ସୀମନ୍ତିକା ନନ୍ଦ
କଟକ: କଟକ ବଡ଼ଡାକ୍ତରଖାନାରେ ବନ୍ଦ ହୋଇଗଲାଣି କି ବ୍ୟବସ୍ଥା? କାଡାଭରିକ୍ ପ୍ରତିରୋପଣ ବ୍ୟବସ୍ଥା ସାଢ଼େ ୩ମାସରୁ ଅଧିକ ସମୟ ହେଲା ହୋଇପାରିନି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍। ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ଚୁକ୍ତି ହୋଇଛି ସିନା, ତା’ ବି ଆଗେଇ ପାରୁନି। ଓଏସ୍ଏମ୍ସିଏଲ୍ ଉପକରଣ ବି ଦେଉନି। ତା’ ସାଙ୍ଗକୁ ପ୍ରାଶାସନିକ ଦ୍ବନ୍ଦ୍ବ ଓ ସ୍ଥାଣୁତା କାରଣରୁ ୫ମାସରୁ ଅଧିକ ସମୟ ହେଲା ଏସ୍ସିବିରେ ନାହାନ୍ତି ସ୍ଥାୟୀ ଅଧୀକ୍ଷକ। ଏଭଳି ଅବ୍ୟବସ୍ଥା କାରଣରୁ ଯାହା କିଛି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା ସେଗୁଡ଼ିକ ଏକପ୍ରକାର ଠପ୍ ହେବାକୁ ବସିଲାଣି। ଆଗକୁ ଯଦି ଏଦିଗରେ ଠୋସ୍ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏସବୁ ସୁବିଧା ପାଇଁ ରାଜ୍ୟବାସୀଙ୍କୁ ଘରୋଇ ଅବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ। ଏପଟେ ଏସ୍ସିବିରୁ ୨ଜଣ ପରଫ୍ୟୁଜିନିଷ୍ଟଙ୍କୁ ଏମ୍କେସିଜି, ବ୍ରହ୍ମପୁର ନେଇଯିବାକୁ ଚିଠି ବି ଆସିଛି। କାରଣ ଆଗକୁ ଏମ୍କେସିଜିରେ ଓପନ୍ ହାର୍ଟ ସର୍ଜରି ଆରମ୍ଭ ହେବ। ତେବେ ନୂଆ ପଦ ସୃଷ୍ଟି ନକରି ଏସ୍ସିବିରୁ ନେଇଯିବା ପାଇଁ ଚିଠି କରାଯିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ରାଜ୍ୟ ଚିକିତ୍ସା ବିଜ୍ଞାନରେ ସବୁବେଳେ କିଛି ନୂଆ ବ୍ୟବସ୍ଥା ଆରମ୍ଭ କରି କଟକ ବଡ଼ଡାକ୍ତରଖାନା ନୂଆ ଅଧ୍ୟାୟ ଯୋଡ଼ିଥାଏ। ହେଲେ ଏବେ ଗତ କିଛିମାସର ତଥ୍ୟ ଯଦି ଦେଖାଯାଏ, ଅନେକ ନୂଆ ବ୍ୟବସ୍ଥା ଏବେ ଆଉ ଆଗେଇପାରୁନି। ଯାହା ଯେତିକି ହୋଇଥିଲା, ସେଗୁଡ଼ିକ ବି ସେତିକିରେ ଠପ୍ ହୋଇଯାଇଛି। ରାଜ୍ୟରେ ପ୍ରଥମ ସରକାରୀ ମେଡିକାଲ କଲେଜ ଭାବେ ଏସ୍ସିବିରେ କାଡାଭରିକ୍
