ଭୁବନେଶ୍ବର : ବି-ଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଜୁନ୍ରେ ଅନୁଷ୍ଠିତ ପ୍ରଥମ ସେସନ୍ ଜେଇଇ(ଯୁଗ୍ମ ପ୍ରବେଶିକା ପରୀକ୍ଷା) ଫଳ ସୋମବାର ଦିନ ପ୍ରକାଶ ପାଇଛି। ପରୀକ୍ଷା ଲାଗି ଦେଶର ୮ ଲକ୍ଷ ୭୨ ହଜାର ୪୩୨ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୬୯ ହଜାର ୫୮୯ ଜଣ ପରୀକ୍ଷାରେ ଭାଗ ନେଇଥିଲେ।
ସେଥିମଧ୍ୟରୁ ୧୪ ଜଣ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ତେଲେଙ୍ଗାନାରୁ ସର୍ବାଧିକ ୪ ଜଣ ତାଲିକାରେ ଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୩ ଜଣ, ହରିଆଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଆସାମରୁ ଜଣେ ଲେଖାଏ ତାଲିକାରେ ସ୍ଥାନ ପାଇଛନ୍ତି। ଓଡ଼ିଶାରୁ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍ ରୢାଙ୍କ ହାସଲ କରିଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ର ଦିବ୍ୟାଂଶୁ ମଲ୍ଲୁ ୯୯.୯୮୯ ପର୍ସେଣ୍ଟାଇଲ୍ ରଖି ଓଡ଼ିଶା ଟପର୍ ହୋଇଛନ୍ତି।
ଓଡ଼ିଶା ଟପର୍ ହୋଇଥିବା ଛାତ୍ର ଦିବ୍ୟାଂଶୁଙ୍କ ସଫଳତା ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି ଯେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଛାତ୍ର ଓଡ଼ିଶାକୁ ଦେଶରେ ଗୌରବାନ୍ୱିତ କରିପାରିଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରତିଷ୍ଠାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇଆସିଛି। ଛାତ୍ରଛାତ୍ରୀ କେବଳ ଶିକ୍ଷା ନୁହେଁ, ବରଂ ଅନ୍ୟ ସମସ୍ତ କ୍ଷେତ୍ରରେ ମଧ୍ୟ ଲଗାତାର ସଫଳତା ହାସଲ କରିଆସୁଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା ସ୍କୁଲର ଚେୟାରପର୍ସନ ମୋନାଲିସା ବଳ ଓ ଅଧ୍ୟକ୍ଷ ସଞ୍ଜୟ ସୁଆରଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି।
କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜରାଟୀ, ଆସାମୀ, ବେଙ୍ଗଲୀ, କନ୍ନଡ଼, ମାଲାୟଲମ୍, ମରାଠୀ, ପଞ୍ଜାବୀ, ତାମିଲ୍, ତେଲୁଗୁ ଓ ଊର୍ଦ୍ଦୁ ଭାଷାରେ ଅନୁଷ୍ଠିତ ହୋଇଥିଲା। ବିଦେଶର ୧୭ଟି ସମେତ ୪୦୭ଟି ସହରର ୫୮୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ରରେ ପାଖାପାଖି ୩୫ ହଜାର କ୍ୟାମେରା ଓ ୨୯ ହଜାର ଜାମର ଲଗାଯାଇ ପରୀକ୍ଷା ଉପରେ ନଜର ରଖାଯାଇଥିଲା। ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପରିସରରେ ସ୍ବତନ୍ତ୍ର କ୍ୟାମ୍ପ ହୋଇଥିଲା। କୋଭିଡ୍ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି।