ଶ୍ରୀମନ୍ଦିରରେ ଦର୍ଶନ କରିପାରିଲେନି ଦିବ୍ୟାଙ୍ଗ

ବ୍ୟାଟେରି ଅଟୋ ସେବା ବି ବନ୍ଦ ରହିଲା
ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଆଇଏଏସ୍‌ ପ୍ରୋବେସନାରୀ
କାହିଁକି ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲେନି ପ୍ରଶାସନ?

ପୁରୀ : ୧୮୦ ଜଣ ପ୍ରୋବେସନାରୀ ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ଅଧିକାରୀ) ରବିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍କମାନେ ଦର୍ଶନ ଲାଭରୁ ବଞ୍ଚିତ ହୋଇଛନ୍ତି। ଏପରିକି, ସେମାନଙ୍କ ପାଇଁ ରହିଥିବା ବ୍ୟାଟେରି ଅଟୋ ସେବାକୁ ବନ୍ଦ କରିଦିଆଯାଇଛି। ଜିଲ୍ଲା ପ୍ରଶାସନର ଏହିଭଳି ବ୍ୟବସ୍ଥାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ବାଲେଶ୍ଵର, କଟକ, ବୌଦ୍ଧ ଆଦି ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତମାନେ ଏହାକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରତିଦିନ ଯେଉଁ ଭକ୍ତମାନେ ଆସୁଛନ୍ତି, ସେମାନେ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବାପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି l ଜଗନ୍ନାଥ ବଲ୍ଲଭ ପାର୍କିଂରୁ ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି ଶ୍ରୀମନ୍ଦିର ଯିବାକୁ ପଡୁଛି। ଯେହେତୁ ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତଙ୍କ ପକ୍ଷରେ ଏହା ସମ୍ଭବ ନୁହେଁ, ସେହି ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ରୁ ଅଧିକ ବ୍ୟାଟେରିଚାଳିତ ଗାଡ଼ି ବରିଷ୍ଠ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ନେବାଆଣିବା ପାଇଁ ନିୟୋଜିତ ହୋଇଛି। ସେହିଭଳି ନାଲ୍‌କୋ ପକ୍ଷରୁ ବି କିଛି ଗାଡ଼ି ଏଥିପାଇଁ ନିୟୋଜିତ ହୋଇଛି। ହିସାବ କଲେ ୨୦ରୁ ଅଧିକ ଗାଡ଼ି ଏହି ସେବା ଯୋଗାଉଛନ୍ତି। କିନ୍ତୁ, ପୁରୀ ଗସ୍ତରେ ଆସିଥିବା ୧୮୦ ଜଣ ପ୍ରୋବେସନାରୀ ଆଇଏଏସ୍‌ଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ଦିବ୍ୟାଙ୍ଗ, ବରିଷ୍ଠ ଭକ୍ତଙ୍କ ସମସ୍ତଙ୍କ ଗାଡ଼ି ନିୟୋଜିତ ହୋଇଥିଲା।

ରବିବାର ଅପରାହ୍ଣରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ୧୮୦ ପ୍ରୋବେସନାରି ଆଇଏଏସ୍‌

ଅତିଥିମାନେ କୋଣାର୍କ ବୁଲି ଆସି ସନ୍ଧ୍ୟାରେ ପହଞ୍ଚିଥିଲେ ବି ରବିବାର ସକାଳୁ ଏହି ଗାଡ଼ିଗୁଡ଼ିକୁ ଜଗନ୍ନାଥ ବଲ୍ଲଭ ପାର୍କିଂରୁ ନେଇ ବଡ଼ଦାଣ୍ଡ, ଶ୍ରୀଗୁଣ୍ଡଚା ଭକ୍ତ ନିବାସ ଆଦି ସ୍ଥାନରେ ସଂରକ୍ଷିତ କରି ରଖାଯାଇଥିଲା। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଭକ୍ତଙ୍କ କହିବାନୁସାରେ, ରାଜ୍ୟର ଏହି ଅତିଥିମାନଙ୍କ ପାଇଁ ବିକଳ୍ପ ଗାଡ଼ି ବ୍ୟବସ୍ଥା କରିପାରିଥା’ନ୍ତେ। ଅତିଥିମାନଙ୍କୁ ସେବା ଯୋଗାଇବା ନେଇ କିଛି ଦ୍ବନ୍ଦ୍ବ ରହିବା କଥା ନୁହେଁ। କିନ୍ତୁ, ପ୍ରଶାସନ ଯେମିତି ଅତିଥି ସେବା ପାଇଁ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କୁ କଲବଲ କଲେ, ତାହା ଆଦୌ ଗ୍ରହଣୀୟ ନୁହେଁ।

ଏ ସମ୍ପର୍କରେ ବାଲେଶ୍ବରରୁ ଆସିଥିବା ଦିବ୍ୟାଙ୍ଗ ଭକ୍ତ ରାଜେଶ ମହାକୁଡ଼ କହିଛନ୍ତି, ଆମେ ପୁରୀରେ ପହଞ୍ଚିଲା ବେଳକୁ ପ୍ରାୟ ସାଢେ଼ ୧୨ଟା ହୋଇଯାଇଥିଲା। ପୂର୍ବରୁ ଯେବେ ଆସିଛୁ, ପାର୍କିଂରେ କିଛି ସମୟ ଅପେକ୍ଷା ପରେ ଦର୍ଶନ ପାଇଁ ଯିବାକୁ ମନ୍ଦିର ପ୍ରଶାସନର ବ୍ୟାଟେରି ଗାଡ଼ି ମିଳିଯାଏ। କିନ୍ତୁ ଆଜି ସେଭଳି କିଛି ସୁବିଧା ନ ମିଳିବାରୁ ଅଳ୍ପ କିଛି ବାଟ ଭଡ଼ାରେ ଅଟୋ କରି ଯାଇଥିଲୁ। ପରେ ବହୁ କଷ୍ଟରେ ଚାଲି ଚାଲି ଦର୍ଶନ କରିବାକୁ ଗଲି। ଭୁବନେଶ୍ବରରୁ ଦର୍ଶନ ପାଇଁ ଆସିଥିବା ବରିଷ୍ଠ ଭକ୍ତ ଖଗେଶ ରାଉତ କହିଛନ୍ତି, ପାର୍କିଂରେ ବହୁତ ସମୟ ଅପେକ୍ଷା ପରେ ଶ୍ରୀମନ୍ଦିର ପ୍ରଶାସନର ଅଟୋ ନ ଆସିବାରୁ ବଡ଼ କଷ୍ଟରେ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛି।

ସମ୍ବନ୍ଧିତ ଖବର