ଦିବ୍ୟାଙ୍ଗଙ୍କ ଭତ୍ତା ସହିତ ଉନ୍ନତ ଚିକିତ୍ସା ନେଇ ପ୍ରତିଶ୍ରୁତି ଦେଲେ ବିଧାୟକ

ବେତନଟୀସଦର: ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ ଆଜିକାଲି ଚା’ ଖଟି ଠୁ ଆରମ୍ଭ କରି ଗାଁ ଗହଳିରେ ଦେଖା ଦେଇଛି ରାଜନୈତିକ ଉଷ୍ମତା। ପରିବର୍ତ୍ତନ ନେଇ ଚାଲିଛି ଚର୍ଚ୍ଚା। ନୂଆ ସରକାରର ମନ୍ତ୍ରୀ ଓ ବିଧାୟକମାନେ ଲୋକଙ୍କ ପାଖକୁ ଯାଉଛନ୍ତି। ଜନସାଧାରଣଙ୍କର ସମସ୍ୟା ସଂପର୍କରେ ଅବଗତ ହେଉଛନ୍ତି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ କଥା ହେଉଛନ୍ତି। ଏହି କ୍ରମରେ  ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଠାରେ ବିଧାୟକ ସନାତନ ବିଜୁଳି ଏକ ଚା’ ଖଟିରେ ଯୋଗ ଦେଇ ଜଣେ ସ୍ଥାନୀୟ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମସ୍ୟା ବୁଝିବା ସହିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରଛନ୍ତି।

ସୂଚନା ଅନୁଯାଇ ଗୁରୁବାର ସନ୍ଧ୍ୟାରେ ମହୁରୀସ୍ଥିତ “ନମସ୍ତେ” ଚା’ ଖଟିରେ ହଟାତ ଚା ପିଇବା ପାଇଁ ନିଜର କିଛି ସମର୍ଥକଙ୍କ ସହିତ ପହଞ୍ଚିଥିଲେ। ହେଲେ ସେହି ସମୟରେ ମୁଖ୍ୟରାସ୍ତାରେ ଯାଉଥିଲେ ସ୍ଥାନୀୟ କଦଳିଆ ଗ୍ରାମର ସ୍ବର୍ଗତଃ ଚିନ୍ତାମଣି ମନ୍ତ୍ରୀଙ୍କ ପୁଅ ହରିହର ମନ୍ତ୍ରୀ(୫୫)। ହରିହର ଜନ୍ମରୁ ପୋଲିଓରେ ଆକ୍ରାନ୍ତ। ସେ ଛୋଟେଇ ଛୋଟେଇ ଚାଲନ୍ତି। ପରେ ତାଙ୍କ ପରିବାର ପୋଷଣ ପାଇଁ ଯୌବନରେ ହରିଆଣାରେ ଯାଇ ଗୁମାସ୍ତା କାମ କରିଥିଲେ। ହେଲେ ଦଇବ ସହିଲା ନାହିଁ। ଏକ ଦୁର୍ଘଟଣାରେ ତାଙ୍କ ଡାହାଣ ହାତର ଖଞ୍ଜା ଖସି ଯାଇଥିଲା। ଫଳରେ ସେ ହାତରେ ବି ଆଉ ଠିକ ସେ କୌଣସି କାମ କରିପାରିନଥିଲେ ଏବଂ ଅର୍ଥ ଅଭାବରୁ ସେ ନିଜର ଠିକ ଚିକିତ୍ସା ମଧ୍ୟ କରି ପାରୁ ନାହାନ୍ତି। ଏବେ ବହୁତ କଷ୍ଟରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି।

ହରିହର ମନ୍ତ୍ରୀ ମହୁରୀରୁ ବୈଶିଙ୍ଗା ରାସ୍ତାରେ ଯାଉଥିବାବେଳେ ବିଧାୟକ ଚା’ ପିଉଥିବାର ଦେଖି ଆସି ତାଙ୍କ ନିକଟରେ ପହଞ୍ଚି ନିଜର ଦୁଃଖ ଜଣାଇଥିଲେ। ଏପରିକି ପୂର୍ବ ସରକାରରେ ଏଯାବତ ତାଙ୍କର ଭତ୍ତା ମଧ୍ୟ ହୋଇପାରିନି ବୋଲି ଦୁଃଖ ପ୍ରକାଶ କରିଥିଲେ। ବିଧାୟକ ତାଙ୍କ ଦୁଃଖ ଶୁଣି ସଙ୍ଗେସଙ୍ଗେ ବାରିପଦା ସିଡିଏମଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ହରିହରଙ୍କୁ ବିନା ଶୁଳ୍କରେ ଚିକିତ୍ସା କରାଇ ତାଙ୍କ ହାତକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଥିଲେ ଏବଂ ଆଗାମୀ ଦିନରେ ବ୍ଲକ ପ୍ରଶାସନକୁ କହି ତାଙ୍କର ଭତ୍ତା ମଧ୍ୟ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।ଏହି ସମୟରେ ବିଧାୟକଙ୍କ ଏକାଧିକ ସହଯୋଗୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ବିଧାୟକଙ୍କ ଏତାଦୃଶ କାମରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉଚ୍ଚପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର