ବାଲେଶ୍ବର: ଜଣେ ବୃଦ୍ଧାଙ୍କର ରବିବାରଠାରୁ ମୃତ୍ୟୁ ହେଲାଣି। ଆଜି ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର କରାଯାଇ ପାରିନାହିଁ। ସ୍ବାମୀ ଛୁଇଁବାକୁ ଅରାଜି ଥିବାବେଳେ କାନାଡ଼ାରେ ରହୁଥିବା ପୁଅକୁ ଅପେକ୍ଷା କରାଯାଇଛି। ପୁଅ ପହଞ୍ଚିବା ପରେ ଶବ ସତ୍କାର ହେବ। ଏହି କାରଣରୁ ୪ଦିନ ହେଲା ବୃଦ୍ଧାଙ୍କ ମୃତଦେହ ଫ୍ରିଜର୍‌ରେ ରହିଛି। ମୃତ ବୃଦ୍ଧା ହେଲେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ବଜାରର ଛବିରାଣୀ ଦେ (୭୦ବର୍ଷ)। 

Advertisment

ରବିବାର ରାତିରେ ସମ୍ଭବତଃ ହୃଦ୍‌ଘାତ ଯୋଗୁ ଛବିରାଣୀ ଘରେ ପଡ଼ିଯାଇଥିଲେ। ପଡ଼ୋଶୀମାନେ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପଡ଼ୋଶୀମାନେ ତାଙ୍କ ପୁଅ ସଂଜୀବ ଦେ ଓ ସ୍ବାମୀ ସୃଷ୍ଟିଧର ଦେଙ୍କୁ ଯୋଗାଯୋଗ କରିଥିଲେ। ପତ୍ନୀଙ୍କୁ ଦେଖିବା ପାଇଁ ସ୍ବାମୀ ସୃଷ୍ଟିଧର ଆସିଥିଲେ ମଧ୍ୟ ଶବ ଛୁଇଁବା ପାଇଁ ମନା କରିଦେଇଥିଲେ। ଛାଡ଼ପତ୍ର ହୋଇ ଯାଇଥିବାରୁ ସୃଷ୍ଟିଧର ସେଠାରୁ ଚାଲିଯିବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ। ପୁଅ ଆସିବା ପର୍ଯ୍ୟନ୍ତ ରହି ଅନ୍ତିମ ସଂସ୍କାରରେ ସହାୟତା କରିବାକୁ କହିଥିଲେ। ଫଳରେ ସୃଷ୍ଟିଧର ସେଠା‌ରେ ରହିଥିବା ବେଳେ ଆସନ୍ତାକାଲି ତାଙ୍କ ପୁଅ ପହଞ୍ଚିବେ ବୋଲି ସହଦେବଖୁଣ୍ଟା ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ସ୍ଥାନୀୟ ଲୋକେ ଏକ ଫ୍ରିଜର୍‌ ମଗାଇ ବୃଦ୍ଧାଙ୍କ ମୃତଦେହକୁ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୃଷ୍ଟିଧର ଏକ ବ୍ୟାଙ୍କ୍‌ର ରିଜିଓନାଲ୍‌ ମ୍ୟାନେଜର ଭାବରେ ଚାକିରିରୁ ଅବସର ନେଇଛନ୍ତି। ଛବିରାଣୀଙ୍କ ସହିତ ବହୁବର୍ଷ ଧରି ଘର ସଂସାର କରିଥିଲେ।