ତହସିଲଦାରଙ୍କ ଗାଡ଼ିରେ ନିଆଁ ଲଗାଇଲେ କି ମାଫିଆ?

ବଡ଼ମ୍ବା : ଶନିବାର ବିଳମ୍ବତ ରାତ୍ରିରେ କେହି ଦୁର୍ବୃତ୍ତ ତହସିଲଦାରଙ୍କ ଗାଡ଼ିର କାଚ ଭାଙ୍ଗି ନିଆଁ ଲଗାଇ ଦେଇଛନ୍ତି। ଗାଡ଼ିର ସିଟ୍‌ଗୁଡ଼ିକ ଜଳିଯାଇଛି। ରାତିରେ ଡ୍ରାଇଭର୍‌ ନିଜଘର ସମ୍ମୁଖରେ ଗାଡ଼ି ରଖିଥିବା ବେଳେ କେହି ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବଡ଼ମ୍ବା ସହର ମଧ୍ୟସ୍ଥ ପଥୁରିଆସାହିରେ ଶନିବାର ରାତି ପ୍ରାୟ ୧୧ଟାରେ ସାହି ଭିତରେ ଆତଙ୍କ ଖେଳାଇଥିଲେ ମାଫିଆ। ବଡ଼ମ୍ବା ତହସିଲଦାରଙ୍କ ଭଡ଼ା ବୋ‌ଲେରୋ ଗାଡ଼ିକୁ ସବୁଦିନ ଭଳି ସେଦିନ ମଧ୍ୟ ଡ୍ରାଇଭର୍‌ ନିଜଘର ଆଗରେ ରଖିଥିଲେ। ଦୁବୃର୍ତ୍ତମାନେ ଇଟାରେ ଗାଡ଼ିର ଝରକା କାଚ ଭାଙ୍ଗିବା ସହିତ ସିଟ୍‌ ଜାଳିଦେବା ପରେ ବାଇକ୍‌ ଯୋଗେ ଫେରାର୍‌ ହୋଇଯାଇଥିଲେ। ସେମାନେ ପଳାଇବାର କିଛି ସମୟ ପରେ ପ୍ରଚଣ୍ଡ ଶଦ୍ଦ ଶୁଣି ସାହିଲୋକେ ବାହାରକୁ ଆସିବାରୁ ଗାଡ଼ି ଜଳୁଥିବା ଦେଖିଥିଲେ। ଗାଡ଼ି ଡ୍ରାଇଭର ବିରଞ୍ଚିନାରାୟଣ ପାଟ୍ଟଶାଣୀ ଏ ସଂପର୍କରେ ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରାଙ୍କୁ ସୂଚିତ କରିଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସକୁ ଜଣାଇଥିଲେ। ସାହିଲୋକଙ୍କ ସହାୟତାରେ ଗାଡ଼ିର ନିଆଁକୁ ଆୟତ୍ତ କରାଯାଇଥିଲା। ଏଭଳି ଘଟଣା ପଛରେ ବାଲି କିମ୍ବା ପଥର ମାଫିଆଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ଗାଡ଼ି ଡ୍ରାଇଭର ଏ ସଂପର୍କରେ ବଡ଼ମ୍ବା ଥାନାରେ ଲିଖିତ ଏତଲା ଦେଇଛନ୍ତି।

ସୂଚନାଯୋଗ୍ୟ, ବଡ଼ମ୍ବା‌ରେ ବାଲିଘାଟ ବନ୍ଦ୍‌ ଥିବାବେଳେ ଚୋରାରେ ବାଲିଚାଲାଣ ହେଉଛି। ଏହାର ଧରପଗଡ଼ ଚାଲିଥିବାରୁ ‌ଏହାକୁ କେନ୍ଦ୍ରକରି କେହି ମାଫିଆ ଏଭଳି କାଣ୍ଡ ଘଟାଇ ଥାଇପାରେ ବୋଲି ‌ସନ୍ଦେହ କରାଯାଉଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରିପାରି ନଥିବା ଜଣାପଡ଼ିଛି।

ଏ ସଂପର୍କରେ ଆଠଗଡ଼ ଏସ୍‌ଡିପିଓଙ୍କୁ ଯୋଗା‌ଯୋଗ କରାଯିବାରେ, ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର