ଦିବ୍ୟାଂଶୀ ପାଇଲେ ‘ଗାଲାଣ୍ଟ୍ରି ଆୱାର୍ଡ’

କଟକ : ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମ୍ମାନଜନକ ‘ଗାଲାଣ୍ଟ୍ରି ଆୱାର୍ଡ’ ପାଇବାର ଗୌରବ ଅର୍ଜନ କରିଛନ୍ତି କଟକ ଗଣ୍ଡରପୁରସ୍ଥିତ ଏଲ୍ଆର୍ ଡିଏଭି ପବ୍ଲିକ୍‌ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ଦିବ୍ୟାଂଶୀ ଦାଶ। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସର୍ବଭାରତୀୟ ବିଦ୍ୟାଳୟସ୍ତରୀୟ ‘ବୀରଗାଥା’ ପ୍ରତିଯୋଗିତାରେ ଦିବ୍ୟାଂଶୀ ଦାଶ ଭାଗ ନେଇ ଏହି ପୁରସ୍କାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପ୍ରତିଯୋଗିତାରେ ଦେଶର ୪୭୬୬ଟି ବିଦ୍ୟାଳୟରୁ ୮୦୩୯୭୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଦିବ୍ୟାଂଶୀ ଶ୍ରେଷ୍ଠ ୨୫ଜଣଙ୍କ ମଧ୍ୟରେ ରହି ରାଜ୍ୟ ତଥା ନିଜ ବିଦ୍ୟାଳୟ ପାଇଁ ସ୍ବନାମ ଅର୍ଜନ କରିଛନ୍ତି। ଶୁକ୍ରବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରେକ୍ଷାଳୟରେ ଆୟୋଜିତ ସମ୍ମାନ ପ୍ରଦାନ ସମା‌ରୋହରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟ ସୁରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, ଦେଶର ତିନି ସେନା ମୁଖ୍ୟ, କାରଗିଲ୍‌ ଯୁଦ୍ଧର ‌ଯୋଦ୍ଧା, ଗାଲାଣ୍ଟ୍ରି ଆୱାର୍ଡି ଯୋଗେନ୍ଦ୍ର ଯାଦବ, ସିବିଏସ୍ଇ ମୁଖ୍ୟ ସଚିବ ରାକେଶ ମିତ୍ତଲ ଅତିଥି ଭାବେ ଦିବ୍ୟାଂଶୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ସଭାସ୍ଥଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିବ୍ୟାଂଶୀଙ୍କୁ ‘ବୀରସେନା ସମ୍ମାନ’ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ସଫଳତା ପାଇଁ ଏଲ୍‌ଆର୍‌ ଡିଏଭି ଅଧ୍ୟକ୍ଷ ନିରଞ୍ଜନ ସ୍ବାଇଁ ଦିବ୍ୟାଂଶୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର