଦିନ ଧରି କରୋନା ସହ ଲଢ଼େଇ କରି ଶେଷରେ ବିଜୟୀ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍‌ର ଦିବ୍ୟାଙ୍ଗ କିଶୋରୀ ସୁନେନା ପ୍ରଧାନ (୧୬)।

ସୁନେନା ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ସୁନେନାଙ୍କ ବାପା, ମା’ ମଧ୍ୟ ନାହାନ୍ତି। ସେ ଟିକାବାଲିର ଜଣେ ମହିଳାଙ୍କ ଦ୍ବାରା ପାଳିତ ହୋଇ ଆସିଥିଲେ। ସୁନେନା କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଟିକାବାଲିସ୍ଥିତ କୋଭିଡ୍‌ କେୟାର୍‌ ସେଣ୍ଟର୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଦୀର୍ଘ ୨୧ ଦିନ ଚିକିତ୍ସିତ ହୋଇ ଶେଷରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୁନେନା ଦିବ୍ୟାଙ୍ଗ ହୋଇଥିବାରୁ କୋଭିଡ୍‌ କେୟାର୍‌ ସେଣ୍ଟର୍ର‌ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ତାଙ୍କର ଚିକିତ୍ସା, ଖାଇବା ପିଇବା ଠାରୁ ଆରମ୍ଭ କରି ତାଙ୍କୁ ପରିସ୍ରାଗାର ନେବା ଆଣିବା ଯାଏ ସବୁ କଥା ବୁଝୁଥିଲେ। ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି. ସୁନେନାଙ୍କର ସମସ୍ତ ପ୍ରକାର ସୁବିଧା କରିବାକୁ ନିର୍ଦ୍ଦେଶ ଦେବା ସହ ଟିକାବାଲି କୋଭିଡ୍‌ କେୟାର୍‌ ସେଣ୍ଟର୍‌ର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର