ଜଳେଶ୍ୱର: ପଶ୍ଚିମବଙ୍ଗରେ ଗତ ଦୁଇସପ୍ତାହ ହେଲା ଆଳୁଦର ଉପରମୁହାଁ। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପଶ୍ଚିମବଙ୍ଗ ସରକାର ଆଳୁ ଉପରେ ପୁଣି କଟକଣା ଲଗାଇଛନ୍ତି। ଫଳରେ, ଗତକାଲି ରାତିରୁ ଓଡ଼ିଶା ସୀମା ନିକଟବର୍ତ୍ତୀ ଜାତୀୟ ରାଜପଥରେ ଅଟକି ରହିଥିବା ଶତାଧିକ ଆଳୁଗାଡ଼ିକୁ ପଶ୍ଚିମବଙ୍ଗ ସରକାର ଫେରାଇ ନେଇଛନ୍ତି। ଆଜି ମଧ୍ୟାହ୍ନ ୧୨ଟା ସମୟରୁ ଏସବୁ ଆଳୁ ଟ୍ରକ୍‌କୁ ଖଡ଼ଗପୁର ଯାଏଁ ଫେରାଇ ନିଆଯାଇଥିବା ଜଣାପଡ଼ିଛି। ଯେଉଁଥି ପାଇଁ ଓଡ଼ିଶାର କିଛି କିଛି ଜାଗାରେ ଆଳୁଦର ବୃଦ୍ଧି ପାଇଛି। ତେବେ ଏହାର ପ୍ରଭାବରେ ଆଗାମୀ ଦିନରେ ଓଡ଼ିଶାରେ ଆଳୁ ତିରୋଟ ସହିତ ଦରବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି।

Advertisment

  ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ଏବେ ଆଳୁ କିଲୋପିଛା ଦର ୩୦ରୁ ୩୫ଟଙ୍କା ମଧ୍ୟରେ ରହିଛି। ଏହାକୁ କିଭଳି ନିୟନ୍ତ୍ରଣ କରାଯିବ, ତାହା ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ୨୨ ତାରିଖରେ କୋଲକାତାଠାରେ ବସିଥିବା ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଜ୍ୟରେ ଆଳୁଦର ନିୟନ୍ତ୍ରଣ ନହେବା ଯାଏଁ ପଡ଼ୋଶୀ ରାଜ୍ୟକୁ ଆଳୁ ରପ୍ତାନି କରାଯିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ଏଥିସହିତ ପଶ୍ଚିମବଙ୍ଗ କୃଷି ବିଭାଗ, ପୁଲିସ ଓ ଆଗ୍ରୋ ମାର୍କେଟିଂ ବିଭାଗର ଅଧିକାରୀଙ୍କୁ ଏକ ଟାସ୍କଫୋର୍ସ ଗଠନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମମତାଙ୍କ ଏହି ନିର୍ଦ୍ଦେଶପୂର୍ଣ୍ଣ ମନ୍ତବ୍ୟର ଭିଡିଓ ଏବେ ସାମନାକୁ ଆସିଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଓ ପୂର୍ବ ମେଦିନୀପୁର ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଜାତୀୟ ରାଜପଥ ସହ ଓଡ଼ିଶାକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାଗୁଡ଼ିକୁ ବଙ୍ଗ ପୁଲିସ ସିଲ୍‌ କରିଦେବା ସହିତ ବେଲ୍‌ଦା ନିକଟରେ ଓଡ଼ିଶା ଅଭିମୁଖେ ଆସୁଥିବା ସମସ୍ତ ଆଳୁଗାଡ଼ିକୁ ଅଟକାଇ ଦେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ବେଲ୍‌ଦାରେ ଶହେରୁ ଊର୍ଦ୍ଧ୍ବ ଆଳୁ ଟ୍ରକ୍‌ ଅଟକି ରହିଥିଲା। ୧୨ଟାପରେ ଆଳୁଗାଡ଼ିକୁ ଖଡ଼ଗପୁର ଫେରାଇ ନିଆଯିବାରୁ ଓଡ଼ିଶାକୁ ଅନ୍ତଃରାଜ୍ୟ ସୀମା ଦେଇ ଆଳୁ ରପ୍ତାନି ବନ୍ଦ ହୋଇଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏପରି ଆଭିମୁଖ୍ୟକୁ ସେହି ରାଜ୍ୟର ବ୍ୟବସାୟୀ ସଂଘ ମଧ୍ୟ ବିରୋଧ କରିଛି। ଏ ସମ୍ପର୍କରେ ଆମ ପ୍ରତିନିଧି ପଶ୍ଚିମ ମେଦିନୀପୁର ପୁଲିସ ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେମାନେ କିଛି କହିବାକୁ ମନା କରିଦେଇଥିଲେ। ତେବେ, ପଶ୍ଚିମବଙ୍ଗରେ ଆଳୁ ଦର ନିୟନ୍ତ୍ରଣକୁ ନଆସିବା ଯାଏଁ ଓଡ଼ିଶାକୁ ଆଳୁ ରପ୍ତାନି ବନ୍ଦ ରହିବ ବୋଲି ପଶ୍ଚିମବଙ୍ଗ ଦାନ୍ତୁନ ଅଞ୍ଚଳର ଜଣେ ତୃଣମୂଳ କଂଗ୍ରେସ ନେତା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ପଶ୍ଚିମବଙ୍ଗ ସରକାରଙ୍କ କଟକଣା ଯୋଗୁଁ ଆଜି ଓଡ଼ିଶାରେ ହଠାତ୍ ଆଳୁ ଦର କିଲୋପିଛା ୪୦ରୁ ୪୫ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଜଳେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ଆଳୁ ଦର ୩୦ରୁ ୩୫ ଟଙ୍କା ରହିଥିଲା।