ଅଲୋଡ଼ା ହେଲା ଦିବ୍ୟାଙ୍ଗ ଶିଶୁକନ୍ୟା: ଜଂଗଲରେ ଛାଡ଼ିଦେଲେ ନିଷ୍ଠୁର ପିତାମାତା, ଉଦ୍ଧାର କଲେ ଦୁଇ ମହିଳା

ମାଲକାନଗିରି: ଅଲୋଡା ହେଲା ଦିବ୍ୟାଙ୍ଗ ଶିଶୁ କନ୍ୟା। ଜଂଗଲର ଏକ ଗଛ ତଳେ ଦିବ୍ୟାଙ୍ଗ ଶିଶୁକନ୍ୟାକୁ ଛାଡି ଦେଲେ ନିଷ୍ଠୁର ପିତାମାତା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ।

ସନ୍ତାନଟିଏ ପାଇଁ ପିତାମାତା ୧୬ ସୋମବାର କରିବା ସହ ୩୩ କୋଟି ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଜଣେ ସୁସ୍ଥ ସନ୍ତାନ ବଦଳରେ ଯଦି ଦିବ୍ୟାଙ୍ଗ ସନ୍ତାନଟିଏ ଜନ୍ମ ହୁଏ ତେବେ ତାକୁ ହତାଦାର କରନ୍ତି ଏହି ପିତାମାତା। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଅଚିହ୍ନ ଦିବ୍ୟାଙ୍ଗ ଶିଶୁକନ୍ୟା ପିତାମାତାଙ୍କ ପାଇଁ ବୋଝ ପାଲଟିଯାଇଥିଲା। ପିତାମାତା ତାର ସେବା ଯତ୍ନ କରି ଥକି ଯାଇଥିଲେ ବୋଧେ। ତେଣୁ ତାକୁ ମରିବା ପାଇଁ ଜଂଗଲର ଏକ ଗଛ ତଳେ ଛାଡି ଚାଲିଯାଇଥିଲେ।

ତେବେ ଯାହାକୁ ରଖେ ଅନନ୍ତ,ତାକୁ କି କରିପାରେ ବଳବନ୍ତ ସଦୃଶ୍ୟ ଏହି ଝିଅକୁ ଦୁଇ ମହିଳା ମାଛ ଧରିବାକୁ ଯାଉଥିବା ସମୟରେ ଡାଇକ-୩ ନିକଟସ୍ଥ ଜଂଗଲର ଏକ ଗଛ ତଳୁ ଉଦ୍ଧାର କରିଥିଲେ। ଗତ ଚାରି ପାଞ୍ଚ ଦିନ ତଳେ ଏହି ଝିଅକୁ ସେମାନେ ଉଦ୍ଧାର କରିଥିଲେ। ଏହି ଦୁଇ ମହିଳା ହେଲେ ଡାଇକ-୩ ଗ୍ରାମର ସୁକଳଦେଇ ହନ୍ତାଳ ଓ ମଙ୍ଗୁଳି ମାଝି। ଦୁହେଁ ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ନିଜ ଘରେ ଆଣି ରଖିଲେ। ତାର ସେବା ଯତ୍ନ ନେଲେ। କେହି ମଧ୍ୟ ଶିଶୁକନ୍ୟାକୁ ଖୋଜିବାକୁ ଆସିନଥିଲେ। ଶିଶୁକନ୍ୟାଟି କେବଳ ଶୋଇ ରହୁଛି। ନା ଚାଲି ପାରୁଛି, ନା କଥା କହି ପାରୁଛି। କେବଳ ଚାତକ ପକ୍ଷୀ ଭଳି ଚାହିଁ ରହୁଛି।

ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୁଇ ମହିଳା ଏହି ଦିବ୍ୟାଙ୍ଗ ଶିଶୁକନ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ତୁରନ୍ତ ଜିଲ୍ଲାପାଳ ସଚିନ ପାୱାର ସିଡିଏମଓଙ୍କୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଦିବ୍ୟାଙ୍କ ଶିଶୁକନ୍ୟାର ରକ୍ଷଣାବେକ୍ଷଣ ସହ ସସମ୍ତ ସୁବିଧା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଏଭଳି ଅସହାୟ ଅବସ୍ଥାରେ ମରିବା ଛାଡିଥିବା ପିତାମାତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ପୁଲିସ ଏନେଇ ତଦନ୍ତ କରିବା ସହ କାହିଁକି ଓ କେଉଁ ପରିସ୍ଥିତିରେ ପିତାମାତା ଏଭଳି କଲେ ତାହାର ତଦନ୍ତ ହେବା ଦରକାର ବୋଲି ଦାବି ହୋଇଛି।

 

ସମ୍ବନ୍ଧିତ ଖବର