ଅନ୍‌ଲାଇନ୍ ଅଭିଯୋଗ ଗ୍ରହଣ କରୁନି ଯୋଗାଣ ବିଭାଗ, ମହାମାରୀ ସମୟରେ ହଇରାଣ ହେଉଛନ୍ତି ରାସନ୍ କାର୍ଡ ହିତାଧିକାରୀ

ପଡ଼ି ରହିଛି ୧୨,୫୬୬ ମାମଲା

ଭୁବନେଶ୍ବର: ମହାମାରୀ ସମୟରେ ସବୁ କାମ ଅନ୍‌ଲାଇନ୍‌ରେ କରିବାକୁ ଗୁରୁତ୍ବ ଦିଆଯାଉଛି। ରାଜ୍ୟ ସରକାର ମଧ୍ୟ ସରକାରୀ କାର୍ଯ୍ୟାଳୟକୁ ନ ଆସି ଅନ୍‌ଲାଇନ୍‌ ମାଧ୍ୟମରେ ଆପତ୍ତି ଅଭିଯୋଗ ଜଣାଇବାକୁ ଲୋକଙ୍କୁ ନିବେଦନ କରୁଛନ୍ତି। କିନ୍ତୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବିପରୀତ ଦିଗରେ ଗତି କରୁଛି। ରାସନ୍ କାର୍ଡ ସଂକ୍ରାନ୍ତୀୟ କୌଣସି ଅଭିଯୋଗ ଅନ୍‌ଲାଇନ୍‌ରେ ଦାଖଲ କଲେ, ତାହା ଗ୍ରହଣ କରାଯାଉନି। ବାରମ୍ବାର ‘ଏରର୍‌’ଦେଖାଉଛି। ତିନି ସପ୍ତାହରୁ ଅଧିକ ଦିନ ହେଲାଣି ଏହି ସମସ୍ୟା ଲାଗି ରହିଥିଲେ ବି ତାହାର ସମାଧାନ ପାଇଁ ତତ୍ପରତା ପ୍ରକାଶ ନ ପାଇବା ଆଶ୍ଚର୍ଯ୍ୟର ବିଷୟ।

ମହାମାରୀ ସମୟରେ ରାସନ୍‌ କାର୍ଡଧାରୀମାନଙ୍କୁ ଠିକ୍ ଭାବେ ସେବା ଯୋଗାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ବହୁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିଲା ବେଳେ ରାସନ୍ କାର୍ଡ ହିଁ ସେମାନଙ୍କର ଏକମାତ୍ର ଭରସା। ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ହୋଇ ମଧ୍ୟ ରାସନ କାର୍ଡରୁ ବଞ୍ଚିତ, କାର୍ଡରୁ ନାମ ବାଦ, ଆଧାର କାର୍ଡ ଅମେଳ ଯୋଗୁଁ ଅଚାନକ ବାଦ ପଡ଼ିଥିଲେ, ଶାଶୂଙ୍କ ନାମରେ ଥିବା କାର୍ଡରେ ନବବଧୂଙ୍କୁ ସାମିଲ, ବିତରଣ କେନ୍ଦ୍ରରେ ସରକାରଙ୍କ ଲକ୍‌ଡାଉନ୍ ଫ୍ରି ଚାଉଳ ମିଳୁ ନ ଥିଲେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଅନ୍ତର୍ଗତ ଅଭିଯୋଗ ପୋର୍ଟାଲରେ ଦୃଷ୍ଟି ଆକର୍ଷଣ ପାଇଁ ପରାମର୍ଶ ଦିଆଯାଉଛି। କରୋନା ପାଇଁ କାର୍ଯ୍ୟାଳୟକୁ ନ ଯାଇ ଅନ୍‌ଲାଇନରେ ଅଭିଯୋଗ ଦାଖଲ କଲେ ଶୀଘ୍ର ସମାଧାନ ହେବ ବୋଲି ମନ୍ତ୍ରୀ ଓ ଅଧିକାରୀ କହୁଛନ୍ତି।

ମାତ୍ର ବାସ୍ତବତା ହେଲା, ପ୍ରଥମତଃ ଅନଲାଇନ ପୋର୍ଟାଲ ସମ୍ପର୍କରେ ବ୍ୟାପକ ପ୍ରଚାର ହେଉନାହିଁ। ଏଥି ଯୋଗୁଁ ଏହାର ବ୍ୟବହାର ବଢୁ ନାହିଁ, ଲୋକେ ଖର୍ଚାନ୍ତ ହୋଇ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ପୋର୍ଟାଲ୍‌ରେ ଯେଉଁ ଅଭିଯୋଗ ହେଉଛି ଏହାକୁ ଗୁରୁତ୍ବ ଦିଆଯାଉନଥିବା କୁହାଯାଉଛି। ଅନ୍‌ଲାଇନରେ ଅଭିଯୋଗ କଲେ ମଧ୍ୟ ଗ୍ରହଣ ହେଉନାହିଁ। ସମ୍ବଲପୁର ସହର ମୁଦିପଡ଼ାର ଦୋକାନ କର୍ମଚାରୀ କବିତା ନାଏକ କହନ୍ତି, ପରିବାରରେ ମା’ ସହିତ ସେମାନେ ତିନି ଭଉଣୀ ଅଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡ ପାଇବା ଦିନ ଠାରୁ ହିଁ ତାଙ୍କ ନାମକୁ ବାଦ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ସମୟରେ ଯୋଗାଣ କାର୍ଯ୍ୟାଳୟ, ଏସ୍‌ଏମ୍‌ସି ଅଫିସରେ ଅଭିଯୋଗ କଲେ ମଧ୍ୟ କୌଣସି ଲାଭ ହେଉନାହିଁ। ବର୍ତ୍ତମାନ ମହାମାରୀରେ ରାସନ କାର୍ଡ ଚାଉଳର ଆବଶ୍ୟକତା ବଢିଯାଇଛି। କରୋନା ଯୋଗୁଁ କାର୍ଯ୍ୟାଳୟ ଯାଇ ପାରୁ ନାହାନ୍ତି, ୧୫ ଦିନରୁ ଊର୍ଧ୍ବ ସମୟରେ ଅନଲାଇନରେ ଅଭିଯୋଗ କରୁଥିଲେ ମଧ୍ୟ ପ୍ରତିଥର ଏରର ଦେଖାଉଛି। କେବଳ କବିତା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଅନେକ ହିତାଧିକାରୀ ସମାନ ଅଭିଯୋଗ କରନ୍ତି। ବାହାରେ କାର୍ଯ୍ୟ କରୁଥିଲେ, ଘରକୁ ଫେରି ନିଜ ନାମ ସାମିଲ ପାଇଁ ଚାହିଁଲେ ବି ହୋଇ ପାରୁନଥିବା କୁହାଯାଉଛି।

ଗ୍ରିଭାନ୍ସ ରିଡ୍ରେସାଲ ସିଷ୍ଟମ ପକ୍ଷରୁ ଜାରି ସୂଚନା ଅନୁସାରେ, ଅନ୍‌ଲାଇନ ମାଧ୍ୟମରେ ବିଭାଗକୁ ସମୁଦାୟ ୩୭ ହଜାର ୫୫୫ ଅଭିଯୋଗ ମିଳିଛି। ଏଥିରୁ ୧୪୧୬ ନାକଚ କରାଯାଇଛି, ୨୩ ହଜାର ୫୭୩ ସମାଧାନ କରାଯାଇଛି। ୧୨ ହଜାର ୫୬୬ ସମାଧାନ କରାଯାଇନାହିଁ। ସର୍ବାଧିକ ଅଭିଯୋଗ ପକାଇ ରଖିଥିବା ଜିଲ୍ଲା ମଧ୍ୟରେ ଗଞ୍ଜାମ ଆଗୁଆ ରହିଛି। ଏଠାରେ ସର୍ବାଧିକ ୨୯୦୬ ଅଭିଯୋଗ ପଡ଼ିଛି। ବାଲେଶ୍ବରରେ ୧୮୫୩, ଭଦ୍ରକରେ ୩୭୫, ବଲାଙ୍ଗୀରରେ ୩୭୮, ବୌଦ୍ଧରେ ୫୮, କଟକରେ ୨୧୬୪, ଗଜପତିରେ ୧୫୬, ଜଗତସିଂହପୁର ୪୩୯, ଯାଜପୁର ୬, ଝାରସୁଗୁଡ଼ା ୧୪, କଳାହାଣ୍ଡି ୫୧୬, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୧୯, କେନ୍ଦୁଝର ୬୦୨, ଖୋର୍ଧା ୧୭୦୯, ମୟୂରଭଞ୍ଜ ୩୪୨, ନୟାଗଡ଼ ୭୨୮, ନୁଆପଡ଼ା ୫, ରାୟଗଡ଼ା ୮୫, ସମ୍ବଲପୁର ୮୯, ସୁବର୍ଣ୍ଣପୁର ୧୬, ସୁନ୍ଦରଗଡ଼ ୮୫ ଅଭିଯୋଗ ଅମିମାଂସିତ ହୋଇ ପକାଇ ରଖାଯାଇଛି। କେବେ ଏହାର ସମାଧାନ ହେବ ଏହାକୁ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ସୂଚନା ଅନୁଯାୟୀ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ୩ କୋଟି ୨୫ ଲକ୍ଷ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ୧୨ ଲକ୍ଷ ହିତାଧିକାରୀ ରହିଛନ୍ତି।

ସମ୍ବନ୍ଧିତ ଖବର