ମାନିଲେନି କଟକଣା: ରଥ ଚଢ଼ିଲେ, ମହାପ୍ରଭୁଙ୍କୁ ଛୁଇଁଲେ

ପୁରୀ : ମହାପ୍ରଭୁଙ୍କୁ କେହି ରଥ ଉପରେ ଛୁଇଁ ପାରିବେ ନାହିଁ। ଅଣସ୍ବୀକୃତ ସେବାୟତ ଅବା ତାଙ୍କ ପରିବାର ମଧ୍ୟ ମହାପ୍ରଭୁଙ୍କୁ ଛୁଇଁ ପାରିବେ ନାହିଁ ବୋଲି କଟକଣା ରହିଛି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଏପରି କହିବା ପରେ ପ୍ରଶାସନ ୨୦୧୫ ମସିହାରୁ ରଥ ଚାରିପଟେ ବାଡ଼ା ବସାଉଛି। ୨୦୧୫ ମସିହାରେ ଜଣେ ନୀତି ସମ୍ପୃକ୍ତ ନ ଥିବା ସେବାୟତ ତାଙ୍କ ପରିବାର ଲୋକଙ୍କୁ ନେଇ ରଥାରୂଢ଼ ମହାପ୍ରଭୁଙ୍କୁ ଛୁଆଇଁବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତା’ପରଠାରୁ ଆଶା କରାଯାଉଥିଲା, ସେବାୟତମାନେ ନିୟମକୁ ପାଳନ କରିବେ। ହେଲେ ଏହି କଟକଣାକୁ କେତେକ ସେବାୟତ ମ‌ାନି ନାହାନ୍ତି। ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଓ ସବୁ ବଡ ବଡ଼ିଆ ଅଧିକାରୀଙ୍କ ଉପସ୍ଥିତିରେ କେତେକ ସେବାୟତ ଆଜି ନିଜ ପରିବାରକୁ ନେଇ ରଥରେ ମହାପ୍ରଭୁଙ୍କୁ ଛୁଆଁଇଛନ୍ତି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପ୍ରଶାସନ ଏହା ଉପରେ ଏଯାଏ କୌଣସି ପଦକ୍ଷେପ ନେଇନାହିଁ।

ରଥଯାତ୍ରାରେ ଶୃଙ୍ଖଳା ଆଣିବା ପାଇଁ ଯେଉଁ ବ୍ୟବସ୍ଥାବଳୀ ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ସ୍ବୀକୃତ ହୋଇଥିଲା, ସେଥିରେ ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ କୌଣସି ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ି ପାରିବେ ନାହିଁ କିମ୍ବା ପହଣ୍ଡି ସମୟରେ ମହାପ୍ରଭୁଙ୍କ ସ୍ପର୍ଶ କରିପାରିବେ ନାହିଁ ବୋଲି ସ୍ଥିର ହୋଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ରହିଥିବାରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଥିଲା। ରଥ ଉପରକୁ କେବଳ ନୀତି ସମ୍ପୃକ୍ତ ସେବକଙ୍କୁ ଚଢ଼ିବାକୁ ଅନୁମତି ଥିଲା। ମାତ୍ର ପ୍ରଶାସନ ଉପସ୍ଥିତିରେ, ନୀଳାଦ୍ରି ବିଜେ ଅବସରରେ ନୀତି ବାହାରେ ଥିବା ସେବାୟତମାନେ ସପରିବାର ରଥରେ ଚଢ଼ି ଠାକୁରଙ୍କୁ ଛୁଇଁଛନ୍ତି। ଏହାର ସୁଯୋଗରେ ବହୁ ଅନଧିକୃତ ବ୍ୟକ୍ତି ରଥ ଉପରକୁ ଚଢ଼ିଛନ୍ତି।

ସେପଟେ ନୀତି ସମ୍ପୃକ୍ତ କିଛି ଶୃଙ୍ଖଳିତ ସେବାୟତଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି। ପୋଷାକ ପିନ୍ଧି କୁନି ପିଲାଠାରୁ ଆରମ୍ଭ କରି ବଡ଼ମାନେ ରଥ ଉପରକୁ ଚଢ଼ି ମହାପ୍ରଭୁଙ୍କୁ ସ୍ପର୍ଶ କରିଛନ୍ତି। ସେବାୟତଙ୍କ ସହଯୋଗରେ ମକୁଟା ପିନ୍ଧି କେତେକ ଅଣସେବାୟତ ରଥରେ ଚଢ଼ିଥିବା ଅଭିଯୋଗ ହୋଇଛି। ସବୁ ବିଶୃଙ୍ଖଳାକୁ ଦେଖି ମଧ୍ୟ ଯେପରି ପ୍ରଶାସନ ପାଟି ଫିଟାଇନାହିଁ।

ସମ୍ବନ୍ଧିତ ଖବର