ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ପୁରୀ: ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଦିବ୍ୟ ସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯାଇଛି। ବଡ଼ ଠାକୁର ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଗରା, କାଳିଆ ଠାକୁର ୩୫ ଗରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଏବେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି କରାଯାଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ସ୍ନାନ ବେଦୀରେ ଦେଖିବାର ଅପୂର୍ବ ସୁଯୋଗ ପାଇଛନ୍ତି।  ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି।

ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ। ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ। ପରେ ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ପ୍ରଣୀତାକୂପ’ ବୋଲି କୁହାଯାଏ।

ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ,  ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ। ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ। ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ।

ସମ୍ବନ୍ଧିତ ଖବର