କିଡ୍ନି ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହାରି ଭିତରେ ଏସ୍ସିବିରେ ପାଖାପାଖି ୧୫ରୁ ଅଧିକ କାଡାଭରିକ୍ କିଡ୍ନି ପ୍ରତିରୋପଣ କରାଯାଇଛି। ଏଥିସହ ୩ ଜଣଙ୍କ ମସ୍ତିଷ୍କ ମୃତକଙ୍କ ଶରୀରରୁ ମଧ୍ୟ ଅଙ୍ଗଦାନ ମାଧ୍ୟମରେ ବିଭିନ୍ନ ଅଙ୍ଗ କଢ଼ାଯାଇ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏବେ ଅକ୍ଟୋବର ପର ଠାରୁ ଏସ୍ସିବିରେ କାଡାଭରିକ୍ ପ୍ରତିରୋପଣ ବନ୍ଦ ହୋଇଯାଇଛି। ସେହିପରି ଲିଭର୍ ପ୍ରତିରୋପଣ ବ୍ୟବସ୍ଥା ବି ଏକପ୍ରକାର ଠପ୍। ଏସ୍ସିବିରେ ବହୁବର୍ଷ ପରେ ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏସ୍ସିବିର ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି), ହାଇଦ୍ରାବାଦ୍ ସହ ଚୁକ୍ତି ହୋଇଥିଲା। ସେହି ଚୁକ୍ତି ଅନୁସାରେ ଏସ୍ସିବିରେ ସେହି ଟିମ୍ ୨ଟି ଲିଭର ପ୍ରତିରୋପଣ କରିଥିବା ବେଳେ ଏବେ ସାଢ଼େ ୫ମାସ ହେଲା ଉକ୍ତ ଏଆଇଜି ଟିମ୍ ଆଉ ଏସ୍ସିବିକୁ ଆସୁନାହାନ୍ତି। ଫଳରେ ପଞ୍ଜୀକରଣ କରିଥିବା ଅନେକ ରୋଗୀ ବି ପ୍ରତିରୋପଣକୁ ଅପେକ୍ଷା କରି କରି ଆଖି ବୁଜି ସାରିଲେଣି। ଏପଟେ ଲିଭର୍ ପ୍ରତିରୋପଣ ହୋଇଥିବା ରୋଗୀ ମଧ୍ୟ ୫ମାସ ପରେ ଆଖି ବୁଜି ଦେଇଛନ୍ତି। ଲିଭର୍ ପ୍ରତିରୋପଣ ଓଟି ଓ ଏହି ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଥିବା ମଡ୍ୟୁଲାର୍ ଓଟି ବି ଏବେ ବନ୍ଦ ପଡ଼ିଛି। ଲିଭର ପ୍ରତିରୋପଣରେ ବ୍ୟବହାର ହେବାକୁ ରହିଥିବା ଉପକରଣରେ ବି ଧୂଳି ଲାଗିଗଲାଣି।
କାଡାଭରିକ୍, ଲିଭର୍ ପ୍ରତିରୋପଣ ବନ୍ଦ
ହୃତ୍ପିଣ୍ଡ ପ୍ରତିରୋପଣ ଆଗେଇ ପାରୁନି
ପଞ୍ଜୀକୃତ ରୋଗୀ ଆଖି ବୁଜିଲେଣି
ପ୍ରାଶାସନିକ ସ୍ଥାଣୁତା, ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି
ସେହିପରି ଏସ୍ସିବିରେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ପ୍ରକ୍ରିୟା ବହୁବର୍ଷ ହେବ ଆରମ୍ଭ ହୋଇଥିଲେ ବି ଏହାର ଉପକରଣ ଓଏସ୍ଏମ୍ସିଏଲ୍ ଯୋଗାଇ ପାରୁନି। ବାରମ୍ବାର ଏସ୍ସିବି କର୍ତ୍ତୃପକ୍ଷଙ୍କ ଚିଠି ସତ୍ତ୍ବେ ହୃତ୍ପିଣ୍ଡ ପ୍ରତିରୋପଣ ପାଇଁ ଉପକରଣ ଆସିପାରୁନି। ଯେଉଁମାନେ ପ୍ରତିରୋପଣ ବ୍ୟବସ୍ଥା ପାଇଁ ତାଲିମ ନେଇଥିଲେ ସେହି ବିଶେଷଜ୍ଞମାନଙ୍କୁ ମଧ୍ୟ ଏସ୍ସିବିକୁ ଅଣାଯାଉନି। ଏହି ପ୍ରତିରୋପଣ ପାଇଁ ଚେନ୍ନାଇସ୍ଥିତ ଏମ୍ଜିଏମ୍ ମେଡିକାଲ ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚୁକ୍ତି କରିଛନ୍ତି। ଏମ୍ଜିଏମ୍ ଟିମ୍ ମଧ୍ୟ ୪/୫ଟି ପର୍ଯ୍ୟାୟରେ ଏସ୍ସିବି ଆସି ଭିତ୍ତିଭୂମି ଅନୁଧ୍ୟାନ ସହ ଓପିଡିରେ କେଉଁ ରୋଗୀ ପ୍ରତିରୋପଣ ପାଇଁ ଫିଟ୍ ସେମାନଙ୍କୁ ଚିହ୍ନଟ କରି ଚୂଡ଼ାନ୍ତ କରିସାରିଛନ୍ତି। ଏପରିକି ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ୩ମାସ ମଧ୍ୟରେ ଏସ୍ସିବିରେ ହୃତ୍ପିଣ୍ଡ ପ୍ରତିରୋପଣ ଆରମ୍ଭ ହେବ ବୋଲି କହିଥିବା ବେଳେ ଏହା ମଧ୍ୟ ଅଟକିଛି। ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ଏସ୍ସିବିରେ ଆଗେଇ ପାରୁ ନଥିବା ବେଳେ ସେପଟେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଓପନ୍ ହାର୍ଟ ସର୍ଜରି ବ୍ୟବସ୍ଥା ଆରମ୍ଭ କରିବା ପାଇଁ ସରକାର ଯୋଜନା କରିଛନ୍ତି। ସେଥିପାଇଁ ଏସ୍ସିବିରୁ ୨ଜଣ ପରଫ୍ୟୁଜିନିଷ୍ଟ ନେବା ପାଇଁ ଚିଠି କରିଛନ୍ତି ଡିଏମ୍ଇଟି। କିନ୍ତୁ ଏସ୍ସିବିରେ ଏକ୍ମୋ, ଓପନ୍ ହାର୍ଟ ସର୍ଜରି ଓ ଆଗକୁ ହୃତ୍ପିଣ୍ଡ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଯେଉଁ ୯ଜଣ ପରଫ୍ୟୁଜିନିଷ୍ଟ ରହିଛନ୍ତି ତାହା ନିଅଣ୍ଟ ପଡ଼ିବାକୁ ଥିବାବେଳେ ଏସ୍ସିବିରୁ ୨ଜଣଙ୍କୁ ଏମ୍କେସିଜି ନିଆଯିବା ସମ୍ପର୍କରେ ଆସିଥିବା ଚିଠିକୁ ନେଇ ଏସ୍ସିବିରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁସବୁ ବ୍ୟବସ୍ଥା ଏସ୍ସିବିରେ ଆରମ୍ଭ ହୋଇଥିଲା ସେଗୁଡ଼ିକ ଏବେ ଏକ୍ପ୍ରକାର ଠପ୍ ହୋଇଯାଇଥିବାରୁ ସେସବୁକୁ କିପରି ପୁନଃ କାର୍ଯ୍ୟକ୍ଷମ କରାଯାଇପାରିବ ସେ ଦିଗରେ ତୁରନ୍ତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବାକୁ ଦାବି ହେଉଛି। ନହେଲେ ଶ୍ରୀହୀନ ହୋଇଯିବ ଏସ୍ସିବି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଖାଲି ପଡ଼ିଥିବା ଅଧୀକ୍ଷକ ପଦ ତୁରନ୍ତ ପୂରଣ କରା ନଗଲେ ଏସ୍ସିବିରେ ପ୍ରାଶାସନିକ ଅଚଳାବସ୍ଥା ଦୂର ହୋଇପାରିବନି। ଏଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/26/SCjgsYtMcoRJCn28LZhf.jpg)