ଖୋଲିଲାନି ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାର, କଟାହେଲା ଶିକୁଳି

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ନୀତି ଚାଲିଛି। ଅଣସର ଘରେ ବିଜେ ମହାପ୍ରଭୁଙ୍କ ଅନ୍ଧକାର ଭିତରେ ଗୋପନ ନୀତି ଚାଲିଛି। ଏହି ସମୟରେ ଶ୍ରୀମନ୍ଦିରରେ ବିଭ୍ରାଟ ଦେଖିବାକୁ ମିଳିଛି। ଜୟ-ବିଜୟ ଦ୍ବାର ନ ଖୋଲିବାରୁ ଆଜି ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ବ ହୋଇଛି। ବେହରଣ ଦ୍ବାର ତାଲା ଚାବି ଖୋଜା ଯାଇଥିଲେ ବି ଏହା ନ ମିଳିବାରୁ ଶେଷରେ ଜୟ-ବିଜୟ ଦ୍ବାର ଠେଲି ସନ୍ଧିରେ ଆରି ଭର୍ତ୍ତି କରି ଶିକୁଳି କାଟି ‌ଦ୍ବାର ଖୋଲାଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ବିଳମ୍ବ ହୋଇଛି।

ପଟିଦିଅଁଙ୍କଠାରେ ମଙ୍ଗଳ ଆଳତି ସକାଳ ସାଢ଼େ ୯ଟାରେ ଆରମ୍ଭ ହୋଇଛି। ଏଭଳି ତ୍ରୁଟିକୁ ସେବାୟତମାନେ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ବିଭିନ୍ନ ମହଲରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି। ଶ୍ରୀମନ୍ଦିର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେଉଁଭଳି ପରିସ୍ଥିତିରେ ଏଭଳି ତ୍ରୁଟି ଘଟିଲା, ଚାବି କାହିଁକି ଦାୟିତ୍ବ ରଖାଯାଉନି, ଦ୍ବାର ଖୋଲିବା ବେଳେ ନୀତିନିୟମକୁ କାହିଁକି ଅନୁପାଳନ କରାଯାଉନି, ତାର ତଦନ୍ତ ହେବା ଦରକାର ବୋଲି ମତ ଦେଇଛନ୍ତି।

ଏବେ ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବାରୁ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ଜୟ-ବିଜୟ ଦ୍ବାର ନିକଟରେ ପୂଜା ପାଉଛନ୍ତି। ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ପଟଦିଅଁଙ୍କଠାରେ ପୂଜାର୍ଚ୍ଚନା, ଭୋଗ ଲାଗି ପାଇଁ ଶ୍ରୀମନ୍ଦିର ଜୟ-ବିଜୟ ଦ୍ବାର ଖୋଲା ଯାଇଥାଏ। କିନ୍ତୁ ଦଇତାପତି ସେବକମାନେ ଅଣସର ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ ବେଳେ ବେହରଣ ଦ୍ବାର ଖୋଲାଯାଇ ଜୟ-ବିଜୟ ଦ୍ବାର ବନ୍ଦ ରଖାଯାଇଥାଏ। ପଟଦିଅଁଙ୍କଠାରେ ନୀତିକାନ୍ତି ବି ବନ୍ଦ ରହିଥାଏ। ଅଣସର ନୀତି ସରି ଦଇତାପତିମାନେ ବାହାରିବା ପରେ ବେହରଣ ଦ୍ବାରରେ ତାଲା ପଡ଼ି ପୁଣି ଜୟ-ବିଜୟ ଦ୍ବାର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହୋଇଥାଏ।

କିନ୍ତୁ ଆଜି ସକାଳୁ ମୁଦୁଲି ସେବକଙ୍କ ସହ ଜୟ-ବିଜୟ ଦ୍ବାର ଖୋଲିବାକୁ ଯିବା ବେଳେ ଏହା ଖୋଲିନଥିଲା। ଜୟ-ବିଜୟ ଦ୍ବାର ତାଲା ଖୋଲିଥିଲେ ବି କେହି ଭିତର ପାର୍ଶ୍ବରୁ ଏହି ଦ୍ବାରକୁ ଶିକୁଳି ଦେଇ ବନ୍ଦ କରି ଦେଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ପରେ ଜୟ-ବିଜୟ ଦ୍ବାର ଫାଙ୍କରେ ଆରି ଜରିଆରେ ଶିକୁଳି କାଟି ଜୟ-ବିଜୟ ଦ୍ବାର ଖୋଲି ନୀତିକାନ୍ତି କରାଯାଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ କହିଛନ୍ତି, ଯେହେତୁ କେହି ଜୟ-ବିଜୟ ଦ୍ବାର ଭିତର ପାର୍ଶ୍ବରୁ ଶିକୁଳି ଦେଇ ଦେଇଥିଲା, ସେଥିପାଇଁ ଏଭଳି ପରିସ୍ଥିତି ଉପୁଜିଥିଲା। ଏହାଦ୍ବାର ସେଭଳି କିଛି ଅସୁବିଧା ହୋଇନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର