ମୁହଁ ଖୋଲିଲେ ଦିବ୍ୟଶଙ୍କର; ମାଣିକେଶ୍ବରୀଙ୍କ ନାଁ ନେଇ କହିଲେ, ଅପରାଧ ସହ ସମ୍ପର୍କ ନାହିଁ

ତିନି ଗଣମାଧ୍ୟମ ସଂସ୍ଥା ନାଁରେ ମାନହାନି ମକଦ୍ଦମା କଲେ
ଗୋବିନ୍ଦ ସାହୁ ସହ ସମ୍ପର୍କ ବିଷୟରେ କିଛି କହିଲେନି

ଭୁବନେଶ୍ୱର : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଅପରାଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହି ଘଟଣାରେ କିଛି ଗଣମାଧ୍ୟମ ତାଙ୍କୁ ମିଥ୍ୟା ଆଧାରରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଆରୋପ ଲଗାଇଛନ୍ତି। ଏଥିପାଇଁ ସେ ତିନିଟି ଗଣମାଧ୍ୟମ ନାଁରେ ମାନହାନି ମକଦ୍ଦମା କରିଥିବା ସୂଚନା ଦେଇଛନ୍ତି। ତେବେ ଗୋବିନ୍ଦ ସାହୁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

ଏକ ପ୍ରେସ୍ ବିବୃତି ଜାରି କରି ଶ୍ରୀ ମିଶ୍ର କହିଛନ୍ତି ଯେ ମୁଁ ଜଣେ ବିଧାୟକ ଓ ବାୟୁସେନା ଅଧିକାରୀ ଭାବେ ଅନେକ ଶିକ୍ଷାନୁଷ୍ଠାନଗୁଡ଼ିକର କାର୍ଯ୍ୟକ୍ରମରେ ଯୋଗଦିଏ।

ଜନପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦିଅନ୍ତି। ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ। ମୁଁ ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ଅନୁରୋଧ କରିବି ଯେ ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୋଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ଏହାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ। ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ, ବରଂ ମୁଁ ସାଧାରଣ ଜୀବନରୁ ସନ୍ନ୍ୟାସ ନେଇଯିବି। ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ।

ଗୃହ ରାଷ୍ଟ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ମମିତା ମେହେରଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ। ମୁଁ ଜଣେ ବାପା ଓ ମମିତାଙ୍କ ପରିବାର କିପରି ଦୁଃଖ ଓ ଯନ୍ତ୍ରଣାରେ ଅଛନ୍ତି, ତାହା ମୁଁ ବୁଝିପାରୁଛି। ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ। ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ମୋର ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ। ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି। ତିନିଟି ନିର୍ଦ୍ଦିଷ୍ଟ ସଂସ୍ଥା ଅର୍ଗସ୍‌ ଟିଭି, ଓଟିଭି ଓ ଓଡ଼ିଶା ରିପୋର୍ଟର ସେମାନଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ରାଜନୈତିକ ଫାଇଦା ପାଇଁ ମିଥ୍ୟା ମନଗଢ଼ା ଓ ଭିତ୍ତିହୀନ ଅଭିଯୋଗ ଆଣି ମୋର ଚରିତ୍ର ସଂହାର ଓ ମାନସିକ ନିର୍ଯାତନା ଦେଇଥିବା ହେତୁ ମୋ ପରିବାର କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛି। ଏହି ଗଣମାଧ୍ୟମ ସେମାନଙ୍କର ମୋ ପ୍ରତି ବଦନାମ ଅଭିଯାନ ଚଳାଇବା ବ୍ୟତୀତ ମୋର ନିରବତାକୁ ପ୍ରଶ୍ନ କରୁଛନ୍ତି। ମୁଁ ସର୍ବଦା ବିଶ୍ବାସ କରେ ଯେ ସମ୍ବେଦନଶୀଳ ଜଘନ୍ୟ ଅପରାଧରେ ଆଇନ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ମୁକ୍ତ ଓ ନିରପେକ୍ଷ ଢଙ୍ଗରେ କାର୍ଯ୍ୟ କରିବା ଉଚିତ। ଏହା ଦ୍ବାରା ଆଇନ ଅନୁଯାୟୀ ଅଭିଯୁକ୍ତର ବିଚାର ହୋଇପାରିବ। ତେଣୁ ମୁଁ ସବୁବେଳେ ଏପରି ଜଘନ୍ୟ ଅପରାଧରେ ମନ୍ତବ୍ୟ ଦେବାଠାରୁ ଦୂରେଇ ରହିଥିଲି। କିନ୍ତୁ ଗଣମାଧ୍ୟମର ଏପରି ଅଭିଯାନ ମୋ ପରିବାରକୁ ପ୍ରଭାବିତ କରୁଥିବାରୁ ମୁଁ ଏହି ମନ୍ତବ୍ୟ ଦେବାର ଆବଶ୍ୟକତା ଅନୁଭବ କଲି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏବଂ କିଛି ବିରୋଧୀ ରାଜନୈତିକ ଦଳ ଦ୍ବାରା ଚଳାଯାଉଥିବା ଏହି ବଦନାମ ଅଭିଯାନ ଓଡ଼ିଶାରେ ଏକ ଖରାପ ‌ରାଜନୈତିକ ପରମ୍ପରା ସୃଷ୍ଟି କରିଛି। ବିଶେଷକରି, ଗଣମାଧ୍ୟମର କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏଭଳି ଜଘନ୍ୟ ଅପରାଧରେ ସଂକୀର୍ଣ୍ଣ ରାଜନୈତିକ ଲାଭ ପାଇଁ ସତ୍ୟ, ସହାନୁଭୂତି ଓ ସମ୍ବେଦନଶୀଳତାର ମୂଲ୍ୟକୁ ଜଳାଞ୍ଜଳି ଦେଇଛନ୍ତି। ମୁଁ ଏହି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀକୁ ଅନୁରୋଧ କରୁଛି ଯେ ଏହି ଘୃଣ୍ୟ ଅପରାଧକୁ ସେମାନେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହାର କରନ୍ତୁ ନାହିଁ। ବରଂ ସାମ୍ବାଦିକତାର ନୈତିକତା ଅନୁଯାୟୀ ବଞ୍ଚନ୍ତୁ, ଯାହା କି ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥା ନିକଟରୁ ଆଶା କରାଯାଏ।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି, ବାୟୁସେନାରେ ଥିଲି। ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି ଯେ ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ। ମୁଁ ଉଚ୍ଚ ବେତନପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳହାଣ୍ଡି ଲୋକଙ୍କର ସେବା ପାଇଁ ରାଜନୀତିରେ ଯୋଗ ‌ଦେଇଥିଲି। ଯେତେବେଳେ ମୁଁ ରାଜନୀତିରେ ଯୋଗଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ। ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନ ଠାରୁ ମୋ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି। ଏହାସହ ମା’ ମାଣିକେଶ୍ବରୀଙ୍କ ନାମରେ ଶପଥ ନେଇ କହିଛନ୍ତି ଯେ ଏହି ଅପରାଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ।

ସମ୍ବନ୍ଧିତ ଖବର