ରାଉରକେଲା: ଲେବରଟେନାମେଣ୍ଟ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାରୀ ଆଇଟିଆଇ ପାର୍ଶ୍ବ ଶୌଚାଳୟ ଭିତରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୁବକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ରଘୁନାଥପାଲି ପୁଲିସ ଯୁବକକୁ ଥାନାରେ ଅଟକ ରଖିଛି। ପୀଡ଼ିତାଙ୍କ ଡାକ୍ତରମାଇନା କରି ପୁଲିସ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ ଦିବ୍ୟାଙ୍ଗ ଯୁବତୀ ଓ ତାଙ୍କ ମା’ ଲେବରଟେନାମେଣ୍ଟ ଅଞ୍ଚଳରେ ରହନ୍ତି।
ପ୍ରତିଦିନ ପରି ଆଜି ଦିବ୍ୟାଙ୍ଗ ଯୁବତୀଙ୍କ ମା’ କାମ କରିବାକୁ ବାହାରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦିବ୍ୟାଙ୍ଗ ଯୁବତୀଙ୍କ ଘରେ ପହଞ୍ଚିଥିଲେ। ଏକାକୀ ଘରେ ଥିବା ଦେଖି ଯୁବତୀକୁ ଲୋଭ ଦେଖାଇ ବସ୍ତିଠାରୁ କିଛି ଦୂର ନିଚ୍ଛାଟିଆ ସ୍ଥାନରେ ଥିବା ଶୌଚାଳୟକୁ ଡାକି ନେଇଥିଲେ। ସେଠାରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପରେ କାହାକୁ ନ କହିବାକୁ ଧମକଚମକ ଦେଇ ଘରକୁ ବିଦା କରିଦେଇଥିଲେ। ସଂଧ୍ୟାରେ ଦିବ୍ୟାଙ୍ଗ ଯୁବତୀ ଜଣକ ଏ ସଂକ୍ରାନ୍ତରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ପଡ଼ୋଶୀଙ୍କ ସହ ଦିବ୍ୟାଙ୍ଗ ଯୁବତୀଙ୍କ ମା’ ଝିଅକୁ ଧରି ରଘୁନାଥପାଲି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ।