ଚନ୍ଦ୍ରପୁର: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ଶିବପଦର ପଞ୍ଚୟତ ଅନ୍ତର୍ଗତ ପିଜିବାଲି ଗ୍ରାମରେ ଅନନ୍ତ ସିକକାଙ୍କ ଘର। ଅନନ୍ତକୁ ପିଲାଟି ଦିନରୁ ହିଁ ଦୁଃଖ ଛାଡୁ ନାହିଁ। ସେ ଯେତେବେଳେ ୭ ବର୍ଷର ପିଲା ହୋଇଥିଲେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ବାପାଙ୍କର ଦେହାନ୍ତ ପରେ ମା’ ଆଉ ଜଣେ ଯୁବକ ସହ ବାହା ହୋଇ ଚାଲିଯାଇଥିଲେ।ଅନନ୍ତଙ୍କ ପିଉସୀ ତାର ଦେଖାଶୁଣା କଲେ। ଅନନ୍ତ ସ୍କୁଲ ଯିବା ଆରମ୍ଭ କରିଥିଲା। ସେତେବେଳେ ସେ ବସନ୍ତ ରୋଗରେ ପଡି ଗୁରୁତର ହୋଇଥିଲେ, ଯାହାଫଳରେ ସେ ନିଜର ଦୁଇ ଆଖିକୁ ହରାଇଲେ। ଦୃଷ୍ଟିହୀନ ହେବା ପରେ ପରିବାର ଲୋକେ ମଧ୍ୟ ତାକୁ ଆଉ ପଚାରିଲେ ନାହିଁ। ସେ ମୁନିଗୁଡାର ନ୍ୟୁ ହୋପ ସେଣ୍ଟରରେ ଦୁଃଖକଷ୍ଟରେ ରହିଲେ। ତାଂକ ବଡ ଭାଇ ମଧ୍ୟ ତାଂକୁ ପଚାରିଲା ନାହିଁ। ସେ ବାହା ହୋଇ ଅନ୍ୟତ୍ର ରହୁଛନ୍ତି।
ଦୃଷ୍ଟିହୀନ ହୋଇଥିବାରୁ ସରକାରଙ୍କ ତରଫରୁ ୭ ଶହ ଟଂକା ମିଳୁଥିବା ଅନନ୍ତ କହନ୍ତି। କିନ୍ତୁ ପରିବାରରେ ତାଂକୁ କେହି ସଂପର୍କ ନରଖିବା ପରେ ସେ ବୁଲି ବୁଲି ଭିକ୍ଷାବୃତ୍ତି କରି ନିଜର ଜୀବନ ଅତିବାହିତ କରୁଛନ୍ତି। ଏବେ ସେ ରାୟଗଡାର ବସଷ୍ଟାଣ୍ଡକୁ ନିଜର ଘର ବୋଲି ଭାବି ନେଇଛନ୍ତି। ସକାଳ ୬ଟା ହେବା ମାତ୍ରେ ବସଷ୍ଟାଣ୍ଡ ନିକଟରେ ରହିଥିବା ଆହାର କେନ୍ଦ୍ର ନିକଟରେ ସେ ଛିଡା ହୋଇଥାନ୍ତି। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଯଦି ଦୟା କରି କିଛି ଦିଅନ୍ତି ତେବେ ସେ ସେଥିରେ ଚଳନ୍ତି। ବେଳେ ବେଳେ ସେ ଭୋକରେ ମଧ୍ୟ ଶୋଇପଡନ୍ତି। ପାଖରେ ଟଂକା ନଥିବା ସେ କାହାକୁ କହନ୍ତି ନାହିଁ। ଦିନ ତମାମ ଗୋଟିଏ ସ୍ଥାନରେ ହିଁ ଛିଡା ହୋଇ ରହନ୍ତି। ସବୁବେଳେ ଭଗବାନଙ୍କୁ ସ୍ମରଣ କରୁଥାନ୍ତି।
/sambad/media/post_attachments/wp-content/uploads/2024/02/Rgda-Anant-blind-man-story-4.jpg)
ଦିନରେ ଆହାର କେନ୍ଦ୍ରରୁ ୫ ଟଂକା ଦେଇ ମଧ୍ୟାହ୍ନ ଭୋଜନ କରନ୍ତି। ରାତିରେ ବସଷ୍ଟାଣ୍ଡ ନିକଟରେ ରହିଥିବା ଏକ ହୋଟେଲରେ ଖାଆନ୍ତି। ତେବେ ତାଂକୁ କମ୍ ଟଂକା ନିଅନ୍ତି ବୋଲି ଅନନ୍ତ କହନ୍ତି। ଶୀତର ପ୍ରକୋପ ଏବେ ବି ରାୟଗଡାରେ ଜାରି ରହିଥିଲେ ମଧ୍ୟ ସେ ବସଷ୍ଟାଣ୍ଡ ବାରଣ୍ଡାରେ ହିଁ ସେହି ଶୀତରେ ଥରି ଥରି ଶୋଇଥାନ୍ତି। ତେବେ ରାତି ତମାମ ନିଦ ହୁଏ ନାହିଁ ବୋଲି ସେ କହନ୍ତି। ପୁଣି ସେ ଏକ ବ୍ୟାଗରେ ନିଜର ସମସ୍ତ ଆସବାବପତ୍ର ରଖିଛନ୍ତି। ତାକୁ ଧରି ଦିନରାତି ରହିଥାନ୍ତି। କାରଣ ରାୟଗଡାରେ ଚୋରଙ୍କ ସଂଖ୍ୟା ବହୁତ ଥିବାରୁ କୌଣସି ମୁହର୍ତ୍ତରେ ମଧ୍ୟ ତାଂକର ଏହି ବ୍ୟାଗକୁ ଚୋରି କରି ନେବାରେ ଚୋର ସଂକୋଚ କରିବ ନାହିଁ। ଜୀବନ ସାରା ସେ ଏକାକୀ ସଂଘର୍ଷ କରିଆସୁଛନ୍ତି। ତାଂଙ୍କୁ ଆହା ବୋଲି ପଚାରିବାକୁ କେହି ନାହାନ୍ତି। ନିଜର ସାଥୀ ନିଜେ ହୋଇ ରହିଛନ୍ତି। ନିଜକୁ ଭଗବାନଙ୍କ ନକଟରେ ସମର୍ପିତ କରିଦେଇଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଏଭଳି ସଂଘର୍ଷ ଜାରି ରହିବ ବୋଲି କହନ୍ତି। ଭଗବାନ କାହାକୁ ଦୃଷ୍ଟିହୀନ ଏବଂ ବାପା ମାଆ ଛେଉଣ୍ଡ ନକରନ୍ତୁ ବୋଲି ସେ ସବୁବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳେ। ତାଂକର ଏହି ସଂଘର୍ଷର କାହାଣୀ ଅନ୍ୟମାନଙ୍କୁ ନିଶ୍ଚିତ ଦୁଃଖ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/aa7c9948-3bbc-489c-acf9-ae5bb249969a.jpeg)