ବିଜୁବାବୁଙ୍କ ‘ଡାକୋଟା’ ବିମାନକୁ ଭୁଲିଗଲେ କି? ସରକାରଙ୍କ ନିଷ୍ପତ୍ତିର ୨ ବର୍ଷ ପରେ ବି ଅଣାଯାଇନି

କୋଲକାତା ବିମାନ ବନ୍ଦରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି

ବଲାଙ୍ଗୀର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ଭିଟି-ଏୟୁଆଇ ବିମାନକୁ ସରକାର ଭୁଲିଗଲେ କି ? କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହା ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ବଲାଙ୍ଗୀରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ କୋଲକାତା ବିମାନ ବନ୍ଦର ଜନସୂଚନା ଅଧିକାରୀ ସି. ଭି. ଦୀପକ ଏହି ସୂଚନା ପ୍ରଦାନ କରିଛନ୍ତି।

ତଥ୍ୟରୁ ଜଣାପଡିଛି ଯେ, ଓଡ଼ିଶାର ଗୁଜୁରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ସ୍ୱର୍ଗତ ଗୁରୁପ୍ରସାଦ ମହାପାତ୍ର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଥିବାବେଳେ ୨୦୧୭ ମସିହା ଡିସେମ୍ବର ୧୩ ରେ ପତ୍ର ମାଧ୍ୟମରେ ଓଡ଼ିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପ୍ରଥମେ ଜଣାଇଥିଲେ ଯେ, ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା କଳିଙ୍ଗ ଏୟାରଲାଇନ୍ସରେ ପ୍ରାୟ ଏକ ଡଜନ ବିମାନ ରହିଥିଲା ଏବଂ ବିଜୁ ପଟ୍ଟନାୟକ କଳିଙ୍ଗ ଏୟାରଲାଇନ୍ସର ମୁଖ୍ୟ ପାଇଲଟ ଥିଲେ। ଏହି ବିମାନ ଗୁଡିକ ମଧ୍ୟରୁ ଭିଟି-ଏୟୁଆଇ ରେଜିଷ୍ଟ୍ରସନ ରହିଥିବା ବିମାନରେ ବିଜୁ ପଟ୍ଟନାୟକ ନିଜେ ପାଇଲଟ ଭାବେ ଇଣ୍ଡାନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଏମଡି ହାତ୍ତା ଓ ପ୍ରଧାନମନ୍ତ୍ରୀ ସୁତାନ ସାହାରିରଙ୍କୁ ଉଦ୍ଧାର କରି ଆଣିଥିଲେ। ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା। ଐତିହାସିକ ମହତ୍ତ୍ୱ ରଖିଥିବା ଏହି ବିମାନକୁ କୋଲକାତା କିମ୍ବା ଭୁବନେଶ୍ୱର ବିମାନ ବନ୍ଦର କିମ୍ବା କୌଣସି ସଂଗ୍ରହାଳୟରେ ରଖାଗଲେ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ଏବଂ ଓଡ଼ିଶା ସରକାର କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ଏହାକୁ ନେବାପାଇଁ ଚାହିଁଲେ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ମହାପାତ୍ର ଚିଠିରେ ଉଲ୍ଲେଖ କରିଥିଲେ।

ଏହାପରେ, ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ୩ରୁ ୪ମାସ ମଧ୍ୟରେ ଡାକୋଟା ବିମାନକୁ କୋଲକାତାରୁ ଆଣି ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଲୋକଙ୍କ ପାଇଁ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଇତିମଧ୍ୟରେ ୨ ବର୍ଷ ବିତି ଯାଇଥିଲେ ହେଁ ଐତିହାସିକ ବିମାନଟି କୋଲକାତା ବିମାନ ବନ୍ଦରରେ ଏବେବି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଫଳରେ ରାଜ୍ୟର ଉଚ୍ଚସ୍ତରୀୟ ଅଧିକାରୀମାନେ ନେଇଥିବା ନିଷ୍ପତ୍ତି ମୂଲ୍ୟହୀନ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି  ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବିଜୁ ବାବୁ ଓ ଓଡ଼ିଶାର ବୀରଗାଥା ବହନ କରୁଥିବା ଡାକୋଟା ବିମାନକୁ ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ ସୂଚନା କର୍ମୀ ଶ୍ରୀ ପଣ୍ଡା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର