ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

ମାଲକାନଗିରି: କାଲିମେଳା ବ୍ଲକର ସୁଧାକୋଣ୍ଡା ଗ୍ରାମରେ ଗତ ଏକ ମାସ ତଳେ ଜଣେ ଦିବ୍ୟାଙ୍ଗ ଯୁବତୀକୁ ଜଣେ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଘଟଣା ଥମିନଥିବା ବେଳେ ଏବେ ପୁଣି ଆଉ ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ ହୋଇଥିବା ଘଟଣା ପଦାକୁ ଆସିଛି। ଏହି ଘଟଣା ମଧ୍ୟ କାଲିମେଳା ଥାନା ଅଂଚଳରେ ଘଟିଛି।ବାରମ୍ବାର ଦିବ୍ୟାଙ୍ଗ ଝିଅମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ଏବେ ସାଧାରଣରେ ବେଶ ଆଲୋଚନା ଜୋର ଧରିଛି।

ଘଟଣା ଅନୁଯାୟୀ କାଲିମେଳା ବ୍ଲକର ଭେଜଙ୍ଗବାଡା ପଞ୍ଚାୟତ ଅଧୀନ ଏକ ଗାଁରେ ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ ଥିବା ନେଇ ପୀଡିତାଙ୍କ ବାପା କାଲିମେଳା ଥାନାରେ ଏତଲା ଦାୟର କରିଛନ୍ତି। ପୀଡିତାଙ୍କ ବାପା ସମ୍ବାଦକୁ ସାକ୍ଷାତ କରି କହିଛନ୍ତି ଯେ ଝିଅ କଥା କହିପାରୁନଥିବା ସହ ମାନସିକ ଅଗ୍ରସର ଅଟନ୍ତି। ଝିଅ ଘରୁ ବେଳେ ବେଳେ ବାହାରକୁ ଚାଲିଯାଏ। ତେବେ ସେ କାହା ସହ କଣ କଥା ହେଉଛି କିଛି ଜାଣିପାରେ ନାହିଁ। ଗତ ଡିସେମ୍ବର ଏବଂ ଜାନୁଆରି ମାସରେ ଧାନ କଟାକଟି ଥିବା ଯୋଗୁଁ ପରିବାରର ସମସ୍ତେ ବିଲକୁ ଧାନ କାଟିବାକୁ ଚାଲିଯାଇଥିଲୁ। ମୋ ଝିଅ ରାମେ ଘରେ ଏକା ରହୁଥିଲା। ତେବେ ଝିଅକୁ ଏକା ପାଇ କେହି ଅଭିଯୁକ୍ତ ବାରମ୍ବାର ଶାରିରୀକ ସଂପର୍କ ସ୍ଥାପନ କରି ତାକୁ ଗର୍ଭବତୀ କରିଛି ବୋଲି ବାପା ପ୍ରକାଶ କରିଥିଲେ।

 

ଝିଅର ଶାରିରୀକ ପରିବର୍ତ୍ତନ ହେବାରୁ ମା’ ପଦିଏ କାବାସୀ ସଂଦେହ କରି ପ୍ରଥମେ କାଲିମେଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ କିଛି ଜଣାପଡିନଥିବାରୁ ସେମାନେ ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ। ମାଲକାନଗିରି ଡାକ୍ତରଖାନାରେ ଝିଅର ଯାଞ୍ଚ କରିବା ପରେ ସେ ଗର୍ଭବତୀ ଥିବା ଜଣାପଡିଛି। ବାପା କହିବା ଅନୁଯାୟୀ ଝିଅର ଏବେ ଚାରିମାସ ହୋଇଗଲାଣି। ଏନେଇ କାଲିମେଳା ଥାନାରା ବାପା ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ଏବେ ଅଭିଯୁକ୍ତକୁ ଖୋଜୁଛି। ପୀଡିତା ଭିନ୍ନକ୍ଷମ ହୋଇଥିବା ବେଳେ ଏହାର ସୁଯୋଗ ନେଇ କିପରି ଏଭଳି ଦୁଷ୍କର୍ମ କରାଯାଇଛି ,ଏହାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।ଅନ୍ୟଦିଗରେ କାଲିମେଳା ଆଇଆଇସି ରଘୁନାଥ ମାଝିଙ୍କୁ ପଚାରିବାରୁ ସେ ଏନେଇ କେଶ ହୋଇଥିବା କହିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର