କଟକ: ବାଂଲାଦେଶ ନାବାଳିକାଙ୍କୁ ଦେହ ବ୍ୟବସାୟରେ ନିୟୋଜିତ ଘଟଣା ସାରା ରାଜ୍ୟରେ ହୁଲସ୍ତୁଲ କରିଥିବା ବେଳେ କଟକ କମିସନରେଟ୍ ପୁଲିସ ସମେତ କଟକ ସିଡବ୍ଲୁସି ଓ ଡିସିପିଓଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ୯ ତାରିଖରେ ଉଦ୍ଧାର ହୋଇଥିବା ପୀଡ଼ିତା ନାବାଳିକାଙ୍କ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସିଡବ୍ଲୁସି ୨୩ ତାରିଖରେ ଥାନାରେ ତରବରିଆ ଭାବେ ଅଭିଯୋଗ କରିବା ଘଟଣା ଏବେ ଅଧିକ ସନ୍ଦେହ ସୃଷ୍ଟି କରିଛି। ୧୪ ଦିନ କାଳ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସମସ୍ତେ ଚୁପ୍ ବସିପଡ଼ିବା ପଛର ରହସ୍ୟ ଏବେ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକ କରୁଛି।
ଜିଲ୍ଲାପାଳଙ୍କ ତଦନ୍ତ ପାଇଁ ଦାବି ଉଠିଲା
ସୂଚନା ଅନୁଯାୟୀ, କଟକ ସଦର ଥାନା ଗୋପାଳପୁର ଅଞ୍ଚଳରୁ ପୀଡ଼ିତା ନାବାଳିକା ନ୍ୟାୟ ପାଇଁ ମଧୁପାଟଣା ଥାନା ଆଡ଼କୁ ଆସିଥିଲା। ୯ ତାରିଖ ରାତିରେ ଲିଙ୍କରୋଡ୍ରେ ପୁଲିସର ପିସିଆର୍ ଭ୍ୟାନ୍ ପୀଡ଼ିତାଙ୍କୁ ଉଦ୍ଧାର କରିବା ପରେ ସିଡବ୍ଲୁସିଙ୍କୁ ଅବଗତ କରିବା ସହିତ ବସୁନ୍ଧରାରେ ଭର୍ତ୍ତି କରିଥିଲା। ଏହି ନାବାଳିକାଙ୍କୁ ବାଂଲାଦେଶ ସୀମାରୁ ବେଆଇନ ଭାବେ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିବା ସଂକ୍ରାନ୍ତରେ ଗଲା ୨୩ ତାରିଖରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ତରବରିଆ ଭାବେ ସିଡବ୍ଲୁସି କର୍ତ୍ତୃପକ୍ଷ ୨୩ ତାରିଖରେ ଡିସିପି ଜଗମୋହନ ମୀନାଙ୍କୁ ଲିଖିତ ଭାବେ ଘଟଣା ସଂକ୍ରାନ୍ତରେ ଅବଗତ କରିଥିଲେ। ପରେ ଡିସିପି ମଧୁପାଟଣା ଥାନାକୁ ତୁରନ୍ତ ସିଡବ୍ଲୁସିର ଲିଖିତ ସୂଚନା ଆଧାରରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ଗଲା ୧୪ ଦିନ ହେବ କେଉଁ ରହସ୍ୟଜନକ କାରଣ ପାଇଁ ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ହେବାର ଆବଶ୍ୟକତାକୁ କେହି ଗୁରୁତର ମନେ କରୁ ନଥିଲେ? ଏହି ଘଟଣାରେ କଟକ ସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷ ବିକାଶ ମହାପାତ୍ରଙ୍କ କହିବା ଅନୁଯାୟୀ, ସିଡବ୍ଲୁସିରେ ଯେତେବେଳେ ପୀଡ଼ିତା ହାଜର ହେଉଛି ତୁରନ୍ତ ଅନୁସନ୍ଧାନ କରି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଜାଣିବା ଉଚିତ୍।
ପୀଡ଼ିତା ଯଦି ଭୁଲ କଥା କହୁଛି କିମ୍ବା କୌଣସି କଥା କହିବାକୁ ଚାହୁଁ ନାହିଁ, ତେବେ ବୃତ୍ତିଗତ କାଉନସିଲର୍ଙ୍କୁ ନିଯୁକ୍ତ କରି ପୀଡ଼ିତାଙ୍କ ସହିତ ଆଲୋଚନା ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇପାରିବ। ଏଥିପାଇଁ କଟକ ବଡ଼ ଡାକ୍ତରଖାନା କିମ୍ବା ଅନ୍ୟ ବଡ଼ ପ୍ରତିଷ୍ଠାନରେ ସାହାଯ୍ୟ ନେବା ଉଚିତ। ଆମ ସମୟରେ ସାଇକୋଲୋଜି ବିଶେଷଜ୍ଞଙ୍କୁ ଡାକି ପୀଡ଼ିତାଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଥିଲୁ। ଏଭଳି ଘଟଣାରେ ତୁରନ୍ତ ପଦକ୍ଷେପ ନେବା ଉଚିତ। ଯଦି ସେଭଳି କେହି ଜାଣିଶୁଣି ବିଳମ୍ବ କରିଛନ୍ତି, ତେବେ ଜିଲ୍ଲାପାଳ ଏ ବିଷୟରେ ତଦନ୍ତ କରିବା ଉଚିତ। ପୀଡ଼ିତାଙ୍କୁ ନ୍ୟାୟ ଦେବା ମଧ୍ୟ ଜିଲ୍ଲାପାଳଙ୍କ କର୍ତ୍ତବ୍ୟ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ବିଳମ୍ବରେ ଥାନାରେ ଏତଲା ଦେବା ଘଟଣାରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ କହିଛନ୍ତି, ଏ ନେଇ ଅନୁଧ୍ୟାନ କରାଯିବ। ସେପଟେ, ଡିସିପି ଜଗମୋହନ ମୀନା କହିଛନ୍ତି ଯେ ସିଡବ୍ଲୁସି ଆମକୁ ୨୩ ତାରିଖରେ ହିଁ ଅବଗତ କରାଇଲେ। ଏହାପରେ ତୁରନ୍ତ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HjFMxoh0L7zlgRKO9kcY.jpg)