ଦାରା ସିଂଙ୍କୁ ଭେଟିବାକୁ ମିଳିଲାନି ଅନୁମତି, ଜେଲ୍‌ ଆଗରେ ଧାରଣା

କେନ୍ଦୁଝର : ବହୁ ଚର୍ଚ୍ଚିତ ଗ୍ରାହମ୍‌ ଷ୍ଟେନ୍‌ସ ହତ୍ୟା ମାମଲାରେ କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ଦାରା ସିଂଙ୍କୁ ଭେଟିବା ପାଇଁ ସୁଦର୍ଶନ ଟ୍ରଷ୍ଟର ମୁଖ୍ୟ ତଥା ସୁଦର୍ଶନ ଟିଭିର ସଂପାଦକ ସୁବାସ ଚଭାଙ୍ଗେ କେନ୍ଦୁଝର ଆସିଥିଲେ। ଦାରା ସିଂଙ୍କୁ ଭେଟିବା ପାଇଁ ତାଙ୍କୁ ଅନୁମତି ଦିଆ ନଯିବାରୁ ସେ ଜେଲ୍‌ ଆଗରେ ଧାରଣା ଦେଇଥିଲେ। ତାଙ୍କ ସହ ଧାରଣାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଏବଂ ସ୍ଥାନୀୟ ବିଜେପି ନେତାମାନେ ସାମିଲ ହୋଇଥିଲେ। ଜେଲ୍‌ କର୍ତ୍ତୃପକ୍ଷଙ୍କ ଏଭଳି ନୀତିକୁ ସେମାନେ ନାପସନ୍ଦ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ଦାରା ସିଂଙ୍କୁ ପ୍ରତ୍ୟେକ ବର୍ଷ ସୁଦର୍ଶନ ଟ୍ରଷ୍ଟର ମୁଖ୍ୟ ସୁବାସ ଚଭାଙ୍ଗେ ଭେଟିବାକୁ ଆସିଥାନ୍ତି। ସେ ମଧ୍ୟ ଦାରାଙ୍କ ମୁକ୍ତି ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରିଆସୁଛନ୍ତି। ଆଜି ମଧ୍ୟ ସେ ଦାରାଙ୍କୁ ଭେଟିବାକୁ କେନ୍ଦୁଝର ଜେଲ୍‌ରେ ପହଞ୍ଚିଥିଲେ। ଏନେଇ ପୂର୍ବରୁ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସେ ଆଜି ପହଞ୍ଚିବା ପରେ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଦାରାଙ୍କୁ ଭେଟିବାକୁ ସୁଯୋଗ ଦେଇନଥିଲେ। ବହୁ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ସେ ଜେଲ୍‌ ସମ୍ମୁଖରେ ଧାରଣା ଦେଇଥିଲେ। ତାଙ୍କ ସହ ବିଧାୟକ ଶ୍ରୀ ମାଝୀ ଏବଂ ଅନ୍ୟ ବିଜେପି ନେତାମାନେ ଧାରଣାରେ ବସିଥିଲେ। ଶ୍ରୀ ଚଭାଙ୍ଗେଙ୍କୁ କାହିଁକି ଦାରା ସିଂଙ୍କ ସହ ଭେଟିବା ପାଇଁ ସୁଯୋଗ ଦିଆଗଲା ନାହିଁ ବୋଲି ଜେଲ୍‌ ଅଧୀକ୍ଷକ କହଁର ମାରାଣ୍ଡିଙ୍କୁ ପଚାରିବାରୁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଆଜି କୌଣସି ବନ୍ଦୀଙ୍କୁ ସେମାନଙ୍କ ସଂପର୍କୀୟଙ୍କ ସହ ଭେଟିବା ପାଇଁ ସୁଯୋଗ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର