ଚାରି ବର୍ଷ ହେଲା କୌଣସି ଜିଲ୍ଲା ବିନିଯୋଗ ପତ୍ର ଦେଉ ନାହାନ୍ତି
ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଜିଲ୍ଲା ସ୍ତରରେ ପାଳନ ହେବ
ଭୁବନେଶ୍ବର : ଜିଲ୍ଲାଗୁଡ଼ିକ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ଅନୁଦାନ ନେଉଛନ୍ତି। କିନ୍ତୁ ବିନିଯୋଗ ପତ୍ର(ୟୁସି) ଦାଖଲ କରୁ ନାହାନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରୁ ଏ ଯାଏ କୌଣସି ଜିଲ୍ଲା ୟୁସି ଦେଇ ନାହାନ୍ତି। ଆଜି ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଯୋଗେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଲୋଚନା କରିବା ସମୟରେ ଏହି ପ୍ରସଙ୍ଗରେ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ୟୁସି ଦାଖଲ ନ କଲେ ଆଗାମୀ ଦିନରେ ଜିଲ୍ଲାଗୁଡ଼ିକ ବିଭାଗରୁ ଆର୍ଥିକ ଅନୁଦାନ ପାଇବାରୁ ବଞ୍ଚିତ ହେବେ ବୋଲି ମନ୍ତ୍ରୀ ଚେତାଇ ଦେଇଥିଲେ।
ରାଜ୍ୟ ସରକାର ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ ଓ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ ପାଇଁ କାର୍ଯ୍ୟସାରଣୀ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ କୁହାଯାଇଥିଲା।
ଜିଲ୍ଲାରେ କଳାକାର ମହାସଂଘଗୁଡ଼ିକର ସଦସ୍ୟମାନଙ୍କ ନାମ ପଞ୍ଜୀକରଣ କରି ତାଙ୍କର ଡାଟାବେସ୍ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ତାହା ସତ୍ତ୍ବେ ବହୁ ଜିଲ୍ଲାରେ ଏ ଦିଗରେ ପଦକ୍ଷେପ ନିଆଯାଇ ନାହିଁ। କଳାକାରଙ୍କୁ ଜୀବିକା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜନସଚେତନତା ସୃଷ୍ଟି ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ନିମନ୍ତେ ବିଭିନ୍ନ ବିଭାଗର ରହିଥିବା ଆଇଇସି ପାଣ୍ଠିର ଉପଯୋଗ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା। କିଛି ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ନ ଥିବା ସତ୍ତ୍ବେ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥି ପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲାଗୁଡ଼ିକରେ ହୋଇଥିବା ‘ଲୋକକଳା ଗ୍ରାମ’ କେବଳ ଘୋଷଣାରେ ସୀମିତ ହୋଇ ରହିଯାଇଛି। ସେସବୁ ଗ୍ରାମରେ ବିକାଶକୁ ତ୍ବରାନ୍ବିତ କରାଯିବା ସହ କଳାକାରମାନଙ୍କୁ ସ୍ବାବଲମ୍ବୀ କରିବାକୁ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା।
ରାଜ୍ୟରେ ୭୨୦୦ ଭାଗବତ ଟୁଙ୍ଗୀ ରହିଛି। େସଗୁଡ଼ିକୁ ବ୍ୟାସାସନ ଓ ମାଇକ ଯୋଗାଣ କରିବାକୁ ପୂର୍ବରୁ ନିଷ୍ପତ୍ତି ନିଅାଯାଇଥିଲା। କିଛି ଜିଲ୍ଲା ଏହାକୁ କାର୍ଯ୍ୟକାରୀ କରିଥିଲା ବେଳେ କିଛି ଜିଲ୍ଲାରେ ଏହା ହୋଇ ନାହିଁ। ଏଥି ସହିତ ଏସବୁ ଟୁଙ୍ଗୀଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଛି କି ନାହିଁ, ତାହାକୁ ତଦାରଖ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ କହିଥିଲେ। ଏହା ବାଦ୍ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବରିଷ୍ଠ କଳାକାରମାନଙ୍କୁ ଦିଆଯାଇଥିବା ମାସିକ ୧୨୦୦ ଟଙ୍କା ଭତ୍ତା ପ୍ରଦାନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ଆଉ ପ୍ରାୟ ୧୫ ହଜାର ବାକି ରହିଛି। ତେଣୁ ଅନ୍ୟ ଭତ୍ତା ପରି ଏହାକୁ ବି ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ। ରାଜ୍ୟରେ ୧୨ଟି ଜିଲ୍ଲାରେ ଥିବା ଜିଲ୍ଲା ସଂଗ୍ରହାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଜିଲ୍ଳା ସ୍ତରରେ କରିବାକୁ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ।
ଜିଲ୍ଲାରେ ଦୀର୍ଘ ଦିନ ଧରି ଜିଲ୍ଲା ସଂସ୍କୃତି ପରିଷଦଗୁଡ଼ିକର ପୁନର୍ବିନ୍ୟାସ କରାଯାଇ ନାହିଁ। ତେଣୁ ସେଗୁଡ଼ିକୁ ପୁନର୍ଗଠନ କରି ବିଭାଗକୁ ଜଣାଇବା ପାଇଁ କୁହାଯାଇଥିଲା। ବୈଠକରେ ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଉପନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ଦେବାନନ୍ଦ ବରିହା, ରାଜ୍ୟ ସଂସ୍କୃତି ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ, ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଉପସ୍ଥିତ ଥିଲେ। ଆସନ୍ତାକାଲି ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ।