ପୁରୀ ରଥଯାତ୍ରା ଦେଖିବେ ଦିବ୍ୟାଙ୍ଗ

ବଳଗଣ୍ଡି ସ୍କୁଲ୍‌ ଛାତରେ ସ୍ବତନ୍ତ୍ର ଟେଣ୍ଟ୍‌, ଏକକାଳୀନ ୨୫୦ ଜଣ ବସିପାରିବେ

ପୁରୀ : ଦୁଇ ବର୍ଷ ପରେ ଭକ୍ତଙ୍କୁ ନେଇ ରଥଯାତ୍ରା ହେବାକୁ ଯାଉଛି। ଆବାଳ ବୃଦ୍ଧବନିତା ମହାପ୍ରଭୁଙ୍କ ଏହି ଦିବ୍ୟଲୀଳା ଦେଖିବା ପାଇଁ ଉତ୍ସୁକ ହୋଇ ଚାହିଁ ବସିଛନ୍ତି। ସମସ୍ତ ବର୍ଗର ଲୋକେ ଯେଭଳି ରଥଯାତ୍ରାକୁ ସୁରୁଖୁରୁରେ ଉପଭୋଗ କରିବେ ସେନେଇ ପ୍ରସ୍ତୁତି କରାଯାଇଛି। ବିଶେଷକରି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ‌ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିବାକୁ ଲକ୍ଷ୍ୟ ରଖିଥିବା ଦିବ୍ୟାଙ୍ଗମାନଙ୍କ ପାଇଁ ବଳଗଣ୍ଡି ସ୍କୁଲ୍‌ ଛାତ ଉପରେ ଟେଣ୍ଟ୍‌ର ବ୍ୟବସ୍ଥା କରାଯାଇଛି। ୨ଶହରୁ ୨୫୦ ଦିବ୍ୟାଙ୍ଗଙ୍କ ପାଇଁ ବଳଗଣ୍ଡି ସ୍କୁଲ୍‌ ଛାତ ଉପରେ ସ୍ବତନ୍ତ୍ର ଟେଣ୍ଟ ସହ ସିଟ୍‌ର ବନ୍ଦୋବସ୍ତ କରାଯାଇଛି। ଟେଣ୍ଟରେ ଦର୍ଶନ ସହ ସେମାନଙ୍କ ପାଇଁ ଚାହା, ଟିଫିନ, ପାନୀୟ ଜଳ, ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ବଜେଟ୍‌ରୁ ଜରୁରି ଭିତ୍ତିରେ ଏହି ବ୍ୟବସ୍ଥା ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ। ବିଶେଷକରି ଦିବ୍ୟାଙ୍ଗମାନେ ବସ୍‌ ଓ ଟ୍ରେନ୍‌ ଯୋଗେ ଯାତାୟାତ କରୁଥିବାରୁ, ସେମାନଙ୍କୁ ତାଳବଣିଆ ବସ୍‌ ରହଣୀସ୍ଥଳ ଓ ରେଳ ଷ୍ଟେସନରୁ ବଳଗଣ୍ଡି ସ୍କୁଲ୍‌ ପର୍ଯ୍ୟନ୍ତ ଆଣିବା ପାଇଁ ୧୦ଟି ସ୍ବତନ୍ତ୍ର ବ୍ୟାଟେରି ଅଟୋ ଯୋଗାଇ ଦିଆଯିବ।

ବସଷ୍ଟାଣ୍ଡରୁ ଆଣିବା ପାଇଁ ରହିବ ବ୍ୟାଟେରି ‌ଅଟୋ
ପର୍ଯ୍ୟଟକଙ୍କ ପାଇଁ ସୂଚନା କେନ୍ଦ୍ର

livemint.com

ଦିବ୍ୟାଙ୍ଗଙ୍କୁ ମାର୍ଗ ଦେଖାଇବା ସହ ସେମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦେବା ଲାଗି ୪ଟି ହେଲ୍‌ପ ଡେସ୍କ ଖୋଲାଯିବ। ହସ୍ପିଟାଲ୍‌ ଛକ, ତାଳବଣିଆ ବସ୍‌ଷ୍ଟାଣ୍ଡ, ମାଳତୀପାଟପୁର ବସ୍‌ଷ୍ଟାଣ୍ଡ, ଗୁଣ୍ଡିଚା ମନ୍ଦିର ନିକଟରେ ହେଲ୍‌ପ ଡେସ୍କ ଖୋଲାଯିବ। ଦିବ୍ୟାଙ୍ଗଙ୍କୁ ସହଯୋଗ କରିବା ପାଇଁ ୫୦ ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ସ୍ବତନ୍ତ୍ର ଡ୍ରେସ୍‌କୋର୍ଡରେ ସେମାନଙ୍କୁ ନିୟୋଜିତ କରାଯିବ।ଏହାବ୍ୟତୀତ ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଗୁଣ୍ଡିଚା ମନ୍ଦିର ନିକଟରେ ହେଲ୍‌ପ ଡେସ୍କ ସହଯୋଗରେ ସେମାନେ ମନ୍ଦିର ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ସୁବିଧା ପାଇବେ। ସ୍ବେଚ୍ଛାସେବୀମାନେ ସେମାନଙ୍କୁ ହ୍ବିଲ୍‌ ଚେୟାରରେ ନେଇ ଦର୍ଶନର ବ୍ୟବସ୍ଥା କରାଇବେ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ପର୍ଯ୍ୟଟନ କାର୍ଯ୍ୟାଳୟ, ମାଳତୀପାଟପୁର, ତାଳବଣିଆ, ଶରଧାବାଲି ଫଟୋ ପ୍ରଦର୍ଶନୀ କେନ୍ଦ୍ର, ରେଳ ଷ୍ଟେସନ, ମହୋଦଧି ନିବାସ ଓ ପାନ୍ଥନିବାସରେ ପର୍ଯ୍ୟଟନ ସୂଚନା କେନ୍ଦ୍ର ରହିବ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ଅବସରରେ କୋଣାର୍କ, ଭୁବେନଶ୍ବର ଓ ରଥଯାତ୍ରା ପ୍ୟାକେଜ୍‌ରେ ପର୍ଯ୍ୟଟକଙ୍କୁ ବୁଲିବାର ସୁଯୋଗ ଯୋଗାଇ ଦିଆଯିବ। ସମ୍ବଲପୁର ଓ ଭୁବନେଶ୍ବରରୁ ଏହି ପ୍ୟାକେଜର ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ପର୍ଯ୍ୟଟକଙ୍କ ସର୍ବେକ୍ଷଣ ପାଇଁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ, ଅଠରନଳା, ମଙ୍ଗଳାହାଟ ଓ ବାଲିଘାଟରେ ବ୍ୟବସ୍ଥା ହେବ। ୩୦୫ ଜଣ ଘରୋଇ ଲାଇଫ୍‌ ଗାର୍ଡଙ୍କୁ ସ୍ବତନ୍ତ୍ର ପୋଷାକ ଯୋଗାଇ ଦିଆଯିବ। ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶରେ ବିଚ୍‌ ଡେଭଲପମେଣ୍ଟ କମିଟି ପକ୍ଷରୁ ୧୦୦ ଘରୋଇ ଲାଇଫ୍‌ଗାର୍ଡ ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର