କେନ୍ଦୁଝର: ବିଜେଡି ପକ୍ଷରୁ ପ୍ରତ୍ୟେକ ବର୍ଷ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଉଛି। ଚଳିତବର୍ଷ ନିର୍ବାଚନମଣ୍ଡଳୀ ସ୍ତରୀୟ ପଦଯାତ୍ରା କରାଯାଇଥିଲା। ପଦଯାତ୍ରା ତେଲକୋଇ ନିର୍ବାଚନମଣ୍ଡଳୀର ହରିଚନ୍ଦନପୁର ବ୍ଲକ୍ରେ ହୋଇଥିଲେ ବି ଖୋଦ୍ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ଅନୁପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ପ୍ରେମାନନ୍ଦ ଏଭଳି ଦଳୀୟ କାମରେ ଅନୁପସ୍ଥିତ ଥିବାରୁ ଏହାକୁ ନେଇ ବିଶେଷ ଆଲୋଚନା ହୋଇନଥିଲା। କୌଣସି ଜରୁରୀ କାମ କିମ୍ବା ଅସୁସ୍ଥତା ପାଇଁ ପ୍ରେମାନନ୍ଦ ପଦଯାତ୍ରାରେ ସାମିଲ ହୋଇପାରି ନଥିବା ଅନୁମାନ କରାଯାଉଥିଲା। କିଛଦିନ ପରେ ଏକ ମହିଳା ସମାବେଶରେ ପ୍ରେମାନନ୍ଦଙ୍କ ଅଚରଣରୁ ସ୍ପଷ୍ଟ ହୋଇଥିଲା ତେଲକୋଇ ବିଜେଡିରେ ଚାଲିଛି ତୁ ତୁ ମେ ମେ। ସଭାମଞ୍ଚରେ ପ୍ରେମାନନ୍ଦ ବସିଥିବା ବେଳେ ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଧନୁର୍ଜୟ ସିଦୁ ମଞ୍ଚ ପାଖରେ ପହଞ୍ଚିଥିଲେ। ତାଙ୍କୁ ଦେଖି ପ୍ରେମାନନ୍ଦ ମଞ୍ଚରୁ ଉଠି ଚାଲି ଯାଇଥିଲେ। ଗତ କିଛିଦିନ ହେବ ଜିଲ୍ଲାସାରା ଗୋଟିଏ ଚର୍ଚ୍ଚା ହେଉଛି, ପ୍ରେମାନନ୍ଦ କାଳେ ଦଳରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଏହାର ସୁରାକ୍ କେହି ପାଉନଥିଲେ। କଥା କେବଳ ଆଲୋଚନାରେ ସୀମିତ ଥିଲା। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ଏଭଳି ଚର୍ଚ୍ଚାକୁ ବେଶ୍ ଖୋରାକ ଯୋଗାଇଛି।
ତେଲକୋଇ ବସ୍ଷ୍ଟାଣ୍ଡ ନିକଟରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏଥିରେ ବାଂଶପାଳ ବ୍ଲକ୍ ଅଧ୍ୟକ୍ଷ ମାନସ ଦେହୁରୀ, ତେଲକୋଇ ବ୍ଲକ୍ ଅଧ୍ୟକ୍ଷ ବିକ୍ରମ ନାଏକ, ହରିଚନ୍ଦନପୁର ବ୍ଲକ୍ ଅଧ୍ୟକ୍ଷା ସୁନେଲି ନାଏକଙ୍କ ସମେତ ବିଜେଡିର ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ସମସ୍ତ ବ୍ଲକ୍ ସଭାପତି ଓ ଦଳର ସମସ୍ତ ବରିଷ୍ଠ ନେତୃବର୍ଗ ଉପସ୍ଥିତ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବିଧାୟକ ପ୍ରେମାନନ୍ଦ ନାୟକ କାର୍ଯ୍ୟକ୍ରମକୁ ଆସିନଥିଲେ। ନିଜ ଦଳର କାର୍ଯ୍ୟକ୍ରମରେ ନିଜେ ଅନୁପସ୍ଥିତ ରହିବା ନେଇ ଅନେକ ଆଲୋଚନା ହେଉଛି। କୁହାଯାଉଛି, ବାରମ୍ବାର ଦଳ ବଦଳାଇ ବିଜେପିରୁ ଯାଇ ବିଜେଡିରେ ମିଶିଥିବା ଧନୁର୍ଜୟ ସିଦୁଙ୍କ ପାଇଁ ପ୍ରେମାନନ୍ଦ ଅସନ୍ତୁଷ୍ଟ ଅଛନ୍ତି। ସେହିପରି ସିଦୁଙ୍କୁ ମଧ୍ୟ ତୃଣମୂଳସ୍ତରରେ ବିଜେଡି କର୍ମୀ ଗ୍ରହଣ କରୁ ନଥିବା ନେଇ ହାଇକମାଣ୍ଡଙ୍କୁ ଜଣାଯାଇଛି। ହେଲେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହା ପ୍ରେମାନନ୍ଦ ଅସନ୍ତୋଷ ହେବା ପଛର ଅନ୍ୟତମ କାରଣ ବୋଲି କୁହାଯାଉଛି। ସେହିପରି ତତ୍କାଳୀନ ବିଡିଓଙ୍କ ବଦଳି ପ୍ରସଙ୍ଗରେ ମଧ୍ୟ ପ୍ରେମାନନ୍ଦ ଅସନ୍ତୁଷ୍ଟ ଥିଲେ। ଯେଉଁଥିପାଇଁ ସେ ବାରମ୍ବାର ଦଳୀୟ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/SFHHHFFHSFSHSFH.jpg